ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କୁ ବିଏମ୍ସି, ବିଡିଏ ଦାୟିତ୍ୱ

ଭୁବନେଶ୍ୱର,୨୧ ।୬(ବ୍ୟୁରୋ): ଆଗକୁ ସମ୍ମାନଜନକ ବିଏମ୍ସି ନିର୍ବାଚନ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସରକାର ଆକସ୍ମିକ ଭାବେ ବିଏମ୍ସି କମିଶନର ବଦଳାଇଛନ୍ତି । ଗତ ୫ ମାସ ତଳେ ବିଏମ୍ସିର ନୂଆ କମିଶନର ନିଯୁକ୍ତ ହୋଇଥିଲେ । କିନ୍ତୁ ଏଥିରେ ପୁଣି ଥରେ ଅଦଳବଦଳ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କୁ ବିଏମ୍ସି କମିଶନର ଦାୟିତ୍ୱ ମିଳିଛି ।
ଖାଲି ବିଏମ୍ସି ନୁହେଁ ରାଜଧାନୀର ଆଉ ଦୁଇଟ ବଡ଼ ଦାୟିତ୍ୱ ବି ତାଙ୍କୁ ମିଳିଛି । ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ଲିଃ(ବିଏସ୍ସିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚୌକିରେ ବି ପ୍ରେମ୍ ଚନ୍ଦ୍ର ବସିବେ । କହିବାକୁ ଗଲେ ରାଜଧାନୀର ସବୁ ପ୍ରଶାସନିକ କ୍ଷମତା ତାଙ୍କ ହାତମୁଠାରେ ରହିବେ । ସେ ହିଁ ଭୁବନେଶ୍ୱରର ମଙ୍ଗ ଧରିବେ ।
ଦୀର୍ଘ ଦିନ ଧରି ଡା. କ୍ରିଷନ କୁମାରଙ୍କ ହାତରେ ଏହି ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିଲା । ସେ ବି ସଫଳତାର ସହ ଏହାକୁ ତୁଲାଇଥିଲେ । କିନ୍ତୁ ତା ପରେ ବିଏମ୍ସି ଓ ବିଡିଏରେ ଅଦଳବଦଳ କରାଯାଇଛି । କିନ୍ତୁ ଜଣଙ୍କୁ ଏହାର ଦାୟିତ୍ୱ ଦିଆଯାଇନଥିଲା । କିନ୍ତୁ ଏବେ କ୍ରିଷନ କୁମାରଙ୍କ ଭଳି ପ୍ରେମ୍ ଚନ୍ଦ୍ରଙ୍କ ଉପରେ ପୁଣି ଥରେ ସରକାର ଭରସା କରିଛନ୍ତି । ୨୦୧୦ ବ୍ୟାଚ୍ର ଆଇଏଏସ ପ୍ରେମ୍ ଚନ୍ଦ୍ର ପୂର୍ବରୁ ମଧ୍ୟ ଗଞ୍ଜାମର ଜିଲ୍ଲାପାଳ ଥିଲେ । ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭବେ ଜଣାଶୁଣା ।
ଏହି ନୂଆ ଦାୟିତ୍ୱ ପରେ ପରେ ପ୍ରେମ୍ ଚନ୍ଦ୍ରଙ୍କ ଆଗରେ ଅନେକ ଚାଲେଞ୍ଜ ସୃଷ୍ଟି ହୋଇଛି । ବିଶେଷ କରି ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଜଳ ନିଷ୍କାସନ ତାଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ । ଗତ ବର୍ଷ ଜଳବନ୍ଦୀ ଯନ୍ତ୍ରଣାରେ ରାଜଧାନୀବାସୀ ଛଟପଟ ହୋଇଛନ୍ତି । ମାତ୍ର କିଛି ସମୟର ବର୍ଷାରେ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଥିଲା । ଲୋକେ କୃତ୍ରିମ ବନ୍ୟାରେ ଜଳ ବନ୍ଦୀ ହୋଇ ରହିଥିଲେ । ଜନଜୀବନ କ୍ଷୟକ୍ଷତି ହୋଇଥିଲା । ବର୍ଷେ ପରେ ବି ଏଥର ବର୍ଷା ଜଳ ନିଷ୍କାସନ ପାଇଁ ଠୋସ୍ ପଦକ୍ଷେପ ନିଆଯାଇନି ।
ନୂଆ ଡ୍ରେନେଜ୍ ପ୍ରକଳ୍ପ କେବଳ ପ୍ରସ୍ତାବ ଓ ଯୋଜନାରେ ସୀମିତ ରହିଯାଇଛି । ଡ୍ରେନ୍ ସଫେଇ ହୋଇଛି ବୋଲି ବିଏମ୍ସି ଦାବି କରୁଥିଲେ ବି ତା, କେବଳ ତରବରିଆ ଭାବେ ହୋଇଛି । ଏଣୁ ବର୍ଷା ଜଳ ନିଷ୍କାସନ ନୂଆ କମିଶନରଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ପାଲଟିବ । ଧିମେଇ ଯାଇଥିବା ସ୍ମାର୍ଟ ସିଟି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା ମଧ୍ୟ ତାଙ୍କ ଆଗରେ ଆଉ ଏକ ଚାଲେଞ୍ଜ ।