କ୍ଲାସ୍ ଚାଲିଥିବା ବେଳେ ସର୍ବସମ୍ମୁଖରେ ଛାତ୍ରଙ୍କୁ ‘ଆତଙ୍କବାଦୀ’ କହିଲେ ପ୍ରଫେସର, ଭିଡିଓ ଭାଇରାଲ ପରେ…

ବେଙ୍ଗାଲୁରୁ ୨୮/ ୧୧: କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (MIT)ରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଜଣେ ପ୍ରଫେସର । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଲେଜ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଘଟଣାକୁ ପ୍ରକାଶ ଯେ, କ୍ଲାସ୍ ଜାରି ରହିଥିବା ବେଳେ ଜଣେ ମୁସଲମାନ ଛାତ୍ରଙ୍କୁ ‘ଟେରୋରିଷ୍ଟ’ (ଆତଙ୍କବାଦୀ) ବୋଲି କହିଥିଲେ ପ୍ରଫେସର୍ । ପରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଗତ ଶୁକ୍ରବାର କ୍ଲାସ୍ ମଧ୍ୟରେ ଏଭଳି ଘଟିଥିଲା ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଛାତ୍ର କ୍ଲାସ୍ ଶିକ୍ଷକଙ୍କ ଆକ୍ଷେପକୁ ତୀବ୍ର ବିରୋଧ କରୁଛନ୍ତି । କହୁଛନ୍ତି, ଜଣେ ମୁସଲିମ୍ ହୋଇଥିବାରୁ ଏଭଳି କଥା ପ୍ରତିଦିନ ଶୁଣିବାକୁ ମିଳୁଛି । ଏହା କୌଣସି ଥଟ୍ଟା ନୁହେଁ । ପ୍ରଫେସର ଜଣଙ୍କ ଛାତ୍ରଙ୍କୁ ନିଜ ପୁଅ ଭାବି ଏଭଳି କହିଥିବା କହିବାରୁ ଛାତ୍ର କହୁଛନ୍ତି, ଯଦି ଜଣେ ପତା ଏଭଳି କହୁଛନ୍ତି ତାହା ମଧ୍ୟ ଖରାପ । ଏହା ଥଟ୍ଟା ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଭାବେ କୁହାଯାଛି।
A Professor in a class room in India calling a Muslim student ‘terrorist’ – This is what it has been to be a minority in India! pic.twitter.com/EjE7uFbsSi
— Ashok Swain (@ashoswai) November 27, 2022
ଛାତ୍ର ଜଣକ ଭିଡିଓରେ କହୁଛନ୍ତି, ‘ଆପଣ ଆପଣଙ୍କ ପୁଅକୁ ଏଭଳି କହିପାରିବେ କି? ତାକୁ ଆତଙ୍କବାଦୀ ବୋଲି କହିପାରିବେ ।ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଆପଣ କିଭଳି ଏମିତି କହିପାରୁଛନ୍ତି । ଏଇଟା ହେଉଛି କ୍ଲାସ୍ ଏବଂ ଆପଣ ଜଣେ ଅଭିଜ୍ଞ, ପାଠ ପଢାଉଛନ୍ତି । ଆପଣ ଏଭଳି ଆକ୍ଷେପ କରିପାରିବେ ନାହିଁ’।
ପ୍ରଫେସର ଜଣଙ୍କ ଭିଡିଓରେ କ୍ଷମା ମଧ୍ୟ ମାଗୁଥିବା ଦେଖିବାକୁ ମିଳୁଛି । ତେବେ ଭିଡିଓ ଭାଇରାଲ ହେବା ପରେ MIT କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରିବା ସହିତ ଏକ ଆଭ୍ୟନ୍ତରୀଣ ତଦନ୍ତ ପାଇଁ ଟିମ୍ ଗଠନ କରିଛନ୍ତି । ଘଟଣାକୁ ନେଇ ମଣିପାଲ ବିଶ୍ବବିଦ୍ୟାଳୟର ପବ୍ଲିକ୍ ରିଲେସନ ନିର୍ଦ୍ଦେଶକ ଏସ.ପି. କର କହିଛନ୍ତି, ‘ଆମେ ଏଭଳି ଘଟଣାକୁ ଦୃଢ ନିନ୍ଦା କରୁଛୁ । ଏହା ହେଉଛି ଶିକ୍ଷାନୁଷ୍ଠାନ ଏବଂ ଆମେ ସର୍ବ ଧର୍ମ ଓ ବସୁଧୈବ କୁଟୁମ୍ବକମ୍ ରେ ବିଶ୍ବାସ କରୁ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଛାତ୍ରଙ୍କୁ କାଉନସେଲିଂ କରାଯାଉଛି ଏବଂ ଅଧିକ ତଦନ୍ତ ଜାରି ରହିଛି’।