ରାଉରକେଲା,୨୦/୦୯: କଖାରୁ ଫୁଲ, ଟସର ପୋକ ଇତ୍ୟାଦିରୁ ଔଷଧ ପ୍ରସ୍ତୁତି ନେଇ ପ୍ରୟାସ ଚାଲିଛି । ଏ ନେଇ ଏନ୍ଆଇଟି ରାଉରକେଲା ଗବେଷକମାନେ ଔଷଧୀୟ ଗୁଣି ଖୋଜିବା ସମ୍ପର୍କିତ ଏକ ପେଟେଣ୍ଟ ପାଇଛନ୍ତି । ଏନ୍ଆଇଟି ରାଉରକେଲାର ଗବେଷକମାନେ ‘ବାୟୋ ନାନୋ ଇଞ୍ଜିନିୟର୍ଡ ଏଥୋସୋମାଲ୍ ଫର୍ମୁଲେସନ କମ୍ପ୍ରାଇଜିଙ୍ଗ ସିଲ୍କ ସେରିସିନ ପ୍ରୋଟିନ୍ସ’ଶୀର୍ଷକରେ ୫୬୮୮୮୭ ନମ୍ବରରେ ଏହି ପେଟେଣ୍ଟ ପାଇଛନ୍ତି । ୨୧ ଜୁଲାଇ ୨୦୨୫ ରେ ଭାରତ ସରକାରଙ୍କ ପେଟେଣ୍ଟ ଅଫିସ୍ ଏନ୍ଆଇଟିକୁ ସ୍ୱୀକୃତି ଦେଇଛି । ଏଥିରେ ସିଲଭର ନାନୋପ୍ରାକ୍ଟିକାଲ୍ସ ଓ ସିଲ୍କ ସେରିସିନ୍ ପ୍ରୋଟିନ୍ ସମ୍ମିଳିତ ଏକ ନୂଆ ଔଷଧୀୟ ଫର୍ମୁଲେସନ୍ ବିକଶିତ କରାଯାଇଛି ।
ଭାରତ ସମୃଦ୍ଧ ସଂସ୍କୃତି ଓ ପୁରାତନ ଜ୍ଞାନର ଭଣ୍ଡାର । ଦୀର୍ଘକାଳ ଧରି କୁକୁରବିଟା ମ୍ୟାକ୍ସିମା ତଥା ପମ୍ପକିନ୍ (ଯାହାକୁ କଖାରୁ କିମ୍ବା ବୋଇତାଳୁ କୁହାଯାଏ)ଭାରତୀୟ ପାକଶାଳାରେ ବିଶେଷ ସ୍ଥାନ ଦାଖଲ କରିଆସିଛି । ଏହାର ପତ୍ର, ଫଳ ଓ ପୁଷ୍ପଦଳ ସେବନୀୟ ଓ ଔଷଧୀୟ ଭାବେ ବ୍ୟବହୃତ ହୋଇଥାଏ । ଏହି ପ୍ରକଳ୍ପର ନେତୃତ୍ୱ ନେଇଥିବା ଜୀବବିଜ୍ଞାନ ବିଭାଗର ସହପ୍ରାଧ୍ୟାପକ ଓ ବିଭାଗାଧ୍ୟକ୍ଷ ଡା. ବିସ୍ମିତା ନାୟକ କହିଛନ୍ତି, ୨୦୧୨ରୁ ଆମେ ଏହି ଗବେଷଣା ଆରମ୍ଭ କରିଥିଲୁ । କଖାରୁର ପୁଷ୍ପଦଳ ଦ୍ୱାରା ପରିବେଶ-ବନ୍ଧ ପ୍ରଣାଳୀରେ ଚାନ୍ଦି ନାନୋକଣିକା ବିକଶନର ସମ୍ଭାବନା ଖୋଜିବା ଥିଲା ମୁଖ୍ୟ ଲକ୍ଷ୍ୟ । ସେରିସିନ୍ (ଯାହା ସିଲ୍କ ଶିଳ୍ପରେ ଅବାଞ୍ଛିତ ବସ୍ତୁ ଭାବେ ଗଣା ହୁଏ) ଚର୍ମ ପୁନର୍ଜୀବନ ଓ କ୍ୟାନ୍ସର ବିରୋଧୀ ଗୁଣ ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଏହି ସେରିସିନ୍ ଆନ୍ଥେରିଆ ମିଲିଟ୍ଟା (ଟସର ପୋକ) ଠାରୁ ମିଳିଥିଲା, ଯାହା ମୟୂରଭଞ୍ଜରେ ବ୍ୟାପକ ଭାବେ ପାଳନ କରାଯାଏ । ଚିଟୋସାନ୍, ଯାହା ଅମ୍ଳିୟ ପରିବେଶରେ ଥାଏ, ଏଜିଏନ୍ପିଏସ୍ ଓ ସେରିସିନର ସ୍ଥାନୀୟ ମୁକ୍ତି ପାଇଁ ସର୍ବୋତ୍ତମ ମାଧ୍ୟମ ଭାବେ କାମ କରେ । କ୍ୟାନ୍ସର ସ୍ଥଳର ଅମ୍ଳିୟ ପରିବେଶ ଆପେ-ଆପେ ଔଷଧକୁ କ୍ରମାଗତ ଭାବେ ମୁକ୍ତ କରିଥାଏ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ବନ୍ୟଜୀବ ଓ ଜୈବ ବିବିଧତା ବିଭାଗର ସହାୟକ ପ୍ରାଧ୍ୟାପକ ଡା. ଦେବାଶିଷ ନାୟକ କହିଛନ୍ତି, ଏହି ଫର୍ମୁଲେସନରେ ସିଲଭର ନାନୋପ୍ରାକ୍ଟିକାଲ୍ସ ଓ ସେରିସିନ୍ ପ୍ରୋଟିନ୍କୁ ଚିଟୋସାନରେ ଆବୃତ କରାଯାଇଛି ଏବଂ ପରେ ଏଥୋସାମ୍କୁ ଡିଲିଭେରି ବାହନ ଭାବେ ବ୍ୟବହାର କରାଯାଇଛି । ଏହା ସ୍କିନ୍ କ୍ୟାନ୍ସର ଚିକିତ୍ସାରେ ପ୍ରଭାବଶାଳୀ, ବିଷମୁକ୍ତ, ବାୟୋଡିଗ୍ରେଡେବଲ୍ ଓ ରକ୍ତ ସହିତ ସାମଞ୍ଜସ୍ୟ ରଖେ । ଆହୁରି ସେ କହିଛନ୍ତି ଏହି ଆବିଷ୍କାରକୁ କ୍ରିମ୍ କିମ୍ବା ଅଏଣ୍ଟମେଣ୍ଟ ଭାବେ ପ୍ରସ୍ତୁତ କରି, ରୋଗୀମାନେ ନିଜେ ପ୍ରୟୋଗ କରିପାରିବେ । କ୍ୟାନ୍ସର ଔଷଧ, ବ୍ୟାକ୍ଟେରିଆ ବିରୋଧୀ ପଟି, ଘା' ସୁସ୍ଥ କରିବା, ସିଲାଇ ସାମଗ୍ରୀ, କ୍ରିମ୍ ଓ ଲୋସନରେ ମଧ୍ୟ ଏହାର ସମ୍ଭାବନା ରହିଛି।