ଉମେଶ ପାଲ୍ ହତ୍ୟା ମାମଲା: ଜେଲ୍ରେ ଗ୍ୟାଙ୍ଗ୍ଷ୍ଟର୍ ଅତିକ୍, ଆଜି ରାୟ ଶୁଣାଣି

ନୂଆଦିଲ୍ଲୀ ୨୮/୦୩: ଉମେଶ ପାଲ୍ ହତ୍ୟା ମାମଲାର ଅଭିଯୁକ୍ତ ଗ୍ୟାଙ୍ଗ୍ଷ୍ଟର୍ ଅତିକ୍ ଅହମ୍ମଦ ସୋମବାର ସନ୍ଧ୍ୟାରେ ପ୍ରୟାଗରାଜର ନୈନି ଜେଲରେ ପହଞ୍ଚିଛି । ଏହି ଜେଲରେ ତା’ର ପୁଅ ବି ବନ୍ଦୀ ଅଛି । ଅତିକ୍କୁ ଉମେଶ ପାଲ୍ ଅପହରଣ ମାମଲାରେ ମଙ୍ଗଳବାର ୟୁପିସ୍ଥିତ ପ୍ରୟାଗରାଜର ସ୍ପତନ୍ତ୍ର ଏମ୍ପି/ଏମ୍ଏଲ୍ଏ କୋର୍ଟରେ ହାଜର କରାଯିବ । କୋର୍ଟ ରାୟ ପ୍ରକାଶ କରିବେ ।
ରବିବାର ୟୁପି ସ୍ୱତନ୍ତ୍ର ଟାସ୍କଫୋର୍ସ ଅଧିକାରୀ ଏବଂ ୩୦ ପୁଲିସ କର୍ମୀ ତାକୁ ଅହମ୍ମଦାବାଦରୁ ଆଣି ୟୁପି ଅଭିମୁଖେ ବାହାରିଥିଲେ । ପ୍ରାୟ ୧,୩୦୦ କିଲୋମିଟର ଯାତ୍ରା ପାଇଁ ୨୪ ଘଣ୍ଟା ଲାଗିଥିଲା । ଅତିକ୍ ପହଞ୍ଚିବା ପୂର୍ବରୁ ନୈନି ଜେଲ୍ର ସୁରକ୍ଷା ବଢ଼ାଯାଇଛି । ତା’ ପାଇଁ ଜେଲ୍ ଭିତରେ ଏକ ହାଇ ସିକ୍ୟୁରିଟି ବ୍ୟାରାକ୍ ତିଆରି କରାଯିବା ସହ ୧୬ ସିସିଟିଭି କ୍ୟାମେରା ଲଗାଯାଇଛି । ଅତିକ୍ ସହିତ ତା’ର ଭାଇ ଅଶରଫକୁ ମଧ୍ୟ ଏଠାକୁ ଅଣାଯାଇଛି । ଉଭୟଙ୍କୁ ଆଣିବା ପୂର୍ବରୁ ଜେଲରେ ବନ୍ଦ ଥିବା ଅତିକ୍ର ପୁତ୍ର ଅଲ୍ଲୀ ଅହମ୍ମଦର ବ୍ୟାରାକ୍ ପରିବର୍ତ୍ତନ କରାଯାଇଛି । ଅତିକ୍ ଓ ଅଶରଫକୁ ପୃଥକ୍ ବ୍ୟାରାକ୍ରେ ରଖାଯାଇଛି । ସେମାନଙ୍କ ସହ କେହି ଯେମିତି ଦେଖା କରି ନ ପାରନ୍ତି, ସେଥିପାଇଁ ଜେଲ ପ୍ରଶାସନ ଉଦ୍ୟମ ଚଳାଇଛି ।
୨୦୦୬ରେ ଅତିକ୍ ଗନ୍ ପଏଣ୍ଟରେ ଉମେଶ୍ ପାଲ୍ଙ୍କୁ ଅପହରଣ କରିନେଇଥିଲା । ୨୦୦୭ରେ ଅତିକ୍ ଓ ତା’ ଭାଇ ଅଶରଫ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପ୍ରୟାଗରାଜର ସ୍ୱତନ୍ତ୍ର ଏମ୍ପି/ଏମ୍ଏଲ୍ଏ କୋର୍ଟ ଆସନ୍ତାକାଲି (ମଙ୍ଗଳବାର) ନିଜ ରାୟ ଶୁଣାଇବେ ।