ପୁଲଓ୍ବାମା ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ କହୁଛି ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସରକାର ଓ ସ୍ଥାନୀୟ ଗଣମାଧ୍ୟମର ଅସଲ ମୁଖା ଖୋଲି ଯାଇଛି। ଭାରତର ୪୪ ଜଣ ଯବାନ ଶହୀଦ ହୋଇଯାଇଥିବା ବେଳେ ପାକିସ୍ତାନ କିନ୍ତୁ ଏହି ପ୍ରସଙ୍ଗରେ ଚୁପ୍ ରହିଛି। ପାକିସ୍ତାନର ଖବର କାଗଜ ‘ଦ ନେଶନ୍’ ଏହି ଆକ୍ରମଣ ଘଟଣାକୁ ଫ୍ରିଡମ ଫାଇଟର ବା ସ୍ବାଧୀନତା ସଂଗ୍ରାମୀ ଦ୍ବାରା ଆକ୍ରମଣ କରାଯାଇଥିବା ଦର୍ଶାଇଛି। ସେଭଳି ‘ଦ ଡନ୍’ ଏତେ ବଡ ଘଟଣାକୁ ଛୋଟ କରି ପ୍ରକାଶିତ କରିଛି।
ଏହାକୁ ନେଇ ଭାରତୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ପାକିସ୍ତାନ ଆକ୍ରମଣ ଘଟଣାରେ ତା’ର ହାତ ଥିବା ନେଇ ଭାରତର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ସବୁଠାରୁ ବଡ କଥା ହେଉଛି ଭାରତ ସହ ବନ୍ଧୁତ୍ବର କଥା କହୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କିନ୍ତୁ ଏହି ଘଟଣା ନେଇ କ୍ଷୋଭ କିମ୍ବା ନିନ୍ଦା ପ୍ରକାଶ କରିନାହାଁନ୍ତି। ପାକିସ୍ତାନର କୌଣସି ମନ୍ତ୍ରୀ କିମ୍ବା ନେତା ଏହାକୁ ନିନ୍ଦା କରିନାହାଁନ୍ତି। ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିବା ସହ ଭାରତର ଅଭିଯୋଗକୁ ଖଣ୍ଡନ କରିଛି।