ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଡା. ଗୁରପ୍ରୀତ କୌରଙ୍କୁ କରିବେ ଦ୍ୱିତୀୟ ବିବାହ

ଚଣ୍ଡୀଗଡ,୬।୭:ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଡା.ଗୁରପ୍ରୀତ କୌରଙ୍କୁ ଗୁରୁବାର ବିବାହ କରିବେ। ୪୮ ବର୍ଷୀୟ ମାନ୍ଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ପାଇଁ ଝିଅ ଦେଖିବା କାମ ତାଙ୍କ ମା’ ଏବଂ ଭଉଣୀ ଠିକ୍ କରିଛନ୍ତି। ବିବାହରେ କେବଳ ପରିବାର ଲୋକ ହିଁ ସାମିଲ ହେବେ,ତେବେ ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କାର୍ଯ୍ୟକ୍ରମରେ ସାମିଲ ହେବେ।
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ୨୦୧୬ ରେ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ଦେଇସାରିଛନ୍ତି। ଏବେ ତାଙ୍କର ପତ୍ନୀ ଏବଂ ପୁଅ-ଝିଅ ଆମେରିକାରେ ରହୁଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାପରେ ମାନ୍ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାଙ୍କର ପୁଅ-ଝିଅ ଆସିଥିଲେ। ଛାଡପତ୍ରର ୬ ବର୍ଷ ପରେ ମାନ୍ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ, ମାନ୍ଙ୍କ ମା’ଙ୍କର ଇଛା ଥିଲା ତାଙ୍କ ପୁଅ ଆଉ ଥରେ ବିବାହ କରୁ। ସେଥିପାଇଁ ତାଙ୍କ ମା’ ଓ ଭଉଣୀ ଝିଅ ଖୋଜୁଥିଲେ।
ଭଗୱନ୍ତ ମାନ୍ ୨୦୧୧ରେ ରାଜନୀତିକୁ ଆସିଥିଲେ। ୨୦୧୪ ରେ ପ୍ରଥମ ଥର ଆପ୍ ଟିକେଟରେ ସଙ୍ଗରୁରରୁ ସାଂସଦ ଥିଲେ। ସେତେବେଳେ ତାଙ୍କ ପତ୍ନୀ ଇନ୍ଦ୍ରଜିତ କୌର ମଧ୍ୟ ପ୍ରଚାରରେ ନଜର ଆସିଥିଲେ। ଦୁହିଁଙ୍କର ୨୦୧୬ରେ ଛାଡପତ୍ର ହୋଇଥିଲା। ମାନ୍ ୨୦୧୯ ରେ ସଙ୍ଗରୁରରୁ ନିର୍ବାଚନ ଜିତିଥିଲେ, କିନ୍ତୁ ୨୦୨୨ ରେ ଆପ୍ ପକ୍ଷରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ନେତୃତ୍ବରେ ଦଳ ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ମାନ୍ ୧୬ ମାର୍ଚ୍ଚ ୨୦୨୨ ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ନିର୍ବାଚନ ସମୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ମାନ୍ ଲେଖିଥିଲେ ପରିବାର ଅପେକ୍ଷା ପଞ୍ଜାବକୁ ମୁଁ ଅଗ୍ରାଧିକାର ଦେଇଛି। ରାଜନୀତି କାରଣରୁ ସେ ପରିବାରକୁ ସମୟ ଦେଇ ପାରୁନଥିଲେ। ଏହି କାରଣରୁ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ବୋଲି ମାନ୍ କହିସାରିଛନ୍ତି।