ମଞ୍ଚ ଥିଲା, କିନ୍ତୁ କେହି ମଞ୍ଚାସୀନ ନଥିଲେ । ସମସ୍ତେ ମଞ୍ଚ ତଳେ ସମତଳ ଭୂମି ଉପରେ ସାମ୍ନା-ସାମ୍ନି ବସିଥିଲେ । ସାମ୍ନାରେ ସଭାର ଆୟୋଜକ, "ପ୍ରମେୟ'ର ସମ୍ପାଦକ, ପ୍ରସାରକ, ନିର୍ଦ୍ଦେଶକ ପ୍ରଭୃତି କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କୁ ମୁହଁ କରି "ପ୍ରମେୟ'ର ସ୍ତମ୍ଭକାର ଲେଖିକା-ଲେଖକ । ଆୟୋଜକଙ୍କର ଉଦ୍ଦେଶ୍ୟ ଥିଲା, ସେମାନେ ଶୁଣିବେ ସେମାନଙ୍କ ସମ୍ବାଦପତ୍ରକୁ ନିଜର ସ୍ତମ୍ଭ ରଚନା ଦ୍ୱାରା ସମୃଦ୍ଧ କରୁଥିବା ଲେଖକ ଲେଖିକାଙ୍କୁ । ସେମାନଙ୍କର ନିଃସଙ୍କୋଚ ଓ ସ୍ପଷ୍ଟ ଅଭିବ୍ୟକ୍ତିର ଆଧାରରେ "ପ୍ରମେୟ' ନିଜକୁ ପରିମାର୍ଜିତ ଓ ପାଠକଙ୍କ ଦ୍ୱାରା ଅଧିକ ଗ୍ରହଣୀୟ କରିବାର ଅଭିଳାଷ ରଖି ଏଭଳି ସଭା ଆୟୋଜିତ ହୋଇଥିଲା "ପୁସ୍ତକ ମହୋତ୍ସବ' ପରିସର ଭିତରେ । ରାଜଧାନୀର ଉତ୍ସବମୁଖର ଏହି ପୁସ୍ତକ ପର୍ବର ପ୍ରତିଦିନର ସଭା-ସମବେଶ ଭିତରେ ଏହି ସଭାଟି ଥିଲା ବ୍ୟତିକ୍ରମ । କାରଣ ଏଥିରେ ସଭାସୁନ୍ଦରମାନଙ୍କର ସୁଦୀର୍ଘ ଭାଷଣ ନଥିଲା, ଏହା ଥିଲା ଉଭୟ ଉଦ୍ୟୋକ୍ତା ଏବଂ ଆମନ୍ତ୍ରିତ ବ୍ୟକ୍ତିବିଶେଷଙ୍କର ନିଜକୁ ଉନ୍ମୋଚିତ କରିବାର ଏକ ସୁଖଦ ଅବସର ।
ପ୍ରଥମେ "ପ୍ରମେୟ' ପରିବାର ନିଜ କଥା କହିଲା । ଓଡ଼ିଶାର ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଅଗ୍ରଣୀମାନଙ୍କ ଠାରୁ ଆଗରେ ରହିଥିବାର ଆନନ୍ଦ ବ୍ୟକ୍ତ କଲା ଏବଂ ତା'ପରେ ଉପସ୍ଥିତ ଏହି ଲେଖକ ସମେତ ଅନେକ ମାନ୍ୟଗଣ୍ୟ ସ୍ତମ୍ଭକାର ସେମାନଙ୍କ ବିଚାର ବ୍ୟକ୍ତ କଲେ । "ପ୍ରମେୟ'ର ଦୋଷତ୍ରୁଟି ଦର୍ଶାଇଲେ ଏବଂ ଅନ୍ୟ କାହାରି ସହିତ ନୁହେଁ, ନିଜ ସହିତ ନିଜେ ପ୍ରତିଦ୍ୱନ୍ଦ୍ୱିତା କରି ନିଜକୁ ଅତିକ୍ରମ କରିବାର ଉଦ୍ୟମ ଜାରି ରହୁ ବୋଲି ଉତ୍ସାହ ଦେଲେ । ଗୋଟିଏ ସମ୍ବାଦପତ୍ରର ନାମକରଣ ଭାବରେ "ପ୍ରମେୟ' ଆଦୌ ସହଜ ଓ ସରଳ ନଥିଲା । ଏହାର ପ୍ରକାଶନ ଆରମ୍ଭରେ ଅନେକ ମୋତେ ପଚାରିଛନ୍ତି- କ'ଣ ଏହାର ଅର୍ଥ? "ପ୍ରମେୟ' ଅର୍ଥ- ଯାହା ପ୍ରମାଣସିଦ୍ଧ ବା ପ୍ରମାଣଯୋଗ୍ୟ । ଏଭଳି ନାମକରଣରେ କ'ଣ କାଗଜ ଚାଲିବ ବୋଲି କେହି କେହି ପ୍ରଶ୍ନ କରିଛନ୍ତି ଏବଂ ନାସ୍ତିସୂଚକ ଉତ୍ତର ମଧ୍ୟ ଦେଇଛନ୍ତି । ଏହିଭଳି ଆଶଙ୍କା ବ୍ୟକ୍ତ କରିଥିବା ଜଣେ ବିଶିଷ୍ଟ କବି ଓ ସମାଲୋଚକ ଏବେ ଏହି "ପ୍ରମେୟ'ରେ ହିଁ ସ୍ତମ୍ଭ ଲେଖୁଛନ୍ତି । ଯେଉଁଦିନ ମୋ ନିଦ ଭାଙ୍ଗିଦିଏ ମୋ ମୋବାଇଲ୍ର ରିଂ ଟୋନ୍, ମୁଁ ଜାଣିଯାଏ ଯେ ଆଜି ମୋ ଲେଖା ପ୍ରକାଶ ପାଇଛି "ପ୍ରମେୟ'ରେ । କାହିଁ ଦୂରଦୂରାନ୍ତରୁ, ଉତ୍ତର ନବେବର୍ଷର ପାଠକ ମଧ୍ୟ ମୋ ସ୍ତମ୍ଭ ରଚନା ପଢ଼ିସାରି ନିଜର ପ୍ରଶଂସାସୂଚକ ମନ୍ତବ୍ୟରେ ମୋର ନିଷ୍କ୍ରିୟ ଲେଖକୀୟ ସତ୍ତାକୁ ସଂଜୀବିତ କରିଦିଅନ୍ତି । "ପ୍ରମେୟର' ପ୍ରଚୁର ପାଠକୀୟତା ମୋତେ ବାଧ୍ୟ କରେ ସକ୍ରିୟ, ସୃଜନଶୀଳ ରହିବାକୁ ।
"ପ୍ରମେୟ' ପାଇଁ ମୋ ଲେଖାର ବିଶେଷତ୍ୱ ହେଲା, ମୋର ସ୍ୱଭାବସୁଲଭ ରାଜନୀତିକ ଚର୍ଚ୍ଚାରୁ ବିରତ ରହି ମୁଁ ନିଜ ସହ ନିଜକୁ ଯୋଡ଼ିଦିଏ । ମୋ ଅନୁଭବର କଥା ହିଁ ବଖାଣୁଥାଏ, ଯାହା ଜଣେ ପାଠକକୁ ସମାନୁଭବରେ ହିଁ ଆନନ୍ଦିତ କରେ । ସ୍ତମ୍ଭ ରଚନା ହିଁ ଯେକୌଣସି ସମ୍ବାଦପତ୍ରର ଦମ୍ଭ । କାରଣ ପ୍ରାୟ ପ୍ରତ୍ୟେକ ସମ୍ବାଦପତ୍ରର ପୃଷ୍ଠା ଖୋଲିବା ମାତ୍ରେ ହତ୍ୟା, ଧର୍ଷଣ, ଅପହରଣ, ରାଜନୈତିକ ନେତାମାନଙ୍କର ଅନ୍ତହୀନ ବିବୃତି, ପରସ୍ପର ପ୍ରତି ଦୋଷାରୋପରେ ପାଠକୀୟ ମନ ଭାରାକ୍ରାନ୍ତ ହୋଇଗଲା ବେଳେ ସେ ଖୋଜିବସେ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିବା ବିଭିନ୍ନ ସ୍ତମ୍ଭକାରଙ୍କ ଲେଖା । ଭିନ୍ନ ଭିନ୍ନ ବିଷୟ, ଭିନ୍ନ ବିଚାର, ବିତର୍କର ଆଲେଖ୍ୟ ପାଠକର ଚିନ୍ତା ଓ ଚେତନାକୁ ଶାଣିତ କରେ । ଏହି ଲେଖାସବୁ ପ୍ରତିପାଦିତ କରେ ଲେଖକର ସାମାଜିକ ପ୍ରତିବଦ୍ଧତାକୁ ।
କେବଳ ଗଳ୍ପ, କବିତା ବା ଉପନ୍ୟାସ ନୁହେଁ, ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭ ରଚନା ମଧ୍ୟ ଯେ ସାହିତ୍ୟର ଅଂଶବିଶେଷ ଏବଂ ପତ୍ରିକାରେ କିମ୍ବା ପୁସ୍ତକ ଆକାରରେ ନିଜକୁ ପ୍ରକାଶିତ କରିଥିବା କବି, ଗାଳ୍ପିକମାନଙ୍କ ଠାରୁ ସ୍ତମ୍ଭକାରମାନଙ୍କର ପରିଚିତି, ପାଠକ ସଂଖ୍ୟା ଯେ ଶତ-ସହସ୍ର ଗୁଣରେ ଅଧିକ, ତାହା କେହି ଅସ୍ୱୀକାର କରିପାରିବେ ନାହିଁ । ଏକଦା ରାଜନୀତିରେ ସକ୍ରିୟ ଥିବା ଏବଂ ଏବେ ଦଳୀୟ ରାଜନୀତିରୁ ନିଜକୁ ମୁକ୍ତ କରି ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ଜଡ଼ିତ ରଖିଥିବା ଭଉଣୀ ସୀମନ୍ତିନୀ ଜେନା ଏବେ ସ୍ତମ୍ଭ ସାହିତ୍ୟକୁ ନେଇ ଅ’ରୁ କ୍ଷ' ଶୀର୍ଷକରେ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲେ । ଦୀର୍ଘ ତିରିଶ ବର୍ଷ ଧରି ତାଙ୍କ ଦ୍ୱାରା ସଂଗୃହୀତ ନିଜ ପସନ୍ଦର ସ୍ତମ୍ଭ ରଚନାଗୁଡ଼ିକୁ ମଧ୍ୟ ସେ ପ୍ରଦର୍ଶନ କରିଥିଲେ ସଭାଗୃହରେ ।
ସମ୍ବାଦପତ୍ର ପାଇଁ ଉଦ୍ଦିଷ୍ଟ ରଚନାଗୁଡ଼ିକ ପାଣ୍ଡିତ୍ୟପୂର୍ଣ୍ଣ ନହୋଇ ସହଜ, ସରଳ ତଥା ସର୍ବସାଧାରଣ ପାଠକର ବୋଧଗମ୍ୟ ହେବା ଉଚିତ । ବିଷୟର କୌଣସି ପ୍ରକାର କଟକଣା ନଥିବାବେଳେ ଲେଖାଟିରେ ଶୃଙ୍ଖଳା, ଶୈଳୀ ଓ ଆବେଦନ ଉପରେ ଗୁରୁତ୍ୱ ଦେବା ସମୀଚୀନ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବା ଶକ୍ତିସ୍ତମ୍ଭ ଭାବରେ ବିବେଚିତ ହୁଏ ସମ୍ବାଦପତ୍ର । ଆଉ ସମ୍ବାଦପତ୍ରର ଶକ୍ତି ହେଉଛି ଏହାର ସ୍ତମ୍ଭ ଆଲେଖ୍ୟ । କୌଣସି ସାମାଜିକ, ରାଜନୈତିକ ଅବା ଅର୍ଥନୀତିକ ପ୍ରସଙ୍ଗରେ ଏକ ସମ୍ବାଦପତ୍ରର ନିଜସ୍ୱ ଆଭିମୁଖ୍ୟ, ଅଭିମତ ରହିପାରେ । ସେ ନିଜକୁ ପକ୍ଷଭୁକ୍ତ କରିପାରେ । ସ୍ତମ୍ଭକାରଙ୍କ ମତ ଏହାର ବିପରୀତ ହେଲେ ବି ସେ ମତକୁ ନିଜ ସମ୍ବାଦପତ୍ରରେ ସ୍ଥାନ ଦେବାରେ ହିଁ ସଂପୃକ୍ତ ସମ୍ପାଦକଙ୍କ ନିର୍ଭୀକତା ଓ ନିରପେକ୍ଷତାର ପ୍ରମାଣ ମିଳେ । ନିଜଦ୍ୱାରା ପ୍ରତିଷ୍ଠିତ ଦୈନିକ "ପ୍ରଜାତନ୍ତ୍ର'ରେ ଡ. ହରେକୃଷ୍ଣ ମହତାବ ଆରମ୍ଭ କରିଥିଲେ ଲୋକପ୍ରିୟ ସ୍ତମ୍ଭ "ଗାଁ ମଜଲିସ୍' ।
ସ୍ତମ୍ଭ ରଚନାର ସାହିତ୍ୟିକ ମାନ୍ୟତା ଉପରେ ପ୍ରଶ୍ନ ଉଠୁଛି ତ? ଜନ ଜୀବନର ବିବିଧ ସମସ୍ୟାକୁ ନେଇ ମହତାବଙ୍କ "ଗାଁ ମଜଲିସ୍' ସ୍ତମ୍ଭ ରଚନା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛି । ଏପରିକି ନୋବେଲ ସାହିତ୍ୟ ପୁରସ୍କାର ମଧ୍ୟ ୨୦୧୫ରେ ପ୍ରଦାନ କରାଯାଇଛି ବେଲାରୁଷର ଜଣେ ସ୍ତମ୍ଭକାର ଶ୍ୱେତଲିନା ଆଲେକଭିଚଙ୍କ ସମ୍ବାଦପତ୍ରରେ ନିଜର ରଚନା ପାଇଁ । ତେଣୁ ନିଜର ସ୍ତମ୍ଭକାରମାନଙ୍କୁ ଏକାଠି କରି ସେମାନଙ୍କ ସହିତ ବିଚାର ବିନିମୟ ତଥା ଭାବର ଆଦାନପ୍ରଦାନ କରିବାର "ପ୍ରମେୟ' କାର୍ଯ୍ୟକ୍ରମ ଏହି ଲେଖକ ପାଇଁ ଥିଲା ଏକ ଆନନ୍ଦଦାୟକ ତଥା ଉତ୍ସାହପ୍ରଦ ଅନୁଭୂତି । ଲେଖକ-ପାଠକ-ସମ୍ପାଦକ-ପ୍ରକାଶକଙ୍କ ମଧ୍ୟରେ ଏହିପରି ଆଳାପ ଆଲୋଚନା ଚାଲୁ । ପରସ୍ପର ମଧ୍ୟରେ ବିବିଧ ପ୍ରସଙ୍ଗକୁ ନେଇ ତର୍କବିତର୍କ ହେଉ । ଏହି ଧାରା ସାହିତ୍ୟ କ୍ଷେତ୍ର ତଥା ବନ୍ଧୁତାର ପରିସରକୁ ଅଧିକ ପ୍ରସାରିତ କରିବ ।