ଭୁବନେଶ୍ୱର, ୦୪/୧୨ : ପିଆଦାର କଣ୍ଠରୁ ମୁଦଲା ହାଜିର ହୋ ଶବ୍ଦ ଆଉ ଶୁଭିବନି । ମୋହରିର ଏଠିସେଠି ହରବର ହେବେନି । ଆଇନ୍‌ଜୀବୀ ବି ସୁସଗଂଠିତ ହୋଇ ବସିବେ । ରାଜଧାନୀ କୋର୍ଟ ଚେହେରା ୫ ତାରିଖରୁ ବଦଳିଯିବ । ଇଲେକ୍ଟ୍ରୋନିକ୍ସ ବୋର୍ଡରେ କେସ ନମ୍ବର, ନୋଟିସ୍‌ ସହ ମୁଦେଇ ଓ ମୁଦଲାଙ୍କ ନାଁ ଜଣାପଡ଼ିବ । ଯାହାର ପାଳି ପଡିବ ସେ କୋର୍ଟ ଭିତରକୁ ପଶିବ । କ୍ରମିକ ନମ୍ବରରେ ଚାଲିବ ର୍କୋଟ । ସୁପ୍ରିମକୋର୍ଟ ଭିଳି ରାଜଧାନୀରେ ଏପରି ଅତ୍ୟାଧୁନିକ କୋର୍ଟ ପରିଚାଳନା ହେବ । ଏହି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଜୁଡିସିଆଲ କୋର୍ଟ କମ୍ପେ୍ଲକ୍ସକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ତାରିଖରେ ଉଦ୍‌ଘାଟନ କରିବେ । 

ଅତ୍ୟାଧୁନିକ ଇଞ୍ଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ ଏହି ବିଲ୍ଡିଂରେ ୪ଟି କରିଡର ରହିଛି । ୬ ମହଲା ବିଶିଷ୍ଠ ମୁଖ୍ୟ ବିଲ୍ଡିଂରେ ୫୬ଟି ଅଦାଲତ ପ୍ରକୋଷ୍ଠ ସହ ରେକର୍ଡ ରୁମ୍‌, ପାଠାଗାର ଓ ସମ୍ମିଳନୀ କକ୍ଷ ନିର୍ମାଣ ହୋଇଛି । ତା ପାଖକୁ ଲାଗି ୪ ତାଲା କୋଠାରେ ଆଇନଜୀବୀ, ମୋହରିର୍‌ ଖାନା, ନୋଟାରୀମାନଙ୍କ ସ୍ୱତନ୍ତ୍ର କୋଠରୀ, ସଂଘ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖାଯାଇଛି । ଏହା ସହ କୋଠାରେ ପାଠାଗାର, ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ବେବି ଫିଡ୍‌ ରୁମ, ପିଲାଙ୍କ ଖେଳିବା ପାଇଁ ସ୍ୱତନ୍ତ୍ର ଜାଗା ରହିଛି । ବିଲ୍ଡିଂଟି ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ସେହିପରି ବୈଠକ ପାଇଁ ସ୍ୱତନ୍ତ୍ର କନଫରେନ୍ସ ରୁମ ମଧ୍ୟ ନିର୍ମାଣ କରାଯାଇଛି । ପୁରୁଣା କୋର୍ଟ ବିଲ୍ଲିଂ ସହିତ ଏକ ସ୍ୱତନ୍ତ୍ର କରିଡର୍‌ ଯୋଗେ ସଂଯୋଗ କରାଯାଇଛି । ମୁଖ୍ୟ ବିଲ୍ଡିଂ ପଛକୁ ୨ ମହଲା ବିଶିଷ୍ଟ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି । ଏଥିରେ ଏକାବେଳ ୨ ହଜାର ଗାଡି ପାର୍କିଂ ହୋଇ ପାରିବ । 

ପୂର୍ବରୁ କଳ୍ପନା ଛକରୁ ଲୁଇସ୍‌ ରୋଡରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଥିଲା । ଏହି ପାର୍କିଂ ଖୋଲିବା ପରେ ଏହି ସମସ୍ୟା ହଟିବ । ଏଜୁକେସନ, ଇଣ୍ଡଷ୍ଟ୍ରିଆଲ, ଲେବର ଟ୍ରିବ୍ୟୁନାଲ ଏହି ଅତ୍ୟାଧୁନିକ କୋର୍ଟ ଭିତରେ ରହିବ । ଭୁବନେଶ୍ୱର ଓକିଲ ସଂଘ ସଭାପତି କୁନ୍ଦନ ରଥ କହିଛନ୍ତି, ରାଷ୍ଟ୍ରପତିଙ୍କ ଉଦ୍‌ଘାଟନକୁ ନେଇ ଆମେ ଉତ୍ସାହିତ ଅଛୁ । ଗତଥର ଦାନା ବାତ୍ୟା ଯୋଗୁ ଉଦ୍‌ଘାଟନ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ଏଥର ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଓ ହାଇକୋର୍ଟ (ଆଡମିନିଷ୍ଟ୍ରେଟିଭ୍‌) ଜଷ୍ଟିସ୍‌ ସଙ୍ଗମ ସାହୁ ଅତିଥି ଭାବେ ମଞ୍ଚାସୀନ ହେବେ । ହାଇକୋର୍ଟର ଅନ୍ୟ ୧୭ଜଣ ଜଜ୍‌ ସମାରୋହରେ ଉପସ୍ଥିତ ରହିବେ । 

ସେହିପରି ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେ ରାଜ୍ୟରେ ଏପରି ଆଉ ୫ଟି ଅତ୍ୟାଧୁନିକ କୋର୍ଟ କମ୍ପେ୍ଲକ୍ସ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବ । ସୂଚନାଯୋଗ୍ୟ, ୨୦୧୨ ମସିହାରେ ଜୁଡିସିଆଲ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ୨୦୧୭-୧୮ ମସିହାରେ ମାପଚୁପ ଚାଲିଥିଲା । ପୁରୁଣା ବିଲ୍ଡିଂକୁ ଭଙ୍ଗାଯାଇଥିଲା । ଗତ ଜୁନ୍‌ ୨୫ ତାରିଖରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ୪୬ ହଜାର ବର୍ଗଫୁଟରେ ନିର୍ମାଣଧୀନ ଏହି ଜୁଡିସିଆଲ୍‌ କମ୍ପେ୍ଲକ୍ସର ସ୍ଥିତି ଅନୁଧ୍ୟାନ କରିଥିଲେ । ଜୁଲାଇ ୩୦ରେ ଉଚ୍ଚ ନ୍ୟାୟଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଚରଣ ସିଂହ ମଧ୍ୟ ସୌଧ ପରିଦର୍ଶନ କରିଥିଲେ ।