ଉମରକୋଟ,୦୧/୦୯: ଆଶା କର୍ମୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ଆଶା କର୍ମୀ ସଙ୍ଘ ଓ ଜିଲ୍ଲା ମଜୁଦୁର ସଙ୍ଘ ଆନ୍ଦୋଳନ କରି ରାସ୍ତାରୋକ୍ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଆଶାକର୍ମୀ ଜଣକ ହେଲେ ଉମରକୋଟ୍ ବ୍ଲକ୍ ସେମଳା ପଞ୍ଚାୟତ ବଡ ବାସିନ୍ଦା ଗ୍ରାମର ଦୈମତି ଭତରା (୨୮ ବର୍ଷ)।

ସୂଚନା ମୁତାବକ, ରବିବାର ଦୈମତିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଅପରାହ୍ଣରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଉପକଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଘଣ୍ଟା ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିଲା। ନବରଙ୍ଗପୁର ଯିବା ସମୟରେ ରାସ୍ତାରେ ଦୈମତିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଆଶା କର୍ମୀଙ୍କ ପରିବାର ଏବଂ ଗ୍ରାମବାସୀ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଚିକିତ୍ସକଙ୍କୁ ଦାୟୀ କରିଛନ୍ତି । ଚିକିତ୍ସିକଙ୍କ ଅବହେଳା ଯୋଗୁଁ ଆଶା କର୍ମୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଉମରକୋଟ ଡିଏନକେ ମେଡିକାଲ ଛକ ଠାରେ ଆଶା କର୍ମୀଙ୍କ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ । ଯାହା ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି ।