ଅଡିଓ କ୍ଲିପ ଜାରି କଲା ପୁଲଓ୍ବାମା ମାଷ୍ଟରମାଇଣ୍ଡ ମାସୁଦ ଆଝାର

ଇସଲାମାବାଦ,୭।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଏକ ଅଡିଓ କ୍ଲିପ୍ ମିଳିଛି। ଏହି କ୍ଲିପରେ ସେ କହିଛନ୍ତି ମୁଁ ଏବେ ବି ବଞ୍ଚିଛି। ଏହାପରେ ସେ କହିଛି ’ଆହ୍ଲାଙ୍କୁ ଡର’। ଏହି ଅଡିଓ କ୍ଲିପ ଏଭଳି ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ସେନା କହୁଛି ଜୈଶ ସଂଗଠନ ତାଙ୍କ ଦେଶରେ ନାହିଁ। ସେନାର କହିବା ଅନୁସାରେ ଏହି ସଂଗଠନ ସହିତ ପାକିସ୍ତାନ ସରକାରଙ୍କ କୌଣସି ସମ୍ପର୍କ ନାହିଁ।

ପାକିସ୍ତାନ ସେନାର ଏହି ବୟାନ ପରେ ମାସୁଦ ଆଝାରର ଏହି ଅଡିଓ କ୍ଲିପ ଆସିଛି। ସମସ୍ତ ଅନ୍ତଃର୍ଜାତୀୟ ଚାପ ପରେ ପାକିସ୍ତାନ ପୁଲିସ ମାସୁଦ ଆଝାରର ଭାଇ ଓ ପୁଅକୁ କଷ୍ଟଡିରେ ନେଇଛି। ପୋଲିସ ତାଙ୍କୁ ପଚରା ଉଚରା କରୁଛି। ଏହି ଅଡିଓ କ୍ଲିପ ପୂର୍ବରୁ ମାସୁଦଙ୍କୁ ନେଇ ପାକିସ୍ତାନୀ ସରକାର ଓ ସେନା ମଧ୍ୟରେ ଅର୍ନ୍ତଃବିରୋଧୀ ମନ୍ତବ୍ୟ ଦେଖିବାକୁ ମିଳିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି କହିଥିଲେ ମାସୁଦ ଆଝାର ଫେରାର ନୁହେଁ, ବଂର ଦେଶ ଭିତରେ ରହିଛି। ଏହାର ଓଲଟା ପାକିସ୍ତାନ ସେନା ମୁଖପାତ୍ର ଜେନେରାଲ ଆସିଫ୍ ଗଫୁର କହିଛନ୍ତି ମାସୁଦ ଆଝାର ପାକିସ୍ତାନରେ ନାହିଁ।

ଏହି ସବୁ ବୟାନ ମଧ୍ୟରେ ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚାପ ବଢିବାରେ ଲାଗିଛି। ଆମେରିକା, ଫ୍ରାନ୍ସ ସହିତ ବିଶ୍ବର ବହୁ ଦେଶ ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ବିରୋଧରେ ନୀତି ନିର୍ଦ୍ଧାରଣ କରୁଥିବା ସଂସ୍ଥା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଦଳ (ଏଫ୍ଏଟିଏଫ୍) ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଛି। ପାକିସ୍ତାନକୁ ଚେତାବନୀ ଦେବା ପରେ ଏହି ସଂସ୍ଥା ପ୍ୟାରିସ ବୈଠକରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛି।