ବଡ଼ଦାଣ୍ଡରେ ଆଉ ଶୁଭୁନି ‘ମୁଁ ତ ବଡ଼ଦେଉଳର…’ ଖୁଣ୍ଟରେ ଝୁଲୁଛି ଅଚଳ ସ୍ପିକର, ଫନେଲ

ପୁରୀ, ୨୬/୦୫: ବଡ଼ଦାଣ୍ଡରେ ଆଉ ଶୁଭୁନି ମହାପ୍ରଭୁଙ୍କ ଭଜନ, ଜଣାଣ, ଚଉତିଶା । ସକାଳେ ସନ୍ଧ୍ୟାରେ ଆଉ ଭାସି ଆସୁନି ଭକ୍ତି ସଙ୍ଗୀତ । ମହାପ୍ରଭୁଙ୍କ ଗୀତିଗାଥାରେ ଆଉ ଝଙ୍କୃତ ହେଉନି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ‘ବଡ଼ଦାଣ୍ଡ ଭଜନ ପ୍ରକଳ୍ପ’ ଅଚଳ ହୋଇପଡ଼ିଛି। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଖରା, ବର୍ଷା, ପବନ ମାଡ଼ରେ ମାଟି କାମୁଡ଼ି ପଡ଼ିଛି ।
ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ପରିଚାଳନା ବାଟବଣା ହୋଇଛି । ୨୦୦୧ରେ ପ୍ରଥମ ଥର ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଇତିମଧ୍ୟରେ ୨୩ ବର୍ଷ ବିତି ସାରିଲାଣି । ହେଲେ ଯଦି ହିସାବକୁ ନିଆଯାଏ ତେବେ ୨୩ ବର୍ଷ ଭିତରେ ଏହା ୨ ବର୍ଷ ବି ଠିକ୍ରେ କାର୍ଯ୍ୟକାରୀ ହୋଇନାହିଁ । ଶେଷ ଥର ପାଇଁ ୨୦୧୮ରେ ‘ବଡ଼ଦାଣ୍ଡ ଭଜନ ପ୍ରକଳ୍ପ’ ନାମରେ ଏହାକୁ ପୁନଃ କାର୍ଯ୍ୟକାରୀ କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ନେଇଥିଲା । ଏହି ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଶତାଧିକ ଫନେଲ ଓ ସ୍ପିକର ଖଞ୍ଜା ଯାଇଥିଲା । ୫୦ରୁ ୧୦୦ ମିଟର ବ୍ୟବଧାନ ଡାକବାଜିରେ ଶୁଭୁଥିଲା ଭଜନ । ଶ୍ରୀମନ୍ଦିର ଦାନ କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମ୍ ରହିଥିଲା । ସେଠାରେ ମହାପ୍ରଭୁଙ୍କ ଲୋକପ୍ରିୟ ଭଜନ ସବୁ ଚୟନ କରି ବଜାଯାଉଥିଲା । ଯାହା ସମ୍ପୂର୍ଣ୍ଣ ବଡ଼ଦାଣ୍ଡରେ ଭକ୍ତଙ୍କୁ କରୁଥିଲା ବିଭୋର ।
ମଙ୍ଗଳଆଳତି ହେବାଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ହେବାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ ଶୁଣିବାକୁ ମିଳୁଥିଲା । ଆହେ ନୀଳ ଶଇଳ ଠାରୁ ହାତରେ ମୋ ମୁଠାମୁଠା ଶରଧାବାଲି ଭଜନ ମନରେ ଭକ୍ତିଭାବ ଭରିଦେଇଥିଲା । ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସୂଚାରୁ ରୂପେ ପରିଚାଳିତ ହୋଇଛି । ହେଲେ ଫୋନି ପରଠାରୁ ଏଥିପ୍ରତି ଆଉ ନଜର ଦିଆଯାଇନାହିଁ । ଫୋନିରେ ଅନେକ ସ୍ପିକର ନଷ୍ଟ ହୋଇଯାଇଥିଲା । ଏସବୁକୁ ସଜାଡ଼ିବା ବଦଳରେ ସେଭଳି ସ୍ଥିତି ଛାଡ଼ି ଦିଆଗଲା । ସେବେଠାରୁ ଏହା ସେମିତି ଅବସ୍ଥାରେ ପଡ଼ିରହିଛି । ଫନେଲ, ସ୍ପିକର ସବୁରେ ବହଳ କଳଙ୍କି ଲାଗିଗଲାଣି । ତାର ସବୁ ଛିଣ୍ଡିଯାଇଛି । ଖୁଣ୍ଟରେ ଲାଗିଥିବା ଅନେକ ସ୍ପିକର ଏବେ ଉଭାନ ହୋଇଗଲାଣି ମଧ୍ୟ । ଆଗକୁ ରଥଯାତ୍ରା ଥିବାରୁ ପୁଣି ଥରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି ଉଠୁଛି ।
ସଂସ୍କୃତି ପ୍ରେମୀ ଓ ବିଭିନ୍ନ ସଙ୍ଗଠନର ଦାବି ପରେ ୨୦୦୧ରେ ପ୍ରଥମ ଥର ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ଭିତରେ ବାରମ୍ବାର ଏହି ପ୍ରକଳ୍ପର ଦାୟିତ୍ୱ ପରିବର୍ତ୍ତନ ହୋଇଛି । କେତେବେଳେ ପୌରପାଳିକା,କେତେବେଳେ ପର୍ଯ୍ୟଟନ ବିଭାଗ ଓ କେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ୱ ନେଇଛି । ହେଲେ ୨୨ ବର୍ଷରେ ୨୦ ବର୍ଷ ବି ଏହା ବାଜିନି । ୨୦୧୩ରେ ଏହି ମାଇକ୍ରେ ଶ୍ରୀମନ୍ଦିରର ନୀତି ସମ୍ପର୍କିତ ଖବର ପ୍ରସାରଣ ପାଇଁ ତତ୍କାଳୀନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଘୋଷଣା କରିଥିଲେ । ହେଲେ ତାଙ୍କ ପରେ ଏହା ଅଟକି ଗଲା । ନିୟମତଃ ଶ୍ରୀମନ୍ଦିରର ସଂସ୍କୃତି ପ୍ରଚାର ପ୍ରସାର ସବ୍କମିଟି ଏହାର ଦାୟିତ୍ୱ ନେବା କଥା । ହେଲେ ୨୦୦୪ ପରେ ଏହି କମିଟି ମାତ୍ର ତିନିଥର ବସିଛି ଓ ଗୋଟିଏ ବହି ଛାପିଛି । ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଜଣେ ଭଲ ଗୀତିକାର, ଗାଳ୍ପିକ, ସ୍ତମ୍ଭକାର ଓ ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ସେ ଏନେଇ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏନେଇ କହିଛନ୍ତି, ଏହି ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ ବିଚାରବିମର୍ଶ ଚାଲିଥିଲା । ଏନେଇ ଏକ ଘରୋଇ ଏଜେନ୍ସିକୁ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ହେଲେ ସେ ମାତ୍ରାଧିକ ଟଙ୍କା କହିବାରୁ ଏହା ସ୍ଥଗିତ ରହିଛି । ରଥପୂର୍ବରୁ ଡାକବାଜିକୁ ମରାମତି କରି କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।