ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତ୍ରୀ ପ୍ରିୟା ରାଜବଂଶଙ୍କ ଅଭିନୀତ ଫିଲ୍ମ ‘ହୀର ରାଞ୍ଝା’ ଆଜି ମଧ୍ୟ ଦର୍ଶକଙ୍କ ମହଲରେ ଆଦୃତ ହେଉଛି । ୧୯୭୦ ମସିହାରେ ରିଲିଜ୍ ହୋଇଥିବା ଏହି ଚର୍ଚ୍ଚିତ ସିନେମାରେ ହୀର ଭୂମିକାରେ ଅଭିନୟ କରି ପ୍ରଂଶସା ସାଉଣ୍ଟିଥିଲେ ପ୍ରିୟା । ନିଜ କ୍ୟାରିୟରରେ ମାତ୍ର ୭ଟି ଫିଲ୍ମ କରିଥିଲେ ମଧ୍ୟ ବଳିଷ୍ଠ ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରିୟା । ମାତ୍ର ୨୬ ବର୍ଷ ପରେ ମଧ୍ୟ ତାଙ୍କ ହତ୍ୟା କିଏ କରିଥିଲା ଆଜି ମଧ୍ୟ ରହସ୍ୟ ଘେରରେ ରହିଛି ।
ବଲିଉଡର ଏଭଳି ଅନେକ କଳାକାର ରହିଛନ୍ତି ଯାହାଙ୍କ ହତ୍ୟାର କାରଣ ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହିଯାଇଛି । ଦିବ୍ୟା ଭାରତୀୟଙ୍କ ହତ୍ୟା ରହସ୍ୟ ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମାତ୍ର ପ୍ରିୟାଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ବମ୍ବେ ହାଇକୋର୍ଟରେ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ । ଯଦି ସେମାନେ ହତ୍ୟା କରିନଥିଲେ ତାହେଲେ କିଏ ହତ୍ୟା କରିଥିଲା ଏହାକୁ ନେଇ ଆଜି ମଧ୍ୟ ଅସମାହିତ ପ୍ରଶ୍ନ ଛିଡ଼ା ହୋଇଛି ।
ପ୍ରିୟା ସିମଲାରେ ଜନ୍ମ ଗ୍ରହଣ କରିଥିବାବେଳେ ବାପାଙ୍କ ସହ ଲଣ୍ଡନ ଚାଲିଯାଇଥିଲେ । ବାପା ଜାତିସଂଘରେ ନିଯୁକ୍ତି ପାଇଥିବାବେଳେ ଲଣ୍ଡନରେ ବଢ଼ିଥିଲେ । ସେଠାରେ ସେ ଅଭିନୟ ପାଇଁ ପାଠ ପଢ଼ିଥିଲେ । ଲଣ୍ଡନର ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ତାଙ୍କର ଫଟୋ ଉଠାଇଥିଲେ । ଯାହା ଭାରତର ଚଳଚ୍ଚିତ୍ର ନିର୍ମାତା ରଣବୀର ସିଂହଙ୍କ ପାଖରେ ପହଞ୍ଚିଥିଲା । ସେ ଏହି ଫଟୋକୁ ଦେବ ଆନନ୍ଦଙ୍କ ଭାଇ ଡାଇରେକ୍ଟର ଚେତନ ଆନନ୍ଦଙ୍କୁ ଦେଖାଇଥିଲେ । ଫଟୋକୁ ଦେଖି ପସନ୍ଦ କରିବା ପରେ ଭାରତ ଆସିବାକୁ କହିଥିଲେ । ଆଉ ଭାରତ ଆସିବା ପରେ ‘ହକିକତ’ ଫିଲ୍ମରେ ତାଙ୍କୁ ନାୟିକା ଭାବେ ନେଇଥିଲେ । ୧୯୬୪ରେ ଏହି ଫିଲ୍ମ ପାଇଁ ସେ ସାଇନ କରିଥିବାବେଳେ ପ୍ରକୃତ ନାମ ବୀରାରୁ ପ୍ରିୟା ରାଜବଂଶ ହୋଇଥିଲେ ।
ଏହି ଫିଲ୍ମର ସୁଟିଂ ସମୟରେ ନିଜଠାରୁ ବହୁ ବଡ଼ ଚେତନଙ୍କ ପ୍ରେମରେ ପଡ଼ିଥିଲେ । ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିବା ଚେତନଙ୍କ ସହ ପ୍ରିୟା ଜୁହୁର ରୁଇଆ ପାର୍କରେ ଥିବା ବଙ୍ଗଳାରେ ରହୁଥିଲେ । ସେମାନେ ଲିଭ୍-ଇନରେ ରହୁଥିବାବେଳେ ଅନ୍ୟ କାହା ଫିଲ୍ମରେ ଅଭିନୟ କରିବାକୁ ମନା କରିଥିଲେ ଚେତନ । ଏହାକୁ ମାନିଥିବା ପ୍ରିୟା ନିଜର କ୍ୟାରିୟର ମଧ୍ୟରେ ମାତ୍ର ୭ଟି ଫିଲ୍ମ କରିଥିଲେ । ତେବେ ସେ କେବଳ ଅଭିନେତ୍ରୀ ନୁହେଁ ବରଂ ଚେତନଙ୍କ ପ୍ରଯୋଜନା ସଂସ୍ଥାର ସମସ୍ତ କାମ ମଧ୍ୟ ବୁଝୁଥିଲେ । ଯାହାକୁ ନେଇ ଚେତନଙ୍କ ଦୁଇ ପୁଅ କେତନ ଏବଂ ବିବେକ ଖୁସି ନଥିଲେ ।
ବାପା ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଅଧିକ ପ୍ରାଧାନ୍ୟ ଦେବାକୁ ଦୁଇ ପୁଅ ସହି ପାରୁନଥିଲେ । ସେମାନେ ପ୍ରିୟାଙ୍କ ଉପରେ ରାଗୁଥିଲେ । ଯେତେବେଳେ ଚେତନଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ସେମାନେ ପ୍ରିୟାଙ୍କ ଉପରେ ରାଗ ସୁଝାଇବାକୁ ଚାହିଁ ବସିଥିଲେ ବୋଲି କୁହାଯାଏ । ମାତ୍ର ଚେତନ ୩ ଜଣଙ୍କ ନାମରେ ସମାନ ଭାବରେ ସମ୍ପତ୍ତି ଲେଖି ଚାଲିଯାଇଥିଲେ । ଜୁହୁରେ ଥିବା ବିଳାଶପୂର୍ଣ୍ଣ ବଙ୍ଗଳାଟି ପ୍ରିୟାଙ୍କ ନାମରେ ଥିବାବେଳେ ପୁଅମାନେ ଅଧିକ ରାଗି ଯାଇଥିଲେ ।
୨୦୦୦ ମସିହାରେ ଯେତେବେଳେ ପ୍ରିୟାଙ୍କ ମୃତ୍ରୁ ହୋଇଥିଲା ଏହା ସାଧାରଣ ମୃତ୍ୟୁ ବୋଲି କୁହାଯାଉଥିଲା । ମାତ୍ର ପରେ ଗଳାକାଟି ହତ୍ୟା କରାଯାଇଥିବା କୁହାଯାଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରିଥିବାବେଳେ ଡାଏରୀରେ ଦୁଇ ସାବତ ପୁଅଙ୍କ ସମ୍ପର୍କରେ ଲେଖିଥିବା ଜଣାପଡ଼ିଥିଲା । ସେମାନଙ୍କ ପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଲେଖିଥିଲେ । ଏହି ଘଟଣାରେ ପୁଳିସ ୨ ଘରୋଇ ସହାୟକଙ୍କ ସହ ଦୁଇ ଭାଇଙ୍କୁ ଗିରଫ କରିଥିଲା । ଜିଲ୍ଲା କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ମାତ୍ର ପରେ ପ୍ରମାଣ ଅଭାବରୁ ସେମାନେ ବମ୍ବେ ହାଇକୋର୍ଟରୁ ଖଲାସ ହୋଇଥିଲେ । ତେବେ ସେମାନେ ଯଦି ହତ୍ୟା କରିନଥିଲେ ତାହେଲେ କିଏ ଗଳା କାଟିଲା ? ୨୬ ବର୍ଷ ପରେ ମଧ୍ୟ ଏହି ଘଟଣା ରହସ୍ୟ ଘେରରେ ରହିଯାଇଛି ।
ଏହାସହ ପଢ଼ନ୍ତୁ : Riyan Parag: ସର୍ଜରୀ କଲେ ପରାଗ, ଆହତ ଥାଇ ଖେଳୁଥିଲେ ଆଇପିଏଲ