ମୁମ୍ବାଇ,୨୦/୧୧: ବହୁମୁଖୀ ପ୍ରତିଭାର ଅଧିକାରୀ ପ୍ରେମନାଥ ମଲହୋତ୍ରା । ହିନ୍ଦୀ ସିନେମାରେ ତାଙ୍କର ଅଭିନୟ ଥିଲା ଜୀବନ୍ତ । ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ପ୍ରେମନାଥ ଆନନ୍ଦ ଦିନେ ହିରୋ ହେବା ସ୍ବପ୍ନ ନେଇ ମୟାନଗରୀକୁ ଆସିଥିଲେ । ହେଲେ ଖଳନାୟକ ହୋଇଯାଇଥିଲେ । ଆଉ ସେହି ଚରିତ୍ରରେ ସେ ଏମିତି ଫିଟ୍ ହୋଇଯାଇଥିଲେ ଯେ ତାଙ୍କୁ କେହି ଟକ୍କର ଦେଇପାରି ନଥିଲେ । ହିନ୍ଦୀ ସିନେମାଠୁ ନେଇ ହଲିଉଡ ଫିଲ୍ମରେ ପାଦ ଥାପିଥିଲେ ପ୍ରେମନାଥ ମଲହୋତ୍ରା । ତାଙ୍କ ବ୍ୟକ୍ତିତ୍ବ ଏପରି ଥିଲା ଯେ ଅଭିନେତ୍ରୀ ମଧୁବାଳା ବି ତାଙ୍କ ପ୍ରେମରେ ପଡିଥିଲେ । ଆସନ୍ତୁ ଜାଣିବା ଏହି ମହାନ ଅଭିନେତାଙ୍କ ବିଷୟରେ କିଛି ଅଜଣା କଥା ।
ଆର୍ମି ଛାଡି ମୟାନଗରୀ ଆସିଥିଲେ ପ୍ରେମନାଥ- ୧୯୨୬ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ପ୍ରେମନାଥ । ବିଭାଜନ ସମୟରେ ପ୍ରେମନାଥଙ୍କ ପରିବାର ଭାରତର ମଧ୍ୟପ୍ରଦେଶର ଜବଲପୁର ରହିଥିଲେ । ପିଲାଟି ଦିନରୁ ଅଭିନୟ ପ୍ରତି ପ୍ରେମନାଥଙ୍କ ଦୁର୍ବଳତା ଥିଲା । ଅଭିନୟକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ ସେ । ତାଙ୍କ ବାପା ଜଣେ ପୋଲିସ ଅଧିକାରୀ ଥିଲେ । ସେ ଚାହୁଁଥିଲେ ତାଙ୍କ ପୁଅ ଦେଶ ସେବା କରୁ । ତେଣୁ ସେ ତାଙ୍କୁ ଆର୍ମିରେ ଭର୍ତ୍ତି କରିଥିଲେ । ହେଲେ ଅଭିନୟ ନିଶା ଏତେ ଥିଲା ଯେ ଆର୍ମି ଛାଡି ମୟାନଗରୀ ଆସିଥିଲେ ପ୍ରେମନାଥ।
ସୁଟିଂ ସେଟରୁ ପ୍ରେମରେ ପଡିଥିଲେ ପ୍ରେମନାଥ- ୧୯୫୩ରେ ଫିଲ୍ମ 'ଔରତ'ର ସୁଟିଂ ବେଳେ ତାଙ୍କୁ ପ୍ରେମ ହୋଇଥିଲା। ଅଭିନେତ୍ରୀ ବିଣା ରାୟଙ୍କୁ ମନ ଦେଇ ବସିଥିଲେ ପ୍ରେମ ନାଥ । ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିଛି ଦିନ ଫିଲ୍ମରୁ ବ୍ରେକ ନେଇଥିଲେ ପ୍ରେମନାଥ । ମାତ୍ର କିଛି ବର୍ଷ ପରେ ଜବରଦସ୍ତ କମବ୍ୟାକ କରିଥିଲେ । ଖଳନାୟକ ଭୂମିକାରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଏହାପରେ ଆଉ ପଛକୁ ଫେରି ଥିଲେ ପ୍ରେମନାଥ ।
ଖାଲି ସେତିକି ନୁହେଁ ହିରୋଙ୍କଠୁ ତାଙ୍କ ହାତକୁ ଅଧିକ ଫିଲ୍ମ ମିଳୁଥିଲା । ଏହା ସହିତ ସେ ନିଜର ପ୍ରଡକ୍ସନ ହାଉସ ବନାଇଥିଲେ । ଅନେକ ଫିଲ୍ମ ତିଆରି କରିଛନ୍ତି । ୧୯୭୫ରେ ଆସିଥିବା ଫିଲ୍ମ ଧର୍ମାତ୍ମାରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ଥିଲା । କାଳି ଚରଣ, ସନ୍ୟାସୀ, ସଗାଇ, ବାଦଲ, ଧର୍ମ-କର୍ମ, ଧନଦୌଲତ ଭଳି ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୧୯୮୫ରେ ଆସିଥିବା ଫିଲ୍ମ 'ହମ ଦୋନୋ' ତାଙ୍କର ଶେଷ ଫିଲ୍ମ ଥିଲା । ୧୯୯୨ ନଭେମ୍ବର ୩ ତାରିଖରେ ଏହି ମହାନ ଅଭିନେତାଙ୍କୁ ହରାଇଥିଲା ବଲିଉଡ । ପ୍ରେମନାଥ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କ ଅଭିନୀତ ଫିଲ୍ମ ଆଜି ବି ଦର୍ଶକଙ୍କ ହୃଦୟରେ ରହିଛି ।