ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଏବଂ ଏଭଳି ତତ୍ତ୍ୱଙ୍କୁ ଚେତାବନୀ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନାହିଁ ଏବଂ ସେମାନଙ୍କ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରାଯିବ । ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମସ୍ତ ତଦନ୍ତ ଏଜେନ୍ସି ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବିଚାରବିମର୍ଶ କରିଛନ୍ତି । ଏହା ସ୍ପଷ୍ଟ କରିଛି ଯେ, ଭାରତ ଉପରେ ସୀମାପାର ଆତଙ୍କବାଦୀଙ୍କ ଶ୍ୟେନଦୃଷ୍ଟି ନିବଦ୍ଧ ।
ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ସାମ୍ନାରେ ସୋମବାର ଦିନ ଘଟିଥିବା ବିସ୍ଫୋରଣ ସାରା ଦେଶକୁ ଚମକାଇ ଦେଇଛି । ଏହି ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧିପାଇଛି । ଘଟଣା ପଛରେ ଥିବା କାରଣ ଓ କାଣ୍ଡାରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଠାବ କରିବା ସକାଶେ ସରକାରଙ୍କଠାରୁ ସୁରକ୍ଷା ଏଜେନ୍ସିଙ୍କ ପର୍ଯ୍ୟନ୍ତ ସଭିଏଁ ସକ୍ରିୟ ହୋଇଉଠିଛନ୍ତି । ତେବେ ଏହା ଯେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଏକ ମଡ୍ୟୁଲ ଯାହା ଭାରତରେ ବଡ଼ଧରଣର ବିସ୍ଫୋରଣ ଘଟାଇବାର ଗୋପନ ମସୁଧା କରୁଥିଲା, ତାହା ତଦନ୍ତକାରୀ ସଂସ୍ଥାମାନଙ୍କ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହା ପଛରେ କତିପୟ ଡାକ୍ତରଙ୍କ ପ୍ରତ୍ୟକ୍ଷ ହାତ ଥିଲା ଓ ସେମାନେ ଫରିଦାବାଦଠାରେ ଏହାର ନୀଳନକ୍ସା ରଚନା କରିଥିଲେ । କିନ୍ତୁ ସମ୍ଭବତଃ, ଏହାର ଅନ୍ୟତମ ମୁଖ୍ୟ କାଣ୍ଡାରୀ ଡକ୍ଟର ମୁଜମ୍ମିଲ ସକୀଲ ଏବଂ ଅନ୍ୟ ଜଣେ ସହଯୋଗୀ ଡାକ୍ତରଙ୍କ ଗିରଫଦାରୀ ଓ ସେମାନଙ୍କଠାରୁ ବିପୁଳ ପରିମାଣ (ପ୍ରାୟ ୨୯୦୦ କି.ଗ୍ରା.)ର ବିସ୍ଫୋରକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହେଲାପରେ ‘ଫରିଦାବାଦର ମଡ୍ୟୁଲ’ ଫସର ଫାଟିଯାଇଥିଲା ।
ଏହି ଘଟଣା ଜଣାପଡ଼ିବା ପରେ ମଡ୍ୟୁଲର ଅନ୍ୟତମ ସଦସ୍ୟ ଡକ୍ଟର ମହମ୍ମଦ ଉମର (ଓରଫ ଉମର ଉନ୍ ନବୀ) ଫେରାର ହୋଇଯାଇଥିଲା ସତ, କିନ୍ତୁ ଗିରଫ ହେବା ଭୟରେ ତରବରିଆ ଭାବେ ଲାଲକିଲ୍ଲାଠାରେ ବିସ୍ଫୋରଣ ଘଟାଇ ନିଜେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଏହା ଯେ ଏକ ଫିଦାଏଁ ଷ୍ଟାଇଲର ବିସ୍ଫୋରଣ ତାହା ଯେକୌଣସି ସାଧାରଣ ଲୋକ ମଧ୍ୟ ଅନୁମାନ କରିପାରିବେ । ଏଭଳି କାଣ୍ଡର ତଦନ୍ତ ଆରମ୍ଭ ହୋଇଛି ଏବଂ ତାହାର ରହସ୍ୟ ଅବଶ୍ୟ ଲୋକଲୋଚନକୁ ଆସିବ । ସେଥିପାଇଁ ସବୁ ଏଜେନ୍ସିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ତଦନ୍ତ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଏବଂ ଏଭଳି ତତ୍ତ୍ୱଙ୍କୁ ଚେତାବନୀ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନାହିଁ ଏବଂ ସେମାନଙ୍କ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରାଯିବ । ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମସ୍ତ ତଦନ୍ତ ଏଜେନ୍ସି ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବିଚାରବିମର୍ଶ କରିଛନ୍ତି । ଏହା ସ୍ପଷ୍ଟ କରିଛି ଯେ, ଭାରତ ଉପରେ ସୀମାପାର ଆତଙ୍କବାଦୀଙ୍କ ଶ୍ୟେନଦୃଷ୍ଟି ନିବଦ୍ଧ । ସେମାନେ ଦେଶକୁ ଅସ୍ଥିର କରିବା ସକାଶେ ଗୋପନରେ ଷଡ଼ଯନ୍ତ୍ର କରିଚାଲିଛନ୍ତି । ଏହା ବର୍ତ୍ତମାନର ଘଟଣାରୁ ନୁହେଁ, ଢେର୍ ପୂର୍ବରୁ ସ୍ପଷ୍ଟ ହୋଇସାରିଛି । ବିଶେଷକରି ପାକିସ୍ତାନ ସହିତ ଗତ କିଛି ମାସ ଧରି ଚାଲିଥିବା ସାମରିକ ଓ କୂଟନୈତିକ ବିବାଦ ପରିପ୍ରେକ୍ଷୀରେ ସୁରକ୍ଷା ବାହିନୀ ଏବଂ ଗୁଇନ୍ଦା ସଂସ୍ଥାମାନେ ଅଧିକ ସତର୍କ ରହିବା ଉଚିତ । କାରଣ, ଭାରତ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀ ସଂଗଠନର ଆଡ୍ଡାରେ ଯେଉଁଭଳି ପ୍ରଚଣ୍ଡ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିପକାଇଥିଲା, ସେଥିରେ ପାକିସ୍ତାନ ସରକାର ଏବଂ ଆତଙ୍କବାଦୀ ସଂଗଠନମାନେ ଏହାର ପ୍ରତିଶୋଧ ନେବାକୁ କୌଣସି ନା କୌଣସି ପ୍ରକାରେ ମସୁଧା କରିବ ତାହା ବୁଝିବାକୁ ଅଛପା ନାହିଁ । ଯାହା ଅବଧାରିତ ବୋଲି ଆଶଙ୍କା କରାଯାଉଥିଲା, ତାହା ଘଟିଲା ଏବଂ ତାହା ଭୀଷଣ ଆକାର ଧାରଣ କରିବା ଆଗରୁ ସୌଭାଗ୍ୟର କଥା, ସମୁଦାୟ ବିସ୍ଫୋରକ ଓ ଏହାର ବ୍ୟବହାରକାରୀମାନଙ୍କ ଯୋଜନା ଧରାପଡ଼ିଗଲା । ଯେଉଁ ଏକମାତ୍ର କାଣ୍ଡାରୀ ପ୍ରାଣଭୟରେ ପୁଲିସ ନଜରରୁ ଖସି ଘୂରି ବୁଲୁଥିଲା, ସେ କିଛିମାତ୍ରାର ବିସ୍ଫୋରକକୁ ଦିଲ୍ଲୀର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇ ନିଜକୁ ନିଃଶେଷ କରିଦେଲା।
ପ୍ରଶ୍ନ ଉଠେ, ସୀମା ଆରପଟୁ ଆତଙ୍କବାଦୀମାନଙ୍କ ଦ୍ୱାରା ଦେଶର ଶିକ୍ଷିତ ଓ ଯୁବଗୋଷ୍ଠୀଙ୍କୁ ଆତଙ୍କୀ କାଣ୍ଡ ଘଟାଇବାକୁ ଗୋପନରେ ଯେଉଁ ପ୍ରୟାସ କରାଯାଉଛି, ତାକୁ କିପରି ରୋକାଯାଇପାରିବ । ଅତୀତରେ ଏହିଭଳି ଅନେକ ଘଟଣା ଘଟିଛି ଏବଂ ଏହା ପଛରେ ପାକିସ୍ତାନ ପ୍ରୋତ୍ସାହିତ ସୀମାପାର ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ଅପରେଟିଭମାନେ ଏହାକୁ ସାକାର କରିଛନ୍ତି । ଏଥିରେ ଶହ ଶହ ସାଧାରଣ ଜନତା ଓ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଛି । ଠୋସ୍ ସାକ୍ଷ୍ୟ ପ୍ରମାଣ ସହିତ ଭାରତ ବାରମ୍ବାର ପାକିସ୍ତାନ ନିକଟରେ ଏଥିପାଇଁ ଅଭିଯୋଗ ବାଢ଼ିଥିଲେ ସୁଦ୍ଧା ପାକିସ୍ତାନ ଏହାକୁ ଫାଙ୍କିଚାଲିଛି । ତେଣୁ ଏହା ସ୍ପଷ୍ଟ ହୋଇଛି ଯେ, ଆତଙ୍କବାଦୀଙ୍କୁ ଜବତ କରିବାକୁ ହେଲେ ଭାରତକୁ ତାର ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ । ଏ ଅଭିଯାନରେ କେହି ଅନ୍ୟକୁ ସାହାଯ୍ୟ କରିବେ ନାହିଁ । ଅତଏବ ଭାରତକୁ ପ୍ରଥମେ ନିଜ ଭୂଇଁରୁ ଏଭଳି ଦେଶଦ୍ରୋହୀ ତତ୍ତ୍ୱଙ୍କୁ ଖୋଜି ବାହାର କରିବାକୁ ହେବ, ଯେଉଁମାନେ ସୀମା ଆରପଟେ ଥିବା ଆକ୍କାମାନଙ୍କ ନିର୍ଦ୍ଦେଶରେ ଏଠାରେ ଏଭଳି ହୀନ ଓ ଘୃଣ୍ୟକାର୍ଯ୍ୟ ଘଟାଉଛନ୍ତି । ଆଶ୍ଚର୍ଯ୍ୟର କଥା, ଉଚ୍ଚଶିକ୍ଷିତ ଡାକ୍ତରମାନେ ଏଥିରେ ସାମିଲ ହୋଇଛନ୍ତି । ଏଭଳି ବିଷର ପ୍ରଭାବ ଅଧିକ ଉତ୍କଟ ହେବା ପୂର୍ବରୁ ତାକୁ ସମୂଳେ ଉତ୍ପାଟନ କରିବା ଏକାନ୍ତ ଜରୁରି ମନେହୁଏ ।