ପୁରୀ,୨୪/୦୭: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଆଉ ୫ଟି ଟ୍ରେଡ୍ ମାର୍କ ଆବେଦନ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲ୍ରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି । ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ଏହି ଅନୁମୋଦନ ମଧ୍ୟରେ ସ୍ଥାନ ପାଇଛି । ଏହି ଅନୁମୋଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗୁରୁବାର ସୂଚନା ଦେଇଛନ୍ତି ।
— Shree Jagannatha Temple Office, Puri (@SJTA_Puri) July 23, 2026
ସୂଚନାଥାଉକି, ପୂର୍ବରୁ ଗତ ଜୁନ୍ ମାସରେ ଆନନ୍ଦ ବଜାର, ପତିତପାବନ, ନୀଳଚକ୍ର ଲୋଗୋର ସଂରକ୍ଷଣ ପାଇଁ ଟ୍ରେଡ୍ ମାର୍କ ପ୍ରକାଶନ ଅନୁମୋଦନ ମିଳିଥିଲା । ୧୨ ଶତାବ୍ଦୀର ଶ୍ରୀମନ୍ଦିରରେ ଅନେକ ସ୍ୱତନ୍ତ୍ର ଶବ୍ଦାବଳୀ ବ୍ୟବହାର ହୋଇଥାଏ । ଏହା ସ୍ଥାନ, ଜିନିଷ, ସଂସ୍କୃତି, ବ୍ୟବସ୍ଥାର ସ୍ୱତନ୍ତ୍ରତା ପ୍ରମାଣିତ କରିଥାଏ । ମାତ୍ର କେତେକ ସଂସ୍ଥା ଓ ଗୋଷ୍ଠୀ ଏହି ଶବ୍ଦର ଅପବ୍ୟବହାର କରି ଲାଭବାନ ହେବାକୁ ଚେଷ୍ଟା କରୁଛନ୍ତି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ସ୍ଥଳ ଆଦିର ବିଶେଷତା ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏହି ସ୍ୱତନ୍ତ୍ର ଶବ୍ଦାବଳୀ, ଲୋଗୋ ପ୍ରଭୃତିର ଟ୍ରେଡ ମାର୍କ ଆକ୍ଟ ଅନ୍ତର୍ଗତ ପଞ୍ଜୀକରଣ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ୨୯ଟି ନାମ, ଶବ୍ଦ ଓ ସଙ୍କେତର ଟ୍ରେଡ୍ ମାର୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରିଛି । ଏହି ସ୍ୱତନ୍ତ୍ର ନାମ, ଶବ୍ଦ ଓ ସଙ୍କେତଗୁଡ଼ିକ ଟ୍ରେଡ୍ ମାର୍କ ଅନୁମୋଦନ ପାଇବା ପରେ ଏହାର ଅପବ୍ୟବହାରକାରୀଙ୍କୁ ପ୍ରଶାସନ ନୋଟିସ୍ କରିବ । ଏହାର ଅପବ୍ୟବହାର ନକରିବାକୁ ଚେତାଇବ ।
ଅଧିକ ପଢ଼ନ୍ତୁ :- ଭାବ ଭକ୍ତିରେ ଠାକୁରେ ସବୁରି, ଭକ୍ତ ସାଲବେଗଙ୍କ ପାଇଁ ଅଟକିବ ନନ୍ଦିଘୋଷ
ସୂଚନାଥାଉକି, ଦୀଘାକୁ ପଶ୍ଚିମବଙ୍ଗର ମମତା ସରକାର ‘ଜଗନ୍ନାଥ ଧାମ’ ବୋଲି ଘୋଷଣା କରିବା ପରେ ପୁରୀ ଶ୍ରୀଜଗନ୍ନାଥ ଧାମ ଶବ୍ଦ ଅପବ୍ୟବହାର ନେଇ ବିବାଦ ଉଠିଥିଲା । ପଶ୍ଚିମବଙ୍ଗରେ ନୂଆ ସରକାର ଆସିବା ପରେ ଦୀଘା ଜଗନ୍ନାଥ ଧାମ ଶବ୍ଦକୁ ହଟାଇ ଦିଆଯାଇଛି । ସେପଟେ ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ସ୍ଥାନର ସ୍ୱତନ୍ତ୍ର ନାମ, ଶବ୍ଦ, ଚିହ୍ନ ବା ସଙ୍କେତର ସୁରକ୍ଷା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।