ଭୁବନେଶ୍ୱର,୯ା୨(ବ୍ୟୁରୋ): ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ସରକାର ପୂରଣ କରିବେ ବୋଲି ଶୁକ୍ରବାର ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ କମିଟିର ଚେୟାରପର୍ସନ ତଥା ଅର୍ଥ ଓ ଅବକାରୀ ଶଶିଭୁଷଣ ବେହେରା ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି ପ୍ରତାରଣା ନ ହେଉ । ପ୍ରତିଶ୍ରୁତି ପ୍ରତାରଣା ହେଲେ ରାଷ୍ଟ୍ରୀୟ ଦିବ୍ୟାଙ୍ଗଜନ ସୁରକ୍ଷା ଫେଡେରେସନ ଓଡ଼ିଶା ଆନ୍ଦୋଳନ କରିବ’ । ଆଜି ଫେଡେରେସନର ନେତୃମଣ୍ଡଳୀ ସରକାରଙ୍କୁ ଏମିତି କଡା ଚେତାବନୀ ଦେଇଛନ୍ତି । ଦାବି ହାସଲ ପାଇଁ ଦିବ୍ୟାଙ୍ଗ ମାନେ ଏକାଠି ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଦିବ୍ୟାଙ୍ଗ ମାନେ ଆଜି ସ୍ୱରକୁ ସ୍ୱର ମିଳାଇ ‘ଆମେ ସବୁ ଏକ’ ବୋଲି କହିଥିଲେ ।
ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଫେଡେରେସନର ଏକ ପ୍ରତିନିଧି ଦଳ ଅର୍ଥ ମନ୍ତ୍ରୀ ଶଶିଭୁଷଣ ବେହେରାଙ୍କୁ ଭେଟି ଥିଲେ । ଦିବ୍ୟାଙ୍ଗ ମାନଙ୍କର ବିଭିନ୍ନ ସମସ୍ୟା ଓ ସେମାନଙ୍କୁ ସଶକ୍ତୀକରଣ କରିବା ପାଇଁ କିଭଳି ଅଧିକ ଅର୍ଥ ବଜେଟରେ ଅନୁଦାନ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାକାଳରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରତିନିଧି ଦଳକୁ ଦିବ୍ୟାଙ୍ଗ ମାନଙ୍କର ସମସ୍ୟା ସବୁକୁ ସେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବା ପରେ ପୂରଣ କରିବେ ବୋଲି କହିଥିଲେ ।ଏହି ପ୍ରତିନିଧି ଦଳରେ ସଂଗଠନର ସଭାପତି ସତ୍ୟନାରାୟଣ ସେଠୀ, ସାଧାରଣ ସମ୍ପାଦକ ବାମନ ମାଝୀ, ବିରଞ୍ଜି ନାରାୟଣ ମଲ୍ଲିକ, ସୁବ୍ରତ ସାହୁ, ଗୌରହରି ନାୟକ ପ୍ରମୁଖ ଥିଲେ । ପ୍ରତିନିଧି ଦଳ ବିଧାନସଭା ଯାଇ ଫେଡ଼େରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶଶିଭୁୁଷଣ ବେହେରା, ଦିବ୍ୟାଙ୍ଗ ମାନଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ବରିଷ୍ଠ ସଚିବ ନିତେନ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଉଲ୍ଲେଖନୀୟ ରାଷ୍ଟ୍ରୀୟ ଦିବ୍ୟାଙ୍ଗଜନ ଫେଡେରେସନ ଓଡ଼ିଶା ତରଫରୁ ୧୬ଦଫା ଦାବିନେଇ ଫେବ୍ରୁଆରୀ ପହିଲାରୁ ଲୋୟର ପିଏମଜି ଛକ ଠାରେ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ଏକାଧିକ ଦିବ୍ୟାଙ୍ଗ ଅନୁଷ୍ଠାନ ମାନ ଆସି ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନ ସୁରକ୍ଷା ଫେଡେରେସନଙ୍କୁ ସହଯୋଗର ହାତ ବଢାଇଥିଲେ । ଗଣଧାରଣାର ସପ୍ତମ ଦିବସରେ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ କମିଟିର ଚେୟାରପର୍ସନ ତଥା ଅର୍ଥ ଓ ଅବକାରୀ ମନ୍ତୀଙ୍କୁ ଭେଟି ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଗଣଧାରଣାସ୍ଥଳରୁ ଏକ ଶୋଭାଯାତ୍ରା ବାହାରି ଓଡ଼ିଶା ବିଧାନସଭା ସମ୍ମୁଖରେ ପହଞ୍ଚି ଥିଲା । ସେଠାରୁ ପୁଲିସ ସହଯୋଗରେ ପ୍ରତିନିଧି ଦଳ ବିଧାନସଭା ଯାଇ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...