ନୂଆଦିଲ୍ଲୀ: ଇଏମଆଇ ନଦେଲେ ଅଚଳ ହୋଇଯିବ ଟିଭି, ମୋବାଇଲ୍ ଭଳି ପ୍ରଡକ୍ଟ । ଏଭଳି ଏକ ବ୍ୟବସ୍ଥା ଆଣିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏହି ବ୍ୟବସ୍ଥା ଜରିଆରେ, କ୍ରେଡିଟରେ କିଣାଯାଇଥିବା ଉତ୍ପାଦ ଏବଂ ସେବାକୁ ସ୍ଥଗିତ ରଖାଯାଇ ପାରିବ । ମୋବାଇଲ ଫୋନ୍ ଏବଂ ଟିଭି ଭଳି କମ୍ ଋଣରେ କ୍ରୟ ହେଉଥିବା ପ୍ରଡକ୍ଟ ଲାଗି ଏହି ନିୟମ ଲାଗୁ ହେବ । ଏହା ଦ୍ବାରା ଋଣ ପରିଶୋଧ କରିବା ସରଳ ହେବ ବୋଲି କୁହାଯାଉଛି ।
ଏହି ପ୍ରସଙ୍ଗରେ ଆରବିଆଇ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ସହିତ ଆଲୋଚନା କରିଛି। ଅର୍ଥନୀତିଜ୍ଞଙ୍କ ଅନୁସାରେ, ରିଜର୍ଭ ବ୍ୟାଙ୍କକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବିଚାର କରିବାକୁ ପଡିବ । ଫୋନ୍, ଲାପଟପ୍ କିମ୍ବା ଏହି ଭଳି ଅନ୍ୟ ଜିନିଷ କିଣିବା ପାଇଁ ବିନା ବନ୍ଧକରେ ଋଣ ଦିଆଯାଉଛି । ଅର୍ଥାତ୍ ଗ୍ରାହକଙ୍କୁ କୌଣସି ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼ୁ ନାହିଁ। ତେଣୁ ସେମାନଙ୍କର ସୁଧ ହାର ଅଧିକ ୧୪-୧୬% ହେଉଛି । ଯଦି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ, ତେବେ ଏହି ଋଣଗୁଡ଼ିକ ସୁରକ୍ଷିତ ଋଣ ବର୍ଗରେ ଆସିବ (ଯେପରିକି ଗୃହ ଏବଂ ଅଟୋ ଋଣ)। ଏହି ଅଧିକାର ପ୍ରଦାନ କରିବା ପୂର୍ବରୁ, ବ୍ୟାଙ୍କଗୁଡ଼ିକୁ ଏପରି ଋଣର ବର୍ଗ ପରିବର୍ତ୍ତନ କରିବାକୁ ହେବ ଏବଂ ସୁଧ ହାର ହ୍ରାସ କରିବାକୁ ପଡିବ । RBI ଯେଉଁ ବ୍ୟବସ୍ଥା ବିଷୟରେ ବିଚାର କରୁଛି ତାହା ମୁଖ୍ୟତଃ କମ ଋଣ (ଯେପରିକି ମୋବାଇଲ୍ ଫୋନ୍, ସ୍ମାର୍ଟ ଟିଭି, ୱାସିଂ ମେସିନ୍ ଏବଂ ଇଲେକ୍ଟ୍ରୋନିକ୍ସ) ପାଇଁ ପ୍ରଯୁଜ୍ୟ । ଇଏମଆଇରେ କିଣାଯାଇଥିବା ଉତ୍ପାଦଗୁଡ଼ିକ ଏକ ଆପ୍ କିମ୍ବା ସଫ୍ଟୱେର୍ ସହିତ ଯୋଡ଼ି ହେବା ଦରକାର । ଯଦି ଗ୍ରାହକ କିସ୍ତି ଦେଇ ନପାରନ୍ତି ତେବେ ଏହି ସଫ୍ଟୱେର୍ ଦୂରରୁ ଉତ୍ପାଦକୁ ଲକ୍ କରିପାରିବ ।
ସେପଟେ ପ୍ରଡକ୍ଟ ଲକ୍ ହେଲେ ମଧ୍ୟ ଗ୍ରାହକଙ୍କ ତଥ୍ୟ ସୁରକ୍ଷିତ ରଖିବାକୁ ହେବ । ଯେପର୍ଯ୍ୟନ୍ତ ବକେୟା ଟଙ୍କା ପରିଶୋଧ ନହେବ ସେପର୍ଯ୍ୟନ୍ତ ଫୋନ୍ (କିମ୍ବା ଅନ୍ୟ ଡିଭାଇସ୍) ବ୍ୟବହାରଯୋଗ୍ୟ ହେବ ନାହିଁ । ଯଦି ବ୍ୟାଙ୍କଗୁଡ଼ିକୁ ଏହି ଡିଭାଇସଗୁଡ଼ିକୁ ଲକ୍ କରିବାକୁ ଅନୁମତି ଦିଆଯାଏ, ତେବେ ସେମାନେ ଲକ୍ଷ ଲକ୍ଷ ଲୋକଙ୍କ ତଥ୍ୟ ପାଇପାରିବେ । ଏହି ତଥ୍ୟ ଲିକ୍ ହେବାର ସମ୍ଭାବନା ମଧ୍ୟ ବଢ଼ିଯିବ । ଫଳରେ ବ୍ଲାକମେଲିଂ ଘଟଣା ବୃଦ୍ଧି ପାଇପାରେ। RBI ଏବଂ ବ୍ୟାଙ୍କଗୁଡ଼ିକୁ ଏହି ସମସ୍ୟାର ସମାଧାନ କରିବାକୁ ପଡିବ।
ମୋବାଇଲ୍ ଫୋନ୍, ଟାବଲେଟ୍, ଲାପଟପ୍, ସ୍ମାର୍ଟ ଟିଭି ଇତ୍ୟାଦି ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ସହଜ । ସେଗୁଡ଼ିକର ସଫ୍ଟୱେର୍ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ। ଅନେକ ଦେଶରେ ପୂର୍ବରୁ ଯାନବାହାନ (କାର/ସାଇକେଲ୍) ପାଇଁ ଏଭଳି ସିଷ୍ଟମ୍ ଅଛି। EMI ପୈଠ ନକଲେ ସେଗୁଡ଼ିକ ଷ୍ଟାର୍ଟ ହେବ ନାହିଁ । ଘରୋଇ ଉପକରଣ (ରେଫ୍ରିଜରେଟର୍, ୱାସିଂ ମେସିନ୍, ଇତ୍ୟାଦି) ପାଇଁ ଏହା ସମ୍ଭବ । କିନ୍ତୁ ଭାରତ ଭଳି ବଜାରରେ ଏଭଳି କରିବା ଏତେ ସହଜ ହୋଇନପାରେ।
ସୂଚନାଯୋଗ୍ୟ, ଭାରତରେ କ୍ଷୁଦ୍ର ଋଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହୋମ୍ କ୍ରେଡିଟ୍ ଫାଇନାନ୍ସ ଦ୍ୱାରା ୨୦୨୪ ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏକ ତୃତୀୟାଂଶରୁ ଅଧିକ ଉପଭୋକ୍ତା ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଇଏମଆଇରେ କିଣୁଛନ୍ତି। ଦେଶରେ ୧.୧୬ ବିଲିୟନରୁ ଅଧିକ ମୋବାଇଲ୍ ବ୍ୟବହାର ହେଉଛି । CRIF ହାଇମାର୍କ ଅନୁଯାୟୀ, ୧ ଲକ୍ଷରୁ କମ୍ ଋଣର ଡିଫଲ୍ଟ ହାର ସର୍ବାଧିକ। ତେବେ ଆରବିଆଇର ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଏଭଳି ପରିସ୍ଥିତିରେ ସୁଧାର ଆସିପାରେ ।