ନୂଆଦିଲ୍ଲୀ: ବୃନ୍ଦାବନର ବହୁ ଲୋକପ୍ରିୟ ସାଧୁ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ମିଳିଛି । ଜଣେ ଯୁବକ ସୋସିଆଲ ମିଡିଆ ଫେସବୁକରେ ତାଙ୍କୁ ଧମକ ଦେଇଛି । ଏହି ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଅଭିଯୁକ୍ତ ଜଣକ କହିଛି ଯେ, 'ଯଦି ସେ ମୋ ଘର ବିଷୟରେ କହିଥାନ୍ତେ, ତେବେ ମୁଁ ତାଙ୍କ ଗଳା କାଟି ଦେଇଥାନ୍ତି । ତେବେ ମହିଳାଙ୍କୁ ନେଇ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ପ୍ରେମାନନ୍ଦ ମହାରାଜ । ସେ ଯୁବକମାନଙ୍କୁ ଏକ ନୈତିକ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ସମାଜରେ ବଢ଼ୁଥିବା ପ୍ରେମିକ-ପ୍ରେମିକା ସଂସ୍କୃତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହାକୁ ସେ ସମାଜ ପାଇଁ କ୍ଷତିକାରକ ବୋଲି କହିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି ।
ପ୍ରେମାନନ୍ଦ ମହାରାଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଏହାକୁ ନେଇ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଭିଡିଓ ସମ୍ପର୍କରେ ଅଭିଯୁକ୍ତ ଯୁବକ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଅଭିଯୁକ୍ତ କହିଛି ଯେ, ‘ପ୍ରେମାନନ୍ଦ ମହାରାଜ ସମଗ୍ର ସମାଜକୁ ନେଇ କହିଛନ୍ତି । ଯଦି ସେ ମୋ ଘର ବିଷୟରେ କହିଥାନ୍ତେ, ତେବେ ମୁଁ ତାଙ୍କର ଗଳା କାଟି ଦେଇଥାନ୍ତି।’ ପ୍ରେମାନନ୍ଦ ମହାରାଜଙ୍କୁ ଧମକ ମିଳିବା ପରେ ହିନ୍ଦୁ ସଂଗଠନ ଏବଂ ସନ୍ଥମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।
ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ସଭାପତି ଦିନେଶ ଫଲାରି ବାବା କହିଛନ୍ତି ଯେ, ଯଦି କେହି ପ୍ରେମାନନ୍ଦ ବାବାଙ୍କ ଆଡ଼କୁ ଆଖି ଉଠାଇ ଚାହିଁବେ, ତେବେ ଆମେ ଏହାକୁ ସହ୍ୟ କରିବୁ ନାହିଁ । ଆମେ ଯେକୌଣସି ଅପରାଧୀର ଗୁଳି ଆମ ଛାତିରେ ନେବାକୁ ପ୍ରସ୍ତୁତ । ସେ ଦାବି କରିଛନ୍ତି ଯେ, ସରକାର ଏପରି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମହନ୍ତ ରାମଦାସ ଜୀ କହିଛନ୍ତି ଯେ, ଗାଈ, ଝିଅ ଏବଂ ସନ୍ଥମାନଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରେମାନନ୍ଦ ବାବାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ସନ୍ଥ ସମାଜ ଛଡ଼ିବ ନାହିଁ ।