କଣ୍ଟାବାଞ୍ଜି ଡାକ୍ତରଖାନାରେ ଘୋର ଅବ୍ୟବସ୍ଥା, ଜିଲ୍ଲାପାଳଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କଲା ଯୁବଗୋଷ୍ଠି ସଙ୍ଘ

କଣ୍ଟାବାଞ୍ଜି, ୨୮/୦୬ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାରେ ଅବ୍ୟବସ୍ଥା। ମନମୁଖୀ ଭାବେ କାମ କରୁଛନ୍ତି ଡାକ୍ତର। ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଡାକ୍ତରଖାନାକୁ ଆସୁଥିବା ରୋଗୀ। ଫଳରେ କଣ୍ଟଟାବାଞ୍ଜିର ଯୁବଗୋଷ୍ଠି ସଙ୍ଘ ଡାକ୍ତରଖାନାର ସମସ୍ୟା ଦୂର କରିବାକୁ ତହସିଲଦାର ସମିର ବେହେରାଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଯୁବଗୋଷ୍ଠି ସଙ୍ଘର ଦାବି ଗୁଡ଼ିକ ହେଲା- ଡାକ୍ତରଖାନାରେ ନିଯୁକ୍ତ ହୋଇଥିବା ଡାକ୍ତର ନିଜର ଡ୍ୟୁଟି ଠିକ୍ ଭାବେ କରୁନଥିବା ବେଳେ ଘରୋଇ କ୍ଲିନିକରେ ରୋଗୀ ଦେଖୁଛନ୍ତି । ଓପିଡି ସମୟରେ ବିଶେଷଜ୍ଞ ଡାକ୍ତର ଡ୍ୟୁଟି କରିବାକୁ ଦାବି ହୋଇଛି। ଏହା ସହ ଆଇ.ପି.ଡିରେ ଭର୍ତି ହୋଇଥିବା ରୋଗୀଙ୍କୁ ସକାଳ ଏବଂ ସନ୍ଧ୍ୟା ସମୟରେ ରାଉଣ୍ଡ କରି ଦେଖନ୍ତୁ। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଓପିଡିରେ ପ୍ରତିଦିନ ଡ୍ୟୁଟି କରିବା ସହ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଉ। ଡାକ୍ତରଖାନାରେ ନିୟୋଜିତ ଡାକ୍ତର ଏବଂ କର୍ମଚାରୀ ଲେବର ଓ ଡ୍ରେସିଂ ରୁମରେ ବ୍ୟପାକ ଲାଞ୍ଚ ନେଉଥିବାରୁ ଏହା ଉପରେ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ। ଖାଲି ପଡିଥିବା ଡାକ୍ତର ଏବଂ କର୍ମଚାରୀ ପଦ ଅତିଶୀଘ୍ର ପୂରଣ କରାଯାଉ।
ଏତଦ୍ ବ୍ୟତୀତ ବନ୍ଦ ହୋଇ ପଡିଥିବା ଏକ୍ସ୍ରେ ସେବା ପୁନଃ କାର୍ଯ୍ୟକ୍ଷମ କରାଯାଉ। ଡାକ୍ତରଖାନା ଭିତରେ ବନ୍ଦ ପଡି ରହିଥିବା ଶୌଚାଳୟ କାର୍ଯ୍ୟକ୍ଷମ କରାଯାଉ। ରୋଗୀଙ୍କୁ ପିଇବା ପାଣି ଏବଂ ଭଲ ଖାଦ୍ୟ ଯୋଗାଇ ଦିଆଯାଉ। ସବୁ ସମୟରେ ଡାକ୍ତରଖାନା ଅପରିଷ୍କାର ରହୁଥିବା ବେଳେ ଏହାର ଉପରେ ତୁରନ୍ତ ପଦକ୍ଷେପ ନିଆଯାଉ। ନୂତନ ଭାବେ ନିର୍ମିତ ହୋଇଥିବା ଏମ.ଚି.ଏଚ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଉ। ମେଡିକାଲ ଅଫିସରଙ୍କ ମୋବାଇଲ ପ୍ରାୟ ସମୟରେ ବନ୍ଦ ରହୁଛି। ମୋବାଇଲ ବନ୍ଦ ଥିବା ଯୋଗୁଁ ରୋଗୀ ଅନେକ ସମୟରେ ହଇରାଣ ହେଉଥିବା ନଜିର ରହିଛି। ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉ। ନିରାମୟ ଏବଂ ନିଦାନ ଯୋଜନା ସେବା ୨୪ ଘଣ୍ଟିଆ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି ।
ତେବେ ୧୫ ଦିନ ଭିତରେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ଦେବା ସମୟରେ ସମାଜସେବୀ ଦେବବ୍ୟାସ ନାଗ, ସାହିଲ ଖାଁ, ଚୈତନ୍ୟ ହଂସ, ଅଲେଖ ପୁଟେଲ, ମୁକେଶ ମେହେର, ଟେକାରାମ ବେସନ, ବିକାଶ ପୁଟେଲ, ଉମେଶ ରଣା ସହ ଅନ୍ୟ ଯୁବକମାନେ ଉପସ୍ଥିତ ଥିଲେ ।