ଖରାଦିନ । ଖରାବେଳ । ମୁଣ୍ଡରେ ଶକ୍ତ ବୋଝଟିଏ ମୁଣ୍ଡେଇ ଶୂନ୍‌ଶାନ୍‌ ରାସ୍ତାରେ ଚାଲିଥାଏ ମୂଲିଆଟିଏ । ରାସ୍ତାକଡ଼ରେ ଥିବା ଏକ ସୁରମ୍ୟ ଅଟ୍ଟାଳିକା ଛାଇରେ ଟିକେ ବିଶ୍ରାମ କରିବାକୁ ଇଚ୍ଛା କରି ତାର ପ୍ରଶସ୍ତ ବାରଣ୍ଡାରେ ବୋଝଟିକୁ ଉତାରି ଦେଇ ବସି ଥକା ମାରିଲା । ମୁଣ୍ଡରୁ ଗାମୁଛା ଖୋଲି ସେଥିରେ ବିଞ୍ଚିହେଲା । ଟିକେ ସାଷ୍ଟମ ହେଲାପରେ ୟାଡ଼େ ସାଡ଼େ ଚାହିଁଲା । କି ସୁନ୍ଦର ପ୍ରାସାଦ! ଉପର ମହଲାରୁ ଭାସି ଆସୁଥାଏ ନୃତ୍ୟଗୀତର ମୃଦୁ ମୂର୍ଚ୍ଛନା । ତା’ ସହିତ ଲୋଭନୀୟ ସ୍ୱାଦିଷ୍ଟ ଭୋଜନ ସାମଗ୍ରୀର ମହକ ତାର କ୍ଷୁଧାକୁ ଦ୍ୱିଗୁଣିତ କରିଦେଉଥାଏ । କ୍ଷଣକ ପାଇଁ ଆନମନା ହୋଇପଡ଼ି ଲୋକଟି ଭାବିବାକୁ ଲାଗିଲା, ଆଃ କେଡ଼େ ଭାଗ୍ୟବାନ ଏ ଗୃହକର୍ତ୍ତା! ଏମିତି ଅୟସରେ, ବିଳାସ ବ୍ୟସନରେ ଦିନ କାଟୁଛନ୍ତି । ଅଥଚ, ମୁଠାଏ ମାତ୍ର ଖାଇବା ଯୋଗାଡ଼ କରିବା ପାଇଁ ସାରାଦିନ ମତେ କେତେ ପରିଶ୍ରମ କରିବାକୁ ପଡୁଛି ।

ହେ ଭଗବାନ! ସବୁ ମଣିଷ ତ ତୁମରି ସୃଷ୍ଟି, ତଥାପି ତାଙ୍କ ଭିତରେ ଏପରି ପାର୍ଥକ୍ୟ କାହିଁକି? ହଠାତ୍‌ ତା’ ପିଠିରେ ଏକ କୋମଳ ହସ୍ତର ସ୍ପର୍ଶରେ ଚମକି ପଡ଼ିଲା ସେ । "ତୁମକୁ ଭିତରକୁ ନେଇଯିବାକୁ ମାଲିକ୍‌ ମୋତେ ହୁକୁମ୍‌ ଦେଇଛନ୍ତି, ଚାଲ ମୋ ସାଥିରେ । ଲୋକଟି କିଛି କହିବା ପୂର୍ବରୁ ଗୁଲାମ୍‌ ଭଳି ଦିଶୁଥିବା ସେହି ବ୍ୟକ୍ତିଟି ତାକୁ ଉପର ମହଲାକୁ ନେଇଯାଇ ଘରର ମାଲିକଙ୍କ ପାଖରେ ହାଜର କରେଇ ଦେଲା । ମାଲିକ ତାକୁ ସ୍ୱାଗତ କରି ଆଗେ ତାର ପାନ ଭୋଜନ ପାଇଁ ବନ୍ଦୋବସ୍ତ କରିଦେଲେ । ଲୋକଟି ଖାଇସାରି ସନ୍ତୁଷ୍ଟ ହେଲାପରେ ତାକୁ ପାଖରେ ବସେଇ କହିଲେ "ତୁମେ ଆଜି ଏ ଗୃହର ଅତିଥି, ଗୃହସ୍ଥ ଭାବରେ ତୁମର ଚର୍ଚ୍ଚା କରିବା ମୋର କର୍ତ୍ତବ୍ୟ । ଆଜି ରାତିକ ଏଠାରେ ରହିଗଲେ ତୁମର ଯଥାବିଧି ସେବା କରି ମୁଁ ଖୁବ୍‌ ଆନନ୍ଦ ପାଆନ୍ତି, ରହିବ ତ?’ ଲୋକଟି ଗୃହସ୍ଥଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ରହିଗଲା । ରାତିରେ ସେହିଭଳି ମୂଲ୍ୟବାନ ଭୋଜନ ପରେ ସେମାନେ ସାଥୀ ହୋଇ ଶୋଇଲେ । ଗୃହସ୍ଥଙ୍କର ଉତ୍ତମ ବ୍ୟବହାରରେ ଲୋକଟି ଏତେ ଖୁସି ହୋଇଗଲା ଯେ ତା’ ମନରୁ ସକଳ ଆଶଙ୍କା ଦୂର ହୋଇଗଲା ଏବଂ ନିର୍ଭୟରେ ସେ ନିଜର ମନକଥା ପ୍ରକାଶ କରିଦେଲା "ଆପଣ କେତେ ଭାଗ୍ୟବାନ, ଏଭଳି ସ୍ୱର୍ଗସୁଖ ଭୋଗ କରୁଛନ୍ତି । ଅଥଚ ମୁଁ ଏତେ ହତଭାଗାଟିଏ ଯେ, ମୁଠାଏ ଖାଇବା ପାଇଁ...' । ତା’ ମୁହଁରୁ କଥା ଛଡ଼େଇ ନେଇ କହିଲେ ଗୃହସ୍ଥ- ନିଜକୁ ଛୋଟ ବୋଲି କାହିଁକି ଭାବୁଛ? ଛୋଟ ବଡ଼ ହେବା ନିଜ ହାତରେ । ମୁଁ ବି ଦିନେ ଠିକ୍‌ ତୁମରି ଭଳି ଅବସ୍ଥାରେ ଥିଲି । ସେଥିରୁ ମୁକ୍ତି ପାଇବା ପାଇଁ ଅନେକ କିଛି କରିବାକୁ, ଏପରିକି ନିଜର ଜୀବନକୁ ବାଜି ଲଗେଇ ଦେବାକୁ ପଡ଼ିଥିଲା । ହେଲେ ସେଥିରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହିତ ସବୁ ପରିସ୍ଥିତିର ମୁକାବିଲା କରି ଶେଷରେ ଏହି ସ୍ଥିତିରେ ପହଞ୍ଚିଛି ।

ତୁମେ ବି ଚାହିଁଲେ ମୋରି ଭଳି ହୋଇପାରିବ । ଏହା ଆଦୌ ଅସମ୍ଭବ ନୁହେଁ । ଶୁଣିବ ସେ କଥା? ଏଥର ଲୋକଟି ପ୍ରବଳ ଆଗ୍ରହରେ ଉଠି ବସିଲା । ତା’ର ଉତ୍କଣ୍ଠାକୁ ଦେଖି ଗୃହସ୍ଥ ଆରମ୍ଭ କଲେ ନିଜର ଜୀବନ କାହାଣୀ, ଯାହା ଥିଲା ବିଶ୍ୱବିଖ୍ୟାତ "ଆରବ୍ୟ ରଜନୀର କାହାଣୀ'ରେ ସ୍ଥାନିତ ରହସ୍ୟ ରୋମାଞ୍ଚଭରା "ସିନ୍‌ ବାଦ୍‌ ଦ ସେଲର୍‌'ର କଥାବସ୍ତୁ । ପିଲାବେଳୁ ଅତି ଦୁଃଖ ଦାରିଦ୍ର‌୍ୟରେ ବଢ଼ିଥିବା ସିନ୍‌ ବାଦ୍‌ ସେଥିରୁ ମୁକ୍ତିଲାଭ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନିଜର ଜୀବନକୁ ବାଜି ଲଗେଇ ଅଜଣା ଅଶୁଣା ସମୁଦ୍ର ବକ୍ଷରେ ବିପଦଜ୍ଜନକ ଜଳଯାତ୍ରାରେ ବାହାରି ପଡ଼ିଥିଲେ । କିନ୍ତୁ ତାହା ଏତେ ସହଜ ନଥିଲା । ପ୍ରତିଟି ମୁହୂର୍ତ୍ତ ଜୀବନ ସଂଶୟ ଭିତରେ କଟୁଥିଲା । ହେଲେ ଥରକୁଥର ମରଣ ମୁହଁରୁ ବର୍ତ୍ତିଆସି ବି ସେଥିରୁ ସେ ନିବୃତ୍ତ ହୋଇନଥିଲେ । ଅସୀମ ଧୈର୍ଯ୍ୟର ସହିତ ମୃତ୍ୟୁମୁଖରୁ ବଞ୍ଚି (ପ୍ରଥମ ଥର ଏକ ବିଶାଳକାୟ ତିମିର ପିଠି ଉପରୁ, ଦ୍ୱିତୀୟ ଥର ଏକ ମାଂସାଶୀ ପକ୍ଷୀର ସାହାରାରେ, ତୃତୀୟ ଥର ଗୋଟାଏ ଭୀଷଣାକୃତି ରାକ୍ଷସ କବଳରୁ, ଚତୁର୍ଥ ଥର ଗୋଟେ ନରଖାଦକ ଜଳରାକ୍ଷସର କବ୍‌ଜାରୁ, ପଞ୍ଚମ ଥର ରାକ୍ଷସ ପକ୍ଷୀର ଅଣ୍ଡା ଆକ୍ରମଣରୁ, ଷଷ୍ଠ ଥର ଏକ ଯାଦୁକରୀ ଫଳ ସାହାଯ୍ୟରେ ଏବଂ ସପ୍ତମ ଥର ରହସ୍ୟମୟ ନଦୀବକ୍ଷରୁ) ବାରମ୍ବାର ଜଳଯାତ୍ରା କରିଲା ପରେ ସପ୍ତମ ଥରରେ ସେ ଲକ୍ଷ୍ୟ ହାସଲ କରିଥିଲେ, ଯାହାର ସୁଫଳ ଆଜି ସେ ଭୋଗ କରୁଛନ୍ତି । ଇସଲାମ୍‌ ସଭ୍ୟତାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିବା ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ରଚିତ ଏହି କାହାଣୀଟିର ବକ୍ତା ଥିଲେ ସ୍ୱୟଂ ସିନ୍‌ ବାଦ୍‌, ଶ୍ରୋତା ହିନ୍‌ ବାଦ୍‌ ନାମକ ଶ୍ରମିକ ଏବଂ ଘଟଣାଟି ଥିଲା ସୂଦୂର ପାରସ୍ୟ ଦେଶର ବାଗ୍‌ଦାଦ୍‌ ସହରର । କାହିଁ କେଉଁ କାଳରେ ରଚିତ ହୋଇଥିଲେ ବି ଏଥିରେ ସନ୍ନିହିତ ବାର୍ତ୍ତା ଯୁଗେ ଯୁଗେ ପ୍ରାସଙ୍ଗିକ ଏବଂ ତାହା ହେଉଛି ବିଫଳତାରେ ବିଚଳିତ ନହୋଇ ଲକ୍ଷ୍ୟପ୍ରାପ୍ତି ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିଲେ ଶେଷରେ ସଫଳତା ଅବଶ୍ୟ ମିଳେ ।

ଏହା ଏକ ଚିରନ୍ତନ ସତ୍ୟ, ଯାହାର ସଚରାଚର ଅଙ୍ଗେନିଭା ଏକ ଉଦାହରଣ ହେଉଛି ବାରମ୍ବାର ପଡ଼ି ଉଠି ଚାଲିବାକୁ ଶିଖୁଥିବା ଶିଶୁଟିର ଧୈର୍ଯ୍ୟ । ଇଲେକଟ୍ରିକ୍‌ ବଲ୍‌ବ ଉଦ୍ଭାବନ କରିବା ପୂର୍ବରୁ ଥୋମାସ୍‌ ଆଲ୍‌ଭା ଏଡିସନ୍‌ ଏକହଜାର ଥର ବିଫଳ ହୋଇ କହିଥିଲେ "ମୁଁ ଅକୃତକାର୍ଯ୍ୟ ହୋଇନି, କାମ କରୁନଥିବା ହଜାରେଟି ମାର୍ଗକୁ ଜାଣିପାରିଛି' । ସାରା ପୃଥିବୀର ଲୋକପ୍ରିୟ ଗ୍ରନ୍ଥ ‘ହାରି ପୋଟର’ର ଲେଖକ ଜେ.କେ. ରୋଲିଂଙ୍କ ପ୍ରତିଟି ପୁସ୍ତକକୁ ପ୍ରଥମେ ପ୍ରଥମେ ସବୁ ପ୍ରକାଶକ ମନା କରିଦେଇଥିଲେ । ମ୍ୟାଲେରିଆ ପାରାସାଇଟ୍‌ର ଉଦ୍ଭାବକ ସାର୍‌ ରୋନାଲ୍ଡ ରସ୍‌ଙ୍କୁ ତ ଲୋକେ ‘ପାଗଳା ସାହେବ ମଶା ଧରୁଛି' ବୋଲି ହସରେ ଉଡ଼େଇ ଦେଉଥିଲେ । ଉପରୋକ୍ତ ଘଟଣା ଭଳି ଅନେକ କଥା ରହିଛି ଯେଉଁଥିରୁ ଏହି ଶିକ୍ଷା ମିଳେ ଯେ, ବିଫଳତା ହିଁ ସଫଳତାର ପାହାଚ (ସ୍ତମ୍ଭ) । ପ୍ରତିଟି ବିଫଳତାର ପଛରେ ରହିଥିବା ତ୍ରୁଟିକୁ ସଂଶୋଧନ କରିବା, କାମ କରିବାର ଶୈଳୀକୁ ପରିମାର୍ଜିତ କରିବା, ନୂତନ ଯୋଜନା ପ୍ରସ୍ତୁତ କରିବା, ଭୁଲ୍‌ରୁ ଅଭିଜ୍ଞତା ଲାଭ କରିବା, ଧୈର୍ଯ୍ୟ ରଖିବା ସଫଳତା ପାଇଁ ସୁଯୋଗ ସୃଷ୍ଟି କରେ । ପ୍ରତ୍ୟେକ ଭୁଲ୍‌ ଏକ ଶିକ୍ଷା, ଯାହା ଠିକ୍‌ ରାସ୍ତାରେ ଚାଲିବା ପାଇଁ ବାଟ ବତାଏ । ସେହିପରି ପ୍ରତିବନ୍ଧକ ଲକ୍ଷ୍ୟ ନୁହେଁ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମାଇଲ୍‌ ଖୁଣ୍ଟ । ତେଣୁ ଫଳ ଭଲ ହେଉ କି ମନ୍ଦ, ଅଧାରୁ ପରିତ୍ୟାଗ କରିବା ହିଁ ପ୍ରକୃତ ବିଫଳତା, ଚେଷ୍ଟା ଜାରି ରଖିବା ଦୀର୍ଘମିଆଦି ସଫଳତା ପାଇଁ । କୌଣସି ତରିକା ଫଳପ୍ରଦ ନହେଲେ ତାକୁ ବଦଳେଇବା ଉଚିତ୍‌, ଲକ୍ଷ୍ୟକୁ ନୁହେଁ । ସେଥିପାଇଁ କୁହାଯାଏ "ଦୁନିଆରେ ବିଫଳତା ବୋଲି କିଛି ନାହିଁ, ଯାହାକୁ ବିଫଳତା କୁହାଯାଏ ତାହା ଅସମ୍ପୂର୍ଣ୍ଣ ସଫଳତା । ଅତଏବ, ବିଫଳ ବି ଫଳ’ ।

​​​​​​​