ଭୁବନେଶ୍ୱର, ୫/୬ : କ୍ଷେତରୁ ମିଳୁଥିଲା ଭାତ ଆଉ ପ୍ରୋଟିନ୍ । ବିଲ ମାଟି ଆଡ଼େଇ ଦେଲେ ବାହାରୁଥିଲେ ବଡ଼ ବଡ଼ ଗେଣ୍ଡା ଆଉ କଙ୍କଡ଼ା । ତୋଡ଼ି, କଉ ଭଳି ମାଛ ବି ମିଳୁଥିଲା । ହେଲେ ଶସ୍ୟଶ୍ୟାମଳା କ୍ଷେତ ଏବେ ଖାଁ ଖାଁ । ଧାନ, ବିରି, ମୁଗ ତ ନାହିଁ । ତା’ ସହିତ ଉଭେଇ ଯାଇଛନ୍ତି ବିଲର ସାଥୀ ଗେଣ୍ଡା, କଙ୍କଡ଼ା, ମାଛ । ଘୋର ପ୍ରଦୂଷିତ ଜଳର ଜହର ସମସ୍ତଙ୍କୁ ନିଶ୍ଚିହ୍ନ କରି ଦେଇଛି । ଏପରିକି ମାଟିରୁ ଜିଆନାଳର ମଞ୍ଜି ବି ମାରି ଦେଇଛି ।
ରାଜଧାନୀ ଭୁବନେଶ୍ୱରର ଚାରିପଟେ ଥିଲା ଶସ୍ୟଶ୍ୟାମଳା କ୍ଷେତର ପ୍ରାଚୁର୍ଯ୍ୟ । ଏହି ଶସ୍ୟକ୍ଷେତ୍ରର ଜୀବନ ଧାରା ଥିଲା ୩ଟି ନଦୀ । ବିଶେଷ କରି ୨୨ଟି ନିର୍ଝରିଣୀର ସମାହାର ଗଙ୍ଗୁଆ ନଦୀ ପ୍ରାକୃତିକ ଉପାୟରେ ବିଲ ବାଡ଼ିକୁ ଜଳସେଚିତ କରି ରଖିଥିଲା । ବନ୍ଧବାଡ଼ ନଥିବାରୁ ଗଙ୍ଗୁଆ ନଦୀ ଉଭୟ ପାର୍ଶ୍ୱରେ ଥିବା ଦିଗନ୍ତବିସ୍ତାରୀ ଧାନ କ୍ଷେତକୁ ବର୍ଷର ୪ ମାସ ଜଳପ୍ଲାବିତ କରି ରଖୁଥିଲା । ପଟୁ ମିଶା ଏହି ପୌଷ୍ଟିକ ଜଳରେ ଧାନ ବଳଶାଳୀ ହୋଇ ବଢ଼ୁଥିଲା । ଗଙ୍ଗୁଆ ନଦୀରେ ଅନେକ ପ୍ରଜାତିର ମାଛ ବାଳିଆ, ଶେଉଳ, ଶାଳ, ଆଳି, କାଠି ପୋହଳା, ବାଟା ପୋହଳା, ସେରେଣା, ତୋଡ଼ି, ବମି, ରତା, ମାଗୁର, କଉ, କୋଚିଆ, ଓଲୁଆ, କେରାଣ୍ଡି, ମହୁରାଡ଼ି, ଜରାଡ଼ି, ଜିମାଣି, ପୋପତା, ଜିଆ, ଗଡ଼ିଶା, ଖଙ୍କାରଖାଇ, ନାହାକା ସିଙ୍ଘି, ଛୋଟ ସିଙ୍ଘି, କିଆ କେରେଣ୍ଡା, ଚାରି ଆଖିଆ, ବାଲି ଗେରେଡ଼ା, କାଳି ପୋଇ, ବଡ଼ ଚୁଙ୍ଗୁଡ଼ି, ଡାଆଁଶା ଚୁଙ୍ଗୁଡ଼ି, ଝାଇଁ ଚୁଙ୍ଗୁଡ଼ି, ମାଣ୍ଡିଆ କଙ୍କଡ଼ା, ମାଟିଆ କଙ୍କଡ଼ା, କୁଜି ଗେଣ୍ଡା, ବଡ଼ ଗେଣ୍ଡା, କଇଁଛ ଆଦି ଅନେକ ପ୍ରକାଣ ଜଳଜୀବଙ୍କ ଥିଲା ଭଣ୍ଡାର ।
ବର୍ଷା ଦିନେ ଗଙ୍ଗୁଆ ନଦୀ ଓ ଝରଣା ଜଳ କୂଳ ଲଙ୍ଘି କ୍ଷେତକୁ ମାଡ଼ିଯାଏ । ତା’ ସହିତ ମାଛ, କଙ୍କଡ଼ା, ଗେଣ୍ଡା ଅଣ୍ଡା ଦେବା ପାଇଁ କ୍ଷେତ ଭିତରକୁ ମାଡ଼ି ଯାଆନ୍ତି । ଅଣ୍ଡା ଦେବା ପରେ ଛୁଆ ଫୁଟନ୍ତି । ଧାନ କ୍ଷେତ ଛୁଆ ମାଛଙ୍କ ନର୍ସରି ପାଲଟି ଯାଏ । ଧାନ ଫୁଲ ଓ ବିଭିନ୍ନ ପ୍ରକାରର ପୋକ ଜୋକ ଖାଇ ୪ ମାସରେ ଛୁଆ ଗୁଡ଼ିକ ବଡ଼ ହୋଇଯାଆନ୍ତି । ପାଣି କମିବା ସହିତ ତାଳ ମିଳାଇ ଅନେକ ମୂଳ ନଦୀ ଝରଣାକୁ ଫେରି ଯାଆନ୍ତି । ହେଲେ ପଙ୍କୁଆ ଜୀବ ଭାବେ ବହୁ ସଂଖ୍ୟକ ତୋଡ଼ି, ଗଡ଼ିଶା, ରତା, ଗେଣ୍ଡା, କଙ୍କଡ଼ା କ୍ଷେତର ହିଡ଼ ଓ ପଙ୍କୁଆ ମାଟିରେ ଲୁଚି ରହିଯାଆନ୍ତି । ମାର୍ଗଶିର, ପୌଷ ମାସରେ ଧାନ ଅମଳ ବେଳ । ଚାଷୀ ଓ ଶ୍ରମିକମାନେ ଦଳ ଦଳ ହୋଇ ଦା’ରେ ଧାନ କାଟି ହଳା ବାନ୍ଧି ଖଳା ବାଡ଼ିକୁ ବୋହି ଆଣନ୍ତି । ବିଲର ଚପଚପିଆ ମାଟିରେ କିଲିବିଲି ହୁଅନ୍ତି ମାଛ ଓ କଙ୍କଡ଼ା । ଯେତେ ବୋହିଲେ ବି ସରେନି । ମାସ ମାସ ଧରି ଘରେ ଘରେ ମାଛ, କଙ୍କଡ଼ାର ସ୍ୱାଦିଷ୍ଟ ଭୋଜନ ।
ଆହୁରି ପଢନ୍ତୁ- ବିକାଶ ପାଇଁ ୧୦ ବର୍ଷରେ କଟିଛି ୧୭ ଲକ୍ଷ ଗଛ, ବିପର୍ଯ୍ୟୟ ଗିଳିଛି ୧୦ କୋଟି, ପର୍ଯ୍ୟାପ୍ତ ଅମ୍ଳଜାନ ଓ ଛାଇ ଆସିବ କେଉଁଠୁ ?
ମାଛ ସରିଗଲା ପରେ ବର୍ଷ ତମାମ ହିଡ଼ ମାଟିରୁ ମିଳନ୍ତି ବଡ଼ ବଡ଼ ଗେଣ୍ଡା । ପୁଷ୍ଟିକର ଖାଦ୍ୟ ପାଇଁ କେହି ହାଟ ବଜାରକୁ ଅନାନ୍ତି ନାହିଁ । ଗଙ୍ଗୁଆ ନଦୀ କାଳକ୍ରମେ ନର୍ଦ୍ଦମା ପାଣିରେ ବିଷାକ୍ତ ହୋଇଛି । ଏହାର କୋପରେ ନଦୀ, ଝରଣା, ବିଲରେ ମୀନ ଗୋଟାଏ ବି ମିଳୁନାହାନ୍ତି । ଗେଣ୍ଡା, କଙ୍କଡ଼ା ବଂଶ କେବେଠୁ ନାଶ ପାଇଗଲେଣି । ଚାଷୀ ବିଲ ବିକି ଦିନରେ ବାଲି ସିମେଣ୍ଟ ଫେଣ୍ଟୁଛନ୍ତି । ସନ୍ଧ୍ୟାରେ ପଶା ଖେଳୁଛନ୍ତି । ବଜାରରୁ ଆନ୍ଧ୍ର ମାଛ କିଣି ଖାଉଛନ୍ତି । ଖାଲି ଜମିରେ ଅଣ୍ଟାଏ ଉଚ୍ଚରେ ଘାସ ବଢ଼ିଛି । ବିଶିଷ୍ଟ ଜଳ ବିଜ୍ଞାନୀ ପ୍ରମୋଦ ପଣ୍ଡା କହିଛନ୍ତି, ଏକଦା ଧାନ, ପାନ ଓ ମୀନ ପାଇଁ ଓଡ଼ିଶା ଥିଲା ଭାରତ ପ୍ରସିଦ୍ଧ । ଧାନ ଗଣ୍ଡାଏ ହେଉଛି ସତ, ମୀନ ଓ ପାନ ଆଉ ନାହିଁ କହିଲେ ଚଳେ ।
ଭାରତୀୟ ନଦୀକୁ ହାଇଜ୍ୟାକ କରୁଛି 'Green Vampire' ! ଭାରତକୁ କେମିତି ଆସିଲା ଏହି ପ୍ରଜାତି ଓ ଏହା କେତେ ଭୟଙ୍କର ?