ଭୁବନେଶ୍ଵର, ୦୫/୦୬ (ମୁକେଶ କୁମାର ପରିଡ଼ା) : ଭୁବନେଶ୍ୱର କୋର୍ଟ ସାମ୍ନାରୁ ବିଶାଳକାୟ ବର, ଓସ୍ତ ଗଛ ପଦା କରିଦେଲେ । ଯେଉଁ କେତୋଟି ଗଛ ଅଛି, ସେଥିରେ ଆଉ ଆଗ ଛାଇ ନାହିଁ । ରସୁଲଗଡ଼ରୁ ସାମନ୍ତରାପୁର ପ୍ରାୟତଃ ଲଣ୍ଡା । କଟକ-ଭୁବନେଶ୍ୱର ଏନ୍ଏଚରୁ ଗଛ ସଫା । ଟିକିଏ ଥକା ମାରିବାକୁ ଛାଇ ନାହିଁ । ବିଧାୟକଙ୍କ ପାଇଁ ହାଇଫାଇ ଅଟ୍ଟାଳିକା ନିର୍ମାଣ ନାଁରେ ଏମ୍ଏଲ୍ଏ କଲୋନିରୁ ୭ଶହରୁ ଅଧିକ ଗଛ କାଟିଦେଲେ । ରାସ୍ତା ସମ୍ପ୍ରସାରଣ ନାଁରେ ବିକାଶ କୁରାଢ଼ୀରେ ବଳି ପଡ଼ୁଛି ବିଶାଳ ଦ୍ରୁମ । ଭୁବନେଶ୍ୱର କି କଟକ ନୁହେଁ, ସାରା ଓଡ଼ିଶାରେ ଏମିତି ସ୍ଥିତି । ଜଙ୍ଗଲ ବିଭାଗର ସଫେଇ- ଯେତିକି କାଟୁଛୁ, ୧୦ ଗୁଣା ଲଗାଉଛୁ । ଜଙ୍ଗଲ ବଢ଼ିଛି । କିନ୍ତୁ, ବିଡ଼ମ୍ବନା- କାଟୁଛନ୍ତି ଶହେ ବର୍ଷିଆ ବର, ଓସ୍ତ । ବଦଳରେ ପୋତୁଛନ୍ତି ୧୮ ମାସିଆ ଚାରା । କରଞ୍ଜ, କଦମ୍ବ, କୃଷ୍ଣଚୂଡ଼ା, ବେଲ, ବଉଳ, ଅଁଳା ଲାଗୁଛି । ସହର ଲଣ୍ଡା କରି ଜଙ୍ଗଲର ସବୁଜିମା ବଢ଼ାଉଛନ୍ତି । ଦାବି- ୮୪% ଗଛ ବଞ୍ଚୁଛି ।

ଜଙ୍ଗଲ ବିଭାଗ ତଥ୍ୟ କହୁଛି-ଗତ ଦୁଇ ବର୍ଷରେ ୨୦୨୩-୨୪ ଓ ୨୦୨୪-୨୫ରେ ବୃକ୍ଷ ରୋପଣ ପାଇଁ ୭୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗଛ ଲାଗିଛି ୪ କୋଟି ୫୨ ଲକ୍ଷ । ଗତ ୧୦ ବର୍ଷରେ ବିକାଶ ନାଁରେ ରାଜ୍ୟରେ ୧୭ ଲକ୍ଷ ଗଛ ପଦା ହୋଇଥିବା ବିଧାନସଭା ତଥ୍ୟ କହୁଛି । ବିଶେଷ କରି ୩ଟି କାରଣରୁ ମୁଖ୍ୟ କାରଣରୁ କଟା ହୋଇଛି । ଖଣି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ରାୟଗଡ଼ା, ମାଲକାନଗିରି, ଅନୁଗୁଳ, କୋରାପୁଟ, ଝାରସୁଗୁଡ଼ା ଆଦି ଜିଲ୍ଲାରୁ ବ୍ୟାପକ ଗଛ କଟାଯାଇଛି । ଶିଳ୍ପାୟନ ପାଇଁ ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, କଳାହାଣ୍ଡି, ଢେଙ୍କାନାଳ, ଅନୁଗୁଳ ପ୍ରମୁଖ ଜିଲ୍ଲାରୁ ବହୁ ସଂଖ୍ୟକ ଗଛ ବଳି ପଡ଼ିଛି । ରାସ୍ତା ସମ୍ପ୍ରସାରଣ ପାଇଁ ସବୁ ଜିଲ୍ଲାରେ ଗଛ ସଫା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ହିସାବକୁ ମନେ ପକାଇଲେ, ଚିନ୍ତା ଆହୁରି ବଢିଯାଏ । ୨୦୧୯ ଫୋନି ବାତ୍ୟାରେ ୧୪ ଲକ୍ଷ ଗଛ ବଳି ପଡ଼ିଥିଲା । ପୁରୀ ଜିଲ୍ଲାରେ ସବୁଜିମା ଛାରଖାର ହୋଇଥିଲା । ୧୯୯୯ ମହାବାତ୍ୟାରେ ସାରା ଉପକୂଳ ଓଡ଼ିଶା ଯେମିତି ବୃକ୍ଷ ଶୂନ୍ୟ ହୋଇ ଯାଇଥିଲା । ବେସରକାରୀ ହିସାବକୁ ବିଶ୍ୱାସ କରାଗଲେ ପାଖାପାଖି ୯ କୋଟି ଗଛ ଉପୁଡ଼ି ଯାଇଥିଲା ଏହି ପ୍ରଳୟଙ୍କରୀ ବାତ୍ୟାରେ । ନୂଆ ଗଛ ଉତୁରିବାକୁ ୧୫/୨୦ ବର୍ଷ ଲାଗିଗଲା । ହୁଡହୁଡ୍ ଓ ତିତଲି ବାତ୍ୟାରେ ଗଜପତି, ଗଞ୍ଜାମରେ ବହୁ ସଂଖ୍ୟାରେ ଗଛ ଛଡ଼ାଇ ନେଲା । ଜୱାଦରେ ଉତ୍ତର ଓଡ଼ିଶା ବି ଏମିତି କ୍ଷତି ସହିଥିଲା । ପ୍ରତି ୨/୩ ବର୍ଷରେ ବାତ୍ୟା ଯେତିକି ଗଛ ଖାଉଛି, ତା’ର ଭରଣା ପାଇଁ ଏଯାଏଁ କିଛି ଯୋଜନା ନାହିଁ । ଏଭଳି ପ୍ରାୟ ୧୦ କୋଟି ଗଛ ଉଜାଡ଼ି ଦେଇଛି ପ୍ରାକୃତିକ ବିପର୍ଯ୍ୟୟ ।

ଜଙ୍ଗଲ ବିଭାଗ ଦାବି କରୁଛି, ଗତ ୧୦ ବର୍ଷରେ କଟାଯାଇଥିବା ଗଛ ଭରଣା ପାଇଁ ପ୍ରାୟ ୧ କୋଟି ୭୬ ଲକ୍ଷ ଗଛ ଲାଗିଛି । ସତରେ ଯଦି ଏତେ ଗଛ ଲାଗୁଛି, ପରିବେଶ ତାତୁଛି କେମିତି? ଗତ କିଛିବର୍ଷ ହେବ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଗ୍ରୀଷ୍ମ ପ୍ରବାହର ହଟସ୍ପଟ୍। ଛାଇ ଉଭାନ । ଲୋକେ ଛଟପଟ । ତତଲା ପବନରେ ଅଣନିଃଶ୍ୱାସୀ । ପରିବେଶ ବିଜ୍ଞାନୀଙ୍କ ଅନୁସାରେ ପ୍ରତିଟି ଗଛ ଅମୂଲ୍ୟ । ଥଣ୍ଡା ବାତାବରଣ ପାଇଁ ବଡ଼ ଗଛର ଆବଶ୍ୟକତା ବେଶି । ମାତ୍ର ବିରାଟକାୟ ଦ୍ରୁମ ଛେଦନ କଲେ କ୍ଷତ ଭରଣା ପାଇଁ ଦୀର୍ଘ ଦଶନ୍ଧି ଲାଗିପାରେ । ବୃକ୍ଷରୋପଣ କେବଳ ସମାଧାନ ନୁହେଁ । କେଉଁ ଅଞ୍ଚଳରେ କିଭଳି ଗଛ ଲଗାଇବାକୁ ହେବ, ସେ ନେଇ ଅନୁଧ୍ୟାନ କରାଯିବା ଆବଶ୍ୟକ । ହେଲେ ସବୁଜିମା ଦେଖାଇବାକୁ ଶୀଘ୍ର ବଢ଼ୁଥିବା ଗଛ ବେଶି ଲଗାଯାଉଛି । ଅର୍ନାମେଣ୍ଟାଲ ଟ୍ରିରେ ସହରକୁ ସବୁଜ ରୂପ ଦିଆଯାଉଛି । ଏଥିରେ ସବୁଜ ସୁନ୍ଦର ଦିଶୁଛି, ଥଣ୍ଡା ନାହିଁ । ବର ଏବଂ ଓସ୍ତ ଗଛର ପତ୍ର ମୋଟା ଓ ଚଉଡ଼ା, ଯାହା ଛତା ଭଳି ଛାଇ ଦେଇଥାଏ । ଯେଉଁଠି ଗୋଟିଏ ଗୋଟିଏ ଗଛ ଅଛି, ସେଇଠି ଭିଡ଼ । ଦୁର୍ଭାଗ୍ୟ ମୋଟ ବୃକ୍ଷ ରୋପଣରେ ବର, ଓସ୍ତ, ତ୍ରିଫଳ, ଡିମିରି ଓ ଜରି ଭଳି ବିଶାଳକାୟ ଗଛ ସଂଖ୍ୟା ମାତ୍ର ୧୦% ।

ଗବେଷଣାତ୍ମକ ତଥ୍ୟ କହୁଛି, ଜଣେ ମଣିଷକୁ ଦୈନିକ ୮୪୦ ଗ୍ରାମ ଅମ୍ଳଜାନ ଦରକାର । ଦିନକୁ ବିଶାଳ ଓସ୍ତ ଗଛ ୩ରୁ ସାଢ଼େ ୩ କିଲୋ, ବର ୨.୫ରୁ ୨.୮ କିଲୋ, ନିମ୍ବ ୧.୫ରୁ ୧.୮ କିଲୋ, ଆମ୍ବ ୧.୧ କିଲୋରୁ ୧.୩ କିଲୋ, କରଞ୍ଜ ପ୍ରାୟ ୧ କିଲୋ ଅମ୍ଳଜାନ ଯୋଗାଇଥାଏ । ଏକ ରିପୋର୍ଟ ଅନୁସାନରେ ଗତ ୧୦ ବର୍ଷରେ ଭୁବନେଶ୍ୱରରେ ପାଖାପାଖି ୮ ହଜାରରୁ ୧୦ ହଜାର ବର ଏବଂ ଓସ୍ତ ଗଛ କଟାଯାଇଛି କିମ୍ବା ପ୍ରାକୃତିକ ବିପର୍ଯ୍ୟୟରେ ଉଜୁଡ଼ିଛି । ଏହାର ଅର୍ଥ ଦିନକୁ ପ୍ରାୟ ୩୦ ଟନ (୩୦ ହଜାର କିଲୋ) ଅମ୍ଳଜାନ କ୍ଷତି, ଯାହାକି ପ୍ରାୟ ୩୫ ହଜାର ଲୋକଙ୍କର ଦିନକର ଅମ୍ଳଜାନ । ଏଭଳି ବିଶାଳ ଗଛଗୁଡ଼ିକର ପର୍ଯ୍ୟାପ୍ତ ଛାଇ ଯୋଗୁ ସହରୀ କଂକ୍ରିଟ, କାନ୍ଥ, କୋଠା, ଛାତରେ ଖରା କମ୍ ପଡ଼ିଥାଏ । ସେହିଭଳି ଜାମୁ, ଆମ୍ବ, ନିମ୍ବ ଆଦି ଗଛ ମଧ୍ୟ ବାୟୁମଣ୍ଡଳକୁ ଶୀତଳ ରଖିବାରେ ସହାୟକ ହୁଏ । ମାତ୍ର ସରକାରୀ ବୃକ୍ଷରୋପଣରେ ଏମାନଙ୍କ ସଂଖ୍ୟା ସ୍ୱଳ୍ପ । ରାଜ୍ୟ ବନ ବାହିନୀ ମୁଖ୍ୟ (ପିସିସିଏଫ୍) କେ. ମୁରଗେସନ କହିଛନ୍ତି, ଅସନ, ଧଉରା, ଶାଳ, ପିଆଶାଳ, ହରିଡ଼ା, ବାହାଡ଼ା, ଫାସି ଭଳି ଦେଶୀ ଗଛ ଯାହାର କାଠ ମୂଲ୍ୟବାନ, ତାହା ୪୦% ରୋପଣ ହେଉଛି । ଆମ୍ବ, ପଣସ, ଜାମୁ, ମହୁଲ, ତେନ୍ତୁଳି, ମହୁଆ, ଅଁଳା, ତେନ୍ତୁଳି, ଚାର, ବେଲ ଗଛ ୪୦% ରୋପଣ କରାଯାଉଛି । ବର, ଓସ୍ତ ୧୦% ଏବଂ ଚାକୁଣ୍ଡା, ଆକାଶିଆ, ଶିରିସ ଗଛ ମଧ୍ୟ ୧୦% ଲଗାଯାଉଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଝାଉଁ ଲାଗୁଛି । ବନ ବିଭାଗ ଅଧିକାରୀଙ୍କ ଯୁକ୍ତି ହେଲା, ସହର ଭିତରେ ବଡ଼ ଗଛ ଲଗାଇବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ତେଣୁ ଅଧିକ ପରିମାଣରେ ଏଭଳି ଗଛ ଲଗାଯାଉନି । ଏହାଛଡ଼ା ସ୍ଥାନୀୟ ପୌର ପ୍ରଶାସନ ମଧ୍ୟ ସହରର ସୌନ୍ଦର୍ଯୀକରଣ ପାଇଁ ବିଭିନ୍ନ କିସମର ଗଛ ଲଗାଉଛି ।

ଆହୁରି ପଢନ୍ତୁରଜରେ ଭିଜିବ ଓଡ଼ିଶା, ଛୁଇଁବ ମୌସୁମୀ ବାୟୁ, ଅଗ୍ରସର କରିବ ଲଘୁଚାପ

ଗ୍ରୀନ ୱାଲ୍ଡ ଟ୍ରଷ୍ଟ ପ୍ରତିଷ୍ଠାତା ନୃପେଶ ନାୟକ କହିଛନ୍ତି, ୯୦ ଦଶକ ପରଠାରୁ ଭୁବନେଶ୍ୱର-ପୁରୀ ରାସ୍ତାରୁ ବହୁ ପରିମାଣରେ ଓସ୍ତ, ବର, ଆମ୍ବ, ପଣସ ଗଛ କଟିଛି । କିନ୍ତୁ, ଗଛ କଟିବା ମାତ୍ରେ କ୍ଷତିପୂରଣ ବାବଦକୁ ୧୦ଟି ଲେଖାଏଁ ଗଛ ତୁରନ୍ତ ଲଗାଯିବା କଥା । ରାସ୍ତା ସମ୍ପ୍ରସାରଣ ସରିଲାବେଳକୁ ଗଛ ଯେମିତି କିଛି ମାତ୍ରାରେ ବଢ଼ିଥିବ । ସେମିତି ହେଉନି । ଫୋନି ବାତ୍ୟାରେ ବି ବହୁ ଗଛ ଉଜୁଡ଼ିଲା । ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟତଃ ସହରରେ ଶୀଘ୍ର ବଢ଼ିଲା ଭଳି କରଞ୍ଜ, ବଉଳ, ଚାଖୁଣ୍ଡା ଏବଂ ଅର୍ନାମେଣ୍ଟାଲ ଗଛ ଲଗାଯାଉଛି । କିନ୍ତୁ, ମୋଟା ପତ୍ର ଥିବା ଗଛ (ବର, ଓସ୍ତ, ଛତିଆନା) ଲଗାଯାଉନି । ଏ ଗଛ ମଣିଷକୁ ଛାଇ ଓ ଅମ୍ଳଜାନ ସହ ପକ୍ଷୀଙ୍କୁ ବି ଆଶ୍ରୟ ଦେଇଥାଏ । ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି । ନଚେତ ଆଗକୁ ସ୍ଥିତି ଭୟାନକ ହେବ । ଇଣ୍ଡିଆନ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ ଅନୁସାରେ ରାଜ୍ୟରେ ୧୫୨ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି । ଜଙ୍ଗଲ ଅଞ୍ଚଳ ବାଦ୍ ୪୦୭ ବର୍ଗ କିମି ଅଞ୍ଚଳରେ ସବୁଜିମା ବୃଦ୍ଧି ପାଇଛି । ୨୩ଟି ଜିଲ୍ଲାରେ ଜଙ୍ଗଲ କଳେବର ବଢ଼ିଥିବାବେଳେ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଜଙ୍ଗଲ ଓ ସବୁଜିମା କମିଛି । ଏଥିରୁ ଅନୁମାନ କରାଯାଇପାରେ, ପାହାଡ଼ ପର୍ବତ ଜଙ୍ଗଲ ଘେରା ଆଦିବାସୀ ବହୁଳ ଜିଲ୍ଲାରେ ବିକାଶ କେମିତି ପରିବେଶକୁ ଗିଳି ଚାଲିଛି ।

ଭାରତୀୟ ନଦୀକୁ ହାଇଜ୍ୟାକ କରୁଛି 'Green Vampire' ! ଭାରତକୁ କେମିତି ଆସିଲା ଏହି ପ୍ରଜାତି ଓ ଏହା କେତେ ଭୟଙ୍କର ?