ମୁମ୍ୱାଇ,,୩୦/୦୫:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ଷ ବର୍ଷ ଧରି ନିଜର ଏଭଳି ଛବି ବିଶ୍ୱ ସାମ୍ନାରେ ରଖିଛନ୍ତି, ଯାହା ମୃତ୍ୟୁକୁ ମାତ୍‌ ଦେଇଥିବା ଦେଖାଯାଏ । କେତେବେଳେ ଖାଲି ଦେହରେ ସେ ଘୋଡ଼ା ସବାରି କରିଛନ୍ତି, କେତେବେଳେ ଆଇସ୍‌ ହକି ଖେଳିଛନ୍ତି । ସର୍ବଦା ନିଜର ଶାରୀରିକ କ୍ଷମତାକୁ ରାଜନୈତିକ ଶକ୍ତିର ପ୍ରତୀକ ରୂପେ ଦର୍ଶାଇଛନ୍ତି । କିନ୍ତୁ ତାଙ୍କ ଶକ୍ତି ଓ ଫୁର୍ତ୍ତି ପଛରେ ଏକ ଗମ୍ଭୀର ପାଗଳାମି ଲୁଚି ରହିଛି, ଯାହା ରୁଷର ସରକାରୀ ନୀତିକୁ ନୂଆ ଆକାର ଦେଉଛି । ତାହା ହେଉଛି ଦୀର୍ଘାୟୁ ହେବାର ଇଚ୍ଛା । 

ଏହି ଅଭିଳାଷର ସଦ୍ୟ ସଙ୍କେତ କ୍ରେମଲିନ୍‌ ସମର୍ଥିତ ଏକ ବୈଜ୍ଞାନିକ ଅଭିଯାନ ରୂପରେ ସାମ୍ନାକୁ ଆସିଛି । ଏଥିରେ ଜିନ୍‌ ଥେରାପି, ଅଙ୍ଗମାନଙ୍କର ପ୍ରିଣ୍ଟିଂ, ଘୁଷୁରି (ମିନି-ପିଗ୍‌)ଶରୀରରେ ମାନବ ଅଙ୍ଗ ବିକାଶ ଏବଂ ଅତ୍ୟନ୍ତ କମ୍‌ ତାପମାତ୍ରାଯୁକ୍ତ କ୍ରାୟୋଥେରାପି ମଧ୍ୟ ସାମିଲ । ଏ ସବୁ ରୁଷର ‘ନ୍ୟୁ ହେଲ୍‌ଥ ପ୍ରିଜର୍ଭେସନ ଟେକ୍ନୋଲୋଜିସ୍‌’ ନାମକ ୨୬ ଅରବ ଡଲାରର ଏକ ବ୍ୟାପକ ସରକାରୀ ଯୋଜନାରେ କରାଯାଉଛି । ଏହି କାର୍ଯ୍ୟକ୍ରମ ପରେ ଚର୍ଚ୍ଚା ଜୋର ଧରିଛି, ୭୩ ବର୍ଷୀୟ ପୁଟିନ ବୋଧହୁଏ ବୟସ-ରୋଧୀ ବିଜ୍ଞାନକୁ କେବଳ ଫିଟ୍‌ ଓ ସୁସ୍ଥ ରହିବା ପାଇଁ ନୁହେଁ, ବରଂ ଲମ୍ବା ସମୟ ଯାଏ କ୍ଷମତାରେ ରହିବାର ଶୈଳୀ ରୂପେ ଦେଖୁଛନ୍ତି ।

ଦ ୱାଲ ଷ୍ଟ୍ରିଟ୍‌ ଜର୍ନାଲର ରିପୋର୍ଟ ଅନୁସାରେ, ଗତ ବର୍ଷ ବେଜିଂରେ ସୈନ୍ୟ ପରେଡ୍‌ ସମୟରେ ପୁଟିନ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସାକ୍ଷାତ ବେଳର ଏକ ବାର୍ତ୍ତାଳାପ ରେକର୍ଡ ହୋଇଥିଲା । ଏଥିରେ ମଣିଷକୁ ଦୀର୍ଘାୟୁ କରିବା ନେଇ ପୁଟିନଙ୍କ ରୁଚି ସାମ୍ନାକୁ ଆସିଥିଲା । ସେ କହିଥିଲେ, ମଣିଷ ନିଜର ଅଙ୍ଗ ବଦଳାଇ ଅମରତ୍ୱ ହାସଲ କରିପାରେ । ପ୍ରଥମେ ଅନେକ ଏହାକୁ ଅଣଦେଖା କରିଥିଲେ । ପୁଟିନ ଓ ଜିନ୍‌ପିଙ୍ଗ ହାରାହାରି ସମବୟସ୍କ । ରୁଷର ନୂଆ ପ୍ରୋଜେକ୍ଟ ଦୃଷ୍ଟିରୁ ଏହି ବାର୍ତ୍ତାଳାପକୁ ଯଦି ଦେଖାଯାଏ, ତେବେ ପୁଟିନ ମଜାରେ ନୁହେଁ ବରଂ ଗମ୍ଭୀରତାର ସହ ଏ କଥା କହୁଥିଲେ । ଗତ ମାସ ରୁଷ ସରକାର ଘୋଷଣା କରିଥିଲେ, ବୈଜ୍ଞାନିକମାନେ କୋଷିକାଗୁଡ଼ିକର ବୟସ ବୃଦ୍ଧି ପ୍ରକ୍ରିୟାକୁ ଧୀମା କରୁଥିବା ଜିନ୍‌ ଥେରାପି ଔଷଧ ବିକାଶରେ ବ୍ୟସ୍ତ ଅଛନ୍ତି । ଏହି ପ୍ରୋଜେକ୍ଟ ମଧ୍ୟ ରୁଷର ଦୀର୍ଘାୟୁ ମିଶନର ଅଂଶ । 

ଏହି ପ୍ରୋଜେକ୍ଟର ଆଉ ଏକ ବଡ଼ ଦିଗ ପ୍ରୟୋଗଶାଳାରେ ପ୍ରତିରୋପଣଯୋଗ୍ୟ ମାନବ ଅଙ୍ଗ ପ୍ରସ୍ତୁତି, ଯାହା ବିଷୟରେ ପୁଟିନ ବେଜିଂରେ କହିଥିଲେ । ରୁଷ ବୈଜ୍ଞାନିକ ଏବେ ବାୟୋପ୍ରିଣ୍ଟିଂ ଅର୍ଥାତ୍‌ ୩ଡି ପ୍ରିଣ୍ଟିଂ ଜରିଆରେ ଜୀବିତ ଟିସ୍ୟୁ ପ୍ରସ୍ତୁତି ଓ ଜିନ୍‌ଗତ ଭାବେ ସଂଶୋଧିତ ଘୁଷୁରି ଶରୀରରେ ମାନବ ଅଙ୍ଗ ବିକାଶ ପ୍ରକ୍ରିୟାରେ କାମ କରୁଛନ୍ତି । ସରକାରୀ ଏଜେନ୍ସିମାନଙ୍କ ସହ ଜଡ଼ିତ ବୈଜ୍ଞାନିକଙ୍କ ଦାବି, ସେମାନେ ପୂର୍ବରୁ ମାନବ କାର୍ଟିଲେଜ ଟିସ୍ୟୁ ଓ ମୂଷାର ଥାଇରଏଡ୍‌ ଗ୍ରନ୍ଥିକୁ ବାୟୋପ୍ରିଣ୍ଟ କରିସାରିଛନ୍ତି । ୨୦୩୦ ସୁଦ୍ଧା ପୂର୍ଣ୍ଣ ମାନବ ଅଙ୍ଗ ପ୍ରତିରୋପଣ ହାସଲ ସେମାନଙ୍କ ଲକ୍ଷ୍ୟ ।

ଆହୁରି ପଢନ୍ତୁ- US Iran Talks: ଟ୍ରମ୍ପଙ୍କ ମାରାଥନ୍ ବୈଠକ; ସଫଳ ହେବ କି ଆମେରିକା-ଇରାନ ମେଗା ଡିଲ୍ ?

 କ୍ରେମଲିନ୍‌ ପ୍ରେସ୍‌ ସେବା ଇମେଲ ଜରିଆରେ କହିଛି, ରୁଷରେ ଅନେକ ବୈଜ୍ଞାନିକ ଏ କ୍ଷେତ୍ରରେ କାର୍ଯ୍ୟକ୍ରମ ଚଳାଉଛନ୍ତି । ଏଭଳି ପ୍ରୋଜେକ୍ଟକୁ ସରକାର ସମର୍ଥନ କରୁଛନ୍ତି ଏବଂ ବୈଜ୍ଞାନିକ ଓ ଅନୁସନ୍ଧାନ ସଂସ୍ଥା ବି ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ପୁଟିନଙ୍କର ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି । ତାଙ୍କ ଝିଅ ମାରିଆ ଭୋରୋନ୍‌ତସୋଭା, ଯିଏକି ଅନେକ ସରକାରୀ ଜେନେଟିକ୍ସ କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ଭୌତିକ ବିଜ୍ଞାନୀ ମିଖାଇଲ କୋଭାଲଚୁକ, ଯିଏକି ବୟସ-ରୋଧୀ ଅଭିଯାନର ଅନ୍ୟତମ ପ୍ରମୁଖ ଚେହେରା । ସେ ନିରନ୍ତର ଦାବି କରିଆସୁଛନ୍ତି, ବିଜ୍ଞାନ ଖୁବ୍‌ଶୀଘ୍ର ମଣିଷକୁ ଶରୀରର ଅଙ୍ଗଗୁଡ଼ିକର ନିରନ୍ତର ମରାମତି ଓ ପରିବର୍ତ୍ତନର କ୍ଷମତା ପ୍ରଦାନ କରିବ ।