ପୂଜା କମିଟି ବୈଠକ ବେଳେ ଆକ୍ରମଣ: ଝିଆରୀକୁ ଆକ୍ରମଣ, ଛୁରାମାଡ଼ରେ ବଡ଼ବାପା ଆହତ

ବେଲବାହାଳି,୨୮/୧୧: କାର୍ତ୍ତିକେଶ୍ୱର ପୂଜା କମିଟି ବୈଠକ ଚାଲିଥିବାବେଳେ ଝିଆରୀକୁ ଆକ୍ରମଣ ସହ ବଡବାପାଙ୍କୁ ଛୁରା ମାଡ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେକୁଟିଆ ଗ୍ରାମରେ । ଝିଆରୀକୁ ଆକ୍ରମଣ କରିବା ସମୟରେ ବଡବାପା ପ୍ରତିରୋଧ କରିବାରୁ ତାଙ୍କୁ ଛୁରାମାଡ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ଯ କାହାରିକୁ ଗିରଫ କରିନାହିଁ ।
ସୂଚନା ମୁତାବକ, ରବିବାର ଗ୍ରାମର କାର୍ତ୍ତିକେଶ୍ୱର ପୂଜା କମିଟିର ବୈଠକ ଚାଲିଥିଲା । ପୂଜାରେ ହୋଇଥିବା ଖର୍ଚ୍ଚର ହିସାବ ଚାଲିଥିବାବେଳେ କମିଟିର ସଭାପତି କରୁଣାକର ଚକ୍ରଙ୍କୁ ଗ୍ରାମର ମୁନା କେଶୀ, ଗଦୁଲ କେଶୀ ଏବଂ ତାଙ୍କ ଭାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ବୁଦ୍ଧଦେବ ଚକ୍ର ଏହାକୁ ବିରୋଧ କରିବାରୁ ତାଙ୍କ ଘରେ ପଶି ତାଙ୍କ ନାବାଳିକା ଝିଅକୁ ମୁନା କେଶୀ ଆକ୍ରମଣ କରିଥିଲେ ।
ଝିଆରୀକୁ ରକ୍ଷା କରିବା ସମୟରେ ବୁଦ୍ଧଦେବ ଚକ୍ରଙ୍କ ଭାଇ ନବୀନ ଚକ୍ରଙ୍କୁ ଏକ ଛୁରୀରେ ଆକ୍ରମଣ କରାଯାଇଥିଲା । ଚକ୍ର ପରିବାର ଲୋକେ ନବୀନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।