ଭୁବନେଶ୍ୱର/କଟକ/ପୁରୀ,୧୨/୦୭: ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍ ମାଲିକ ସଂଘ। ଆଜିଠୁ ଗଡ଼ିଲା ଘରୋଇ ବସ୍। ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ହୋଇଛି । ତେବେ ବସ ଚଳାଚଳ ସମୟରେ ରାଜ୍ୟ ସରକାର ସୁରକ୍ଷା ଦେବା ପାଇଁ ମାଲିକ ସଂଘ ଦାବି କରିଛନ୍ତି।
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିିଥିଲା । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିବୁନି ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଜିଦ୍ ଧରିଛନ୍ତି । ଅନ୍ୟପଟେ ଶୁକ୍ରବାର ଆନ୍ଦୋଳନ ମଇଦାନ ଛାଡି ଅନେକ ଡ୍ରାଇଭର ଷ୍ଟିଅରିଂ ଧରିଛନ୍ତି । ଆଜିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହୋଇଛି।
ଶୁକ୍ରବାର ସନ୍ଧ୍ୟାରେ ପୁରୀ ବସ୍ଷ୍ଟାଣ୍ଡସ୍ଥିତ ସଂଘ କାର୍ଯ୍ୟାଳୟରେ ଏନେଇ ବସ୍ ଡ୍ରାଇଭରମାନଙ୍କ ସହ ଆଲୋଚନା ଚାଲିଥିଲା । ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ଆନ୍ଦୋଳନକୁ ଆଉ କେତେ ଦିନ ଅପେକ୍ଷା କରିଛୁ । ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ବସ୍ ଚଳାଚଳ ନିଷ୍ପତ୍ତି ନେଇଛୁ । ଆନ୍ଦୋଳନ ସତ୍ତେ୍ୱ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ୨ ହଜାର ଯାତ୍ରୀବାହୀ ବସ୍ ଗଡ଼ୁଥିଲା । ଆଜି ଠାରୁ ରାଜ୍ୟରେ ସମସ୍ତ ୧୪ ହଜାର ଘରାଇ ବସ୍ ଗଡିଛି । ୫୨ ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛି।
ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଆନ୍ଦୋଳନ ବେଳେ ରେଢ଼ାଖୋଳ, ଅନୁଗୁଳ ଆରଟିଓ ଅଫିସ ସାମ୍ନାରେ କିଛି ବସ୍କୁ ଭଙ୍ଗାରୁଜା କରାଯାଇଛି । କେନ୍ଦ୍ରାପଡ଼ା ରୁଟ୍ରେ ରାଜକନିକା ଓ ଦୁହୁରିଆ ଛକରେ, ପାରାଦୀପର ଭୁତମୁଣ୍ଡାଇ, ବଲାଙ୍ଗିର-ଖଡି଼ଆଳ-ଭୁବନେଶ୍ୱର ରୁଟ୍ରେ ଦଶପଲା ଓ ନୟାଗଡ଼ରେ, ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ଗେଟ୍, ମାଳତିପାଟପୁର ଠାରେ ଆନ୍ଦୋଳନକାରୀମାନେ ବସ୍କୁ ଅଟକାଉଛନ୍ତି । ଏସବୁ ରୁଟ୍ରେ ବସ୍ଗୁଡିକୁ ସୁରକ୍ଷା ଦେବାକୁ ସରକାର ପଦକ୍ଷେପ ନିଅନ୍ତୁ ।