ଫେବ୍ରୁଆରୀରେ କୋରାପୁଟ ଆସିପାରନ୍ତି ପ୍ରିୟଙ୍କା

livehindustan.com
ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା । ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ କୋରାପୁଟ୍ ଆସିବା ପାଇଁ କଂଗ୍ରେସର ମୁଖ୍ୟ ସଚେତକ ତଥା ବିଧାୟକ ତାରାପ୍ରସାଦ ବାହିନୀପତି ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି । ଏପରିକି ଏ ବାବଦରେ ସେ ରାହୁଲ୍ ଗାନ୍ଧୀଙ୍କ ସହ ଗତ ୨୫ ତାରିଖ ଗସ୍ତ ସମୟରେ ଆଲୋଚନା କରିଥିବା କହିଛନ୍ତି । ପୁଣି ବିଧିବଦ୍ଧ ଭାବେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ପ୍ରିୟଙ୍କାଙ୍କ ଆସିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ । ମାତ୍ର ତାଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତ ସମୟରେ ପ୍ରଭାରୀ ଜିତେନ୍ଦ୍ର ମଧ୍ୟ ପ୍ରିୟଙ୍କା ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଥିଲେ । ଅପରପକ୍ଷେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପୁଣି ରାହୁଲ ଓଡ଼ିଶା ଆସିବେ ବୋଲି ନିରଞ୍ଜନ କହିଛନ୍ତି । ତେବେ କେଉଁ ତାରିଖରେ ଆସିବେ ତାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିବା ସୂଚନା ଦେଇଛନ୍ତି । ରାହୁଲ ଏଥର ଆସିଲେ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକ୍ରମ କରାଯିବ ବୋଲି ନିରଞ୍ଜନ କହିଛନ୍ତି ।