ଲକ୍ଷ୍ନୌ, ୧୩।୫: ଉତ୍ତରପ୍ରଦେଶର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାର ତଥା ଯାଦବ ପରିବାରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କ ସାନ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କର ବୁଧବାର ଭୋର ସମୟରେ ନିଧନ ହୋଇଛି । ସୂଚନା ଅନୁଯାୟୀ, ପ୍ରାୟ ସକାଳ ୫ଟା ୪୫ ମିନିଟ୍ ସମୟରେ ଲକ୍ଷ୍ନୌର ଏକ ବେସରକାରୀ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବ୍ୟବସାୟରେ ରଚିଥିଲେ ନିଜର ସ୍ୱତନ୍ତ୍ର ପରିଚୟ:
ଯାଦବ ପରିବାରର ପ୍ରାୟ ସମସ୍ତ ସଦସ୍ୟ ରାଜନୀତିର ଶୀର୍ଷ ପଦପଦବୀରେ ଥିବାବେଳେ, ପ୍ରତୀକ ଯାଦବ ନିଜକୁ ସର୍ବଦା କ୍ଷମତାର ଗଳିରୁ ଦୂରେଇ ରଖିଥିଲେ । ମୁଲାୟମ ସିଂ ଯାଦବ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଜଣେ ସଫଳ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପରିବାରର ଲୋକପ୍ରିୟତାକୁ ନୁହେଁ ବରଂ ନିଜର ପରିଶ୍ରମ ବଳରେ ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇପାରିଥିଲେ ।
ଫିଟନେସ୍ ଏବଂ ରିଅଲ୍ ଇଷ୍ଟେଟ୍ ଦୁନିଆର ବାଦଶାହ:
ପ୍ରତୀକଙ୍କୁ ପିଲାଦିନରୁ ବଡି ବିଲଡିଂ ଏବଂ ଫିଟନେସ୍ ପ୍ରତି ଗଭୀର ଆଗ୍ରହ ଥିଲା । ନିଜର ଏହି ସଉକକୁ ସେ ପରେ ନିଜର ବୃତ୍ତିରେ ପରିଣତ କରିଥିଲେ । ୨୦୧୫ ମସିହାରେ ସେ ଲକ୍ଷ୍ନୌରେ ଏହି ହାଇ-ଏଣ୍ଡ୍ ଜିମ୍ ବ୍ୟବସାୟ ଆରମ୍ଭ କରିଥିଲେ । ନିଜର ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ବିଶ୍ୱସ୍ତରୀୟ ସୁବିଧା ପାଇଁ ଏହା ଖୁବ୍ ଶୀଘ୍ର ପ୍ରିମିୟମ୍ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ଫିଟନେସ୍ ବ୍ୟତୀତ ସେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ଏବଂ ଅନେକ ବଡ଼ ପ୍ରୋଜେକ୍ଟ ସଫଳତାର ସହ ଶେଷ କରିଥିଲେ । କେବଳ ବ୍ୟବସାୟ ନୁହେଁ, ବରଂ ଜଣେ ମାନବପ୍ରେମୀ ଏବଂ ପଶୁପ୍ରେମୀ ଭାବେ ମଧ୍ୟ ପ୍ରତୀକଙ୍କର ଏକ ସ୍ୱତନ୍ତ୍ର ସତ୍ତା ଥିଲା । ସେ 'ଜୀବ ଆଶ୍ରୟ' ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଚଳାଉଥିଲେ । ଏହି ସଂସ୍ଥା ମାଧ୍ୟମରେ ସେ ବୁଲା କୁକୁର ଏବଂ ଅସହାୟ ଗାଈଗୋରୁଙ୍କ ସେବା, ଚିକିତ୍ସା ତଥା ଥଇଥାନ କାର୍ଯ୍ୟ କରୁଥିଲେ । ପଶୁମାନଙ୍କ ପ୍ରତି ତାଙ୍କର ଏହି ଭଲପାଇବା ସୋସିଆଲ ମିଡିଆରେ ମଧ୍ୟ ପ୍ରତିଫଳିତ ହେଉଥିଲା ।
ସୌଖିନ୍ ଜୀବନଶୈଳୀ ଓ ଲମ୍ବୋରଗିନିର କ୍ରେଜ୍:
ପ୍ରତୀକ ଯାଦବ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଦାମୀ ଗାଡ଼ିର ସଉକ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ତାଙ୍କ ପାଖରେ ବିଶ୍ୱର ସବୁଠାରୁ ମହଙ୍ଗା ଗାଡ଼ି ମଧ୍ୟରୁ ଅନ୍ୟତମ 'ଲେମ୍ବୋରଗିନି' ରହିଥିଲା, ଯାହାକୁ ନେଇ ସେ ବେଶ୍ ପରିଚିତ ଥିଲେ । ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ଜଣେ ଜଣାଶୁଣା ବିଜେପି ନେତ୍ରୀ ହୋଇଥିବା ବେଳେ, ପ୍ରତୀକ ସବୁବେଳେ ପରଦା ପଛରେ ରହି ନିଜ କାମକୁ ଅଧିକ ଗୁରୁତ୍ୱ ଦେଉଥିଲେ । ପ୍ରତୀକ ଯାଦବଙ୍କର ଏହି ଅକାଳ ବିୟୋଗ ଯାଦବ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମାଜବାଦୀ ପାର୍ଟିର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ... ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ; ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ