ମଣ୍ଡିରେ ଧାନ ଦେବା ପରେ ପ୍ରାପ୍ୟ ନେଇ ହେବନି ସମସ୍ୟା

ଭୁବନେଶ୍ୱର୦୫/୦୧: ରାଜ୍ୟରେ ବଢ଼ିଛି ଧାନ ଉତ୍ପାଦନ । ତା ସହିତ ବଢ଼ିଛି ଧାନ ସଂଗ୍ରହ । ଅଧିକ ଧାନ ସଂଗ୍ରହ ହେଉଥିବାରୁ ସେହି ଅନୁସାରେ ଚାଉଳ ସଂଗ୍ରହ କରି ରଖିବା ପାଇଁ ସ୍ଥାନର ଅଭାବ ଅଛି । ତେଣୁ ରାଜ୍ୟରେ ପ୍ରତିଷ୍ଠା ହେବ ଅଧିକ ସଂଖ୍ୟକ ସ୍ମାର୍ଟ ଗୋଦାମ । ଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ବେଳେ ଏଭଳି ପରାମର୍ଶ ଦେଇଛନ୍ତି ।

ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ ବାବଦରେ ସୂଚନା ଦିଆଯାଇଥିଲା । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରୁ ଠିକ୍ ସମୟରେ ଧାନ ଉଠିବା ଏବଂ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଚାଷୀ କିଭଳି ସେମାନଙ୍କର ପ୍ରାପ୍ୟ ଶୀଘ୍ର ଓ ସୁବିଧାରେ ପାଇବେ, ସେ ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ସମସ୍ତ ବ୍ୟବସ୍ଥାର ସୁପରିଚାଳନା ପାଇଁ କଲ୍ ସେଣ୍ଟର ତଥା କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା ବାବଦରେ ନିୟମିତ ତଦାରଖ କରିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରୁ ମିଳିଥିବା ସୂଚନା ମୁତାବକ, ଚଳିତ ୨୦୨୫-୨୬ ଧାନ କିଣା ଋତୁ ପାଇଁ ୧୯ ଲକ୍ଷ ୬୭ ହଜାର ୮୧୨ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଖରିଫ ୨୦୨୫-୨୬ ପାଇଁ ମୋଟ ଧାନ ଚାଷ ଅଞ୍ଚଳ ୬୧ ଲକ୍ଷ ୬୭ ହଜାର ୪୧୪ ଏକର ପଞ୍ଜିକୃତ ହୋଇଛି । ଚଳିତ ମାସ ୩ ତାରିଖ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ୧୧ .୮୪ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ ପାଇଁ ୧୪୧୮ ମିଲର୍ ନିୟୋଜିତ ହୋଇଛନ୍ତି । ପ୍ରାୟ ୪୦୦୦ ଧାନ ସଂଗ୍ରହ କେନ୍ଦ୍ର ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି । ରାଜ୍ୟରେ ୬.୫ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ରଖୁଥିବା ୧୬୨ଟି ସରକାରୀ ଗୋଦାମ ବ୍ୟବହାର କରାଯାଉଛି ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସଚିବ ସଞ୍ଜୟ କୁମାର ସିଂ, ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।