କଟକ, ୧୭/୧୨ :ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ନିୟୋଜିତ ଘରୋଇ ଠିକା ସଂସ୍ଥା କର୍ମଚାରୀମାନଙ୍କୁ ମାସିକ ବେତନ ପ୍ରଦାନରେ ଅବହେଳା ହେଉଛି। ମାସର ଅଧାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି କର୍ମଚାରୀମାନେ ଦରମା ପାଇନାହାନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ ଆଜି ହସ୍ପିଟାଲ ପରିସରରେ ଧାରଣାରେ ବସି ପ୍ରତିବାଦ କରିଥିଲେ। ଫଳରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ହସ୍ପିଟାଲରେ କ୍ୟାନସର ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହୋଇଥିଲା।
ଘରୋଇ ଠିକା ସଂସ୍ଥାର ମନମାନି ଯୋଗୁଁ ପ୍ରତିମାସରେ କର୍ମଚାରୀମାନେ ଦରମା ପାଇବାରେ ବିଳମ୍ବ ହେଉଛି ଅଭିଯୋଗ କରି ନାରାବାଜି ଚଳାଇଥିଲେ। ଦରମା କେବେ ମିଳିବ ଲିଖିତ ପ୍ରତିଶ୍ରୁତି ନଦେଲେ ଧାରଣାରୁ ଉଠିଵୁ ନାହିଁ ବୋଲି କର୍ମଚାରୀମାନେ ଜିଦରେ ଅଟଳ ରହିବାରୁ କର୍ତ୍ତ୍ତୁପକ୍ଷ ଅଡୁଆରେ ପଡ଼ିଥିଲେ। ବୁଝାସୁଝା କରିବା ସହ ଖୁବଶୀଘ୍ର ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।