PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଜେଲ୍‌ରେ ନେତାଗିରି କରୁଥିଲେ, ଛେଚା ଖାଇଲେ ପୁଞ୍ଜିଲାଲ

ବଲାଙ୍ଗୀର/ପାଟଣାଗଡ଼,୨୪ା୧(ସପ୍ର/ଆପ୍ର): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜେଲ ଭିତରେ ନେତାଗିରି କରି ନିର୍ଘାତ ମାଡ଼ ଖାଇଛନ୍ତି । ତାଙ୍କ ସହିତ ଅନ୍ୟ ୬ଜଣ ଅନ୍ତେବାସୀ ମଧ୍ୟ ମାଡ଼ ଖାଇଛନ୍ତି । ଜେଲ କର୍ମଚାରୀଙ୍କ ମାଡ଼ ପରେ ସେମାନେ ବିଦ୍ରୋହୀ ହୋଇଉଠିଥିଲେ । ପରେ କୌଣସି ଉପାୟରେ ସେମାନଙ୍କୁ କାବୁ କରାଯାଇ ପୃଥକ୍‌ ପୃଥକ୍‌ ସେଲରେ ରଖାଯାଇଛି ।
ଅପରପକ୍ଷେ ଜେଲ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ପରେ ପୁଞ୍ଜିଲାଲକୁ ନେତାବୋଲି ମାନି ନେଇଥିବା ଜେଲର ଅନ୍ୟ ଅନ୍ତେବାସୀମାନେ ଅନଶନରେ ବସିଥିଲେ । ଜେଲର ୭୨ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୬୪ଜଣ ବିଚାରାଧୀନ ଅନ୍ତେବାସୀ ପୁଞ୍ଜିଲାଲଙ୍କୁ ସମର୍ଥନକରି ଅନଶନରେ ରହିଥିଲେ । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ଆଜୀବନ ସଜା ଭୋଗୁଥିବା ଅନ୍ୟ ୮ଜଣ ଅନ୍ତେବାସୀ ଅଲଗା ସେଲ୍‌ ଭିତରେ ରହୁଥିବାରୁ ସେମାନେ ଘଟଣା ସମ୍ପର୍କରେ କିଛି ଜାଣିନପାରି ଖାଦ୍ୟ ଖାଇଥିବା ଜଣାପଡ଼ିଛି । ଖବର ପାଇ ଜେଲ ଡିଆଇଜି ଅମୀୟ ପଟ୍ଟନାୟକ ପାଟଣାଗଡ଼ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ । ଜେଲ ଭିତରେ କ୍ରମାଗତ ଭାବେ ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଦର୍ଶାଇ ପୁଞ୍ଜିଲାଲ ଗତ କିଛି ମାସଧରି ଜେଲ ଭିତରେ ଗୋଷ୍ଠୀ ତିଆରିକରି ଆନ୍ଦୋଳନ ଚଳାଇ ଆସୁଥିଲେ । ଏପରିକି ଜେଲ କର୍ମଚାରୀଙ୍କୁ ଚିଡ଼ାଇବା ସହ ବିଭିନ୍ନ ସମୟରେ ଅନଶନ କରୁଥିଲେ । ଆଜି ଜେଲ କର୍ମଚାରୀମାନେ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ପୁଞ୍ଜିଲାଲଙ୍କୁ ସମର୍ଥନ କରି ସାମ୍ନାକୁ ଆସିଥିବା ଆଉ ୭ ଅନ୍ତେବାସୀଙ୍କ ଉପରେ ମଧ୍ୟ ମାଡ଼ ହୋଇଥିବା ଜଣାପଡ଼ିଛି । ଏହାର ପ୍ରତିବାଦରେ ସେମାନେ ବିଦ୍ରୋହୀ ଉଠିଥିଲେ । ଜେଲର ପ୍ରଦୀପ୍ତ ମହାଲିଙ୍ଗଙ୍କୁ ଆଲୋଚନା ପାଇଁ ଭିତରକୁ ଡ଼ାକି ସେଲ ଭିତରେ ଭରିଦେଇଥିଲେ । ପୁଲିସ ଓ ମାଜିଷ୍ଟ୍ରେଟ ନଆସିବା ପର୍ଯ୍ୟନ୍ତ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ଜିଦ୍‌ରେ ଅଡ଼ିବସିଥିଲେ । ପରେ ଖବର ପାଇ ଅପରାହ୍ନ ୪ଟା ସମୟରେ ପୁଲିସ ପହଞ୍ଚି ଜେଲର ଶ୍ରୀ ମହାଲିଙ୍ଗଙ୍କୁ ଉଦ୍ଧାର କରିଥିଲା । ଖବର ପାଇ ସନ୍ଧ୍ୟାରେ ବରିଷ୍ଠ ଜେଲ ଅଧୀକ୍ଷକ ଅମୀୟ ପଟ୍ଟନାୟକ ପାଟଣାଗଡ଼ ପହଞ୍ଚି ଆନ୍ଦୋଳନକାରୀ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କୁ ବୁଝାସୁଝା କରିବା ପରେ ରାତି ପ୍ରାୟ ୯ଟା ସମୟରେ ସେମାନେ ଖାଦ୍ୟ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ଖାଦ୍ୟକୁ ନେଇ ଜେଲ କର୍ମଚାରୀଙ୍କ ସହିତ ପୁଞ୍ଜିଲାଲଙ୍କ ଉଚ୍ଚବାଚ ହୋଇଥିଲା । ପୁଞ୍ଜିଲାଲଙ୍କୁ ସମର୍ଥନକରି ଅନ୍ୟ ଅନ୍ତେବାସୀମାନେ ଏକତ୍ରିତ ହୋଇଥିଲେ । ପାଟିତୁଣ୍ଡ ହେବା ବେଳକୁ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଅନ୍ତେବାସୀମାନେ ଖାଦ୍ୟ ନଖାଇ ଜେଲରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ । ଜେଲର ଭିତରକୁ ପଶିବା ପରେ ଅନ୍ତେବାସୀମାନେ ତାଙ୍କୁ ୧ ନମ୍ବର ସେଲ ଭିତରେ ଭରିଦେଇଥିଲେ । ଏହାଦେଖି ଜେଲ କର୍ମଚାରୀମାନେ ସେମାନଙ୍କୁ କାବୁକରି ନିସ୍ତୁକ ମାଡ଼ ମାରିଥିଲେ ଏବଂ ପୁଞ୍ଜିଲାଲଙ୍କ ସମେତ ଅନ୍ୟ ୬ଜଣଙ୍କୁ ସେଲ ଭିତରେ ଭର୍ତ୍ତି କରିଥିଲେ । ଏହାର ପ୍ରତିବାଦରେ ଅନ୍ୟ ଅନ୍ତେବାସୀମାନେ ଅନଶନରେ ବସିଥିଲେ । ପରେ ପୁଲିସ ପହଞ୍ଚି ଜେଲରଙ୍କୁ ଉଦ୍ଧାର କରିଥିଲା ।
ଅପରପକ୍ଷେ ଏହି ଘଟଣା ପରେ ଜେଲ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳ ୭ଟା ସମୟରେ ପୁଞ୍ଜିଲାଲ ଏବଂ ପୂର୍ବରୁ ଡ଼କାୟତି ମାମଲାରେ ଜେଲରେ ଥିବା ଚୂଡ଼ାମଣୀ ନାଗ, ତନୁଠାକୁର, ସୁଦର୍ଶନ କୁମ୍ଭାର, ମହନ ବାଗ, କାଳିଆ ନାଗ, ଅନ୍ୟ ଜଣେ ଅଭିଯୁକ୍ତଙ୍କ ସମେତ ପୁଞ୍ଜିଲାଲ ମୁଖ୍ୟ ଗେଟ ସାମ୍ନାକୁ ଚାଲିଆସିଥିଲେ । ପୁଞ୍ଜିଲାଲ ସମସ୍ତଙ୍କ ଆଗରେ ରହିଥିବା ବେଳ ଅନ୍ୟ ୬ଜଣ ଡ଼କାୟତ ପଛରେ ରହି ଜେଲରୁ ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମୁଖ୍ୟ ଗେଟର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଡ଼କାୟତମାନେ ଜେଲ ସୁରକ୍ଷାକର୍ମୀମାନଙ୍କୁ ପାଲଟା ଧସ୍ତାଧସ୍ତା କରି ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ । ଏନେଇ ଜେଲ ୱାର୍ଡ଼ର ପଞ୍ଚାନନ ଭୋଇଙ୍କଠାରୁ ଜେଲର ଶ୍ରୀ ମହାଲିଙ୍ଗ ଖବର ପାଇ ଜେଲରେ ପହଞ୍ଚି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଜେଲ କର୍ତ୍ତୃପକ୍ଷ ସାଇରାନ ବଜାଇ ଦେଇଥିଲେ । ସାଇରନ ଶୁଣି ଅଧିକ ସୁରକ୍ଷାକର୍ମୀ ପହଞ୍ଚି ସମସ୍ତ ଫେରାର ଉଦ୍ୟମକାରୀଙ୍କୁ କାବୁ କର ସ୍ୱତନ୍ତ୍ର ସେଲରେ ରଖିଦେଇଥିଲେ । କିନ୍ତୁ ଏହାକୁ ପ୍ରତିବାଦ ଜଣାଇ ଜେଲରେ ଥିବା ୬୪ଜଣ କଏଦୀ ନଖାଇ ଆନ୍ଦୋଳନ କରିଥିଲେ । ଏ ସମ୍ପର୍କରେ ଜେଲର ଶ୍ରୀ ମହାଲିଙ୍ଗଙ୍କୁ ପଚାରିବାରୁ ଅନ୍ତେବାସୀଙ୍କୁ ମାଡ଼ ମରାଯିବା କଥାକୁ ଅସ୍ୱୀକାର କରିଥିଲେ । ପୁଞ୍ଜିଲାଲଙ୍କ ନେତୃତ୍ୱରେ ଅନ୍ତେବାସୀମାନେ ତାଙ୍କ ମୋବାଇଲ ଛଡ଼ାଇନେଇ ବିଭିନ୍ନ ସ୍ଥାନକୁ ଫୋନ କରିଥିବା ସେ କହିଥିଲେ ।