ନୂଆଦିଲ୍ଲୀ, ୩୦।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ହାଇ-ସିକ୍ୟୁରିଟି 'ସିଚୁଏସନ୍ ରୁମ୍' ରେ ପ୍ରାୟ ଦୁଇ ଘଣ୍ଟା ଧରି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ତେବେ ଏହି ଦୀର୍ଘ ଆଲୋଚନା ପରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ ଏବଂ ଦୁଇ ଦେଶ ମଧ୍ୟରେ ସସପେନ୍ସ ଏବେ ବି ବରକରାର ରହିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ଚୁକ୍ତି ଆମେରିକାର ସ୍ୱାର୍ଥ ରକ୍ଷା କରୁନାହିଁ ଏବଂ ଟ୍ରମ୍ପଙ୍କ ଦ୍ୱାରା ଧାର୍ଯ୍ୟ 'ରେଡ୍ ଲାଇନ୍' ବା ସର୍ତ୍ତକୁ ପୂରଣ କରୁନାହିଁ, ସେପର୍ଯ୍ୟନ୍ତ କୌଣସି ଚୁକ୍ତିକୁ ମଞ୍ଜୁରୀ ଦିଆଯିବ ନାହିଁ । ଅପରପକ୍ଷରେ, ଇରାନ ମଧ୍ୟ ଏହି ଆଲୋଚନାକୁ ସ୍ୱୀକାର କରିଥିଲେ ହେଁ କୌଣସି ଚୂଡ଼ାନ୍ତ ସହମତି ହୋଇନଥିବା ପ୍ରକାଶ କରିଛି ।
ଟ୍ରମ୍ପଙ୍କ ସର୍ତ୍ତ: ପରମାଣୁ ଅସ୍ତ୍ର ବର୍ଜନ ଓ ହୋର୍ମୁଜ ପ୍ରଣାଳୀର ମୁକ୍ତି
ସିଚୁଏସନ୍ ରୁମରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଆଞ୍ଚଳିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତୁତ ଚୁକ୍ତିନାମାର ରୂପରେଖ ସମୀକ୍ଷା କରିଥିଲେ । ବୈଠକ ପରେ ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଇରାନକୁ କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯିବ ନାହିଁ । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ 'ହୋର୍ମୁଜ ପ୍ରଣାଳୀ' କୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯିବ ଏବଂ କୌଣସି ଟ୍ୟାକ୍ସ ବା ଶୁଳ୍କ ବିନା ଜାହାଜ ଚଳାଚଳ ସ୍ୱାଭାବିକ ହେବ । ଆମେରିକା ଦ୍ୱାରା ଲଗାଯାଇଥିବା ନାଭାଲ ବ୍ରକେଡକୁ ହଟାଇ ଦିଆଯିବ । ଇରାନ ନିଜର ସମୃଦ୍ଧ ୟୁରେନିୟମ୍ ଭଣ୍ଡାରକୁ ନଷ୍ଟ କରିବା ପାଇଁ ସହମତି ପ୍ରକାଶ କରିବ ।
ଟ୍ରମ୍ପଙ୍କ ଦାବିକୁ 'ସତ ଓ ମିଛର ମିଶ୍ରଣ' କହିଲା ଇରାନ:
ଟ୍ରମ୍ପଙ୍କ ଏହି ସମସ୍ତ ଦାବିକୁ ଇରାନର ସରକାରୀ ଗଣମାଧ୍ୟମ ସମ୍ପୂର୍ଣ୍ଣ ସ୍ୱୀକାର କରିନାହିଁ । ଇରାନର ଅର୍ଦ୍ଧ-ସରକାରୀ ସମ୍ବାଦ ସଂସ୍ଥା 'ଫାର୍ସ' ନିଜ ସୂତ୍ରରୁ ପ୍ରକାଶ କରିଛି ଯେ, ଟ୍ରମ୍ପଙ୍କ ବୟାନ ହେଉଛି "ସତ୍ୟ ଏବଂ ମିଥ୍ୟାର ଏକ ମିଶ୍ରଣ" । ଇରାନର କହିବା କଥା ହେଉଛି, ଚୁକ୍ତିନାମାର ପ୍ରାରମ୍ଭିକ ଚିଠାରେ ହୋର୍ମୁଜ ଜଳଡମରୁମଧ୍ୟରେ ବିନା ଶୁଳ୍କରେ ଜାହାଜ ଯାତାୟାତ କରିବା କିମ୍ବା ୟୁରେନିୟମ୍ ଭଣ୍ଡାରକୁ ଆମେରିକା ଦ୍ୱାରା ନଷ୍ଟ କରାଯିବା ନେଇ କୌଣସି ସର୍ତ୍ତ ଉଲ୍ଲେଖ ନାହିଁ । ଇରାନ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ, ଚୁକ୍ତି ହେବା ମାତ୍ରେ ବିଦେଶରେ ଜବତ ହୋଇ ରହିଥିବା ଇରାନର ପ୍ରାୟ ୧୨ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ଓ ପାଣ୍ଠିକୁ ତୁରନ୍ତ ମୁକ୍ତ କରାଯାଉ, ଯାହାକୁ ନେଇ ଆମେରିକା ଏବେ ବି ଅମଙ୍ଗ ରହିଛି ।
ଚିନ୍ତାରେ ବିଶ୍ୱ ଶକ୍ତି ବଜାର:
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଏହି ଅନିଶ୍ଚିତତା କାରଣରୁ ଆନ୍ତର୍ଜାତୀୟ ଶକ୍ତି ବଜାର ଓ ନିବେଶକମାନେ ଉଦବେଗ ପ୍ରକାଶ କରିଛନ୍ତି । ହୋର୍ମୁଜ ପଥ ଦେଇ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ ଅଶୋଧିତ ତୈଳ ପରିବହନ ହୋଇଥାଏ । ତେଣୁ ଏହି ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଦେଲେ ଗ୍ଲୋବାଲ ମାର୍କେଟରେ କ୍ରୁଡ୍ ଅଏଲ୍ ମୂଲ୍ୟ ଆକାଶଛୁଆଁ ହେବାର ଆଶଙ୍କା ରହିଛି ।
ପଶ୍ଚିମ ଏସିଆରେ ଏବେ ବି ବଜାୟ ରହିଛି ଉତ୍ତେଜନା:
କାଗଜପତ୍ରରେ ୬୦ ଦିନିଆ ସାମୟିକ ଯୁଦ୍ଧବିରତିକୁ ନେଇ ଆଲୋଚନା ଚାଲିଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ରହିଛି । ଆମେରିକା ଏବଂ ଇରାନ ପରସ୍ପର ଉପରେ ଯୁଦ୍ଧବିରତି ଉଲ୍ଲଂଘନର ଅଭିଯୋଗ ଲଗାଉଛନ୍ତି । ଏହା ସହିତ ଲେବାନନରେ ଇସ୍ରାଏଲ ଏବଂ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ପଶ୍ଚିମ ଏସିଆରେ ଶାନ୍ତି ଫେରିବା ନେଇ ଆଶଙ୍କା ଦେଖାଦେଇଛି । ବିଶ୍ୱବାସୀଙ୍କ ନଜର ଏବେ ହ୍ୱାଇଟ୍ ହାଉସର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।
ଆହୁରି ପଢ଼ନ୍ତୁ... ଅମରତ୍ୱ ଚାହାନ୍ତି ପୁଟିନ ! ଦୀର୍ଘ ଦିନରୁ ପ୍ରସ୍ତୁତ ହେଉଛି ବୟସ କମାଇବାର ଉପାୟ ; ୨.୪୮ ଲକ୍ଷ କୋଟି ଟଙ୍କା ହେବ ଖର୍ଚ୍ଚ