ପୁରୀ,୨୪/୦୭: ଭକ୍ତ କବି ସାଲବେଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ରଥ ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଲବେଗ ଶ୍ରୀକ୍ଷେତ୍ର ଆସୁଥାନ୍ତି । ତାଙ୍କର ପହଞ୍ଚିବାରେ ବିଳମ୍ବ ହେବାରେ ରଥରେ ଠାକୁରଙ୍କୁ ଦେଖିବାକୁ ସେ ଗୁହାରି କରିଥିଲେ । ସେହି ସମୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ଥିଲା । ତାହା ପୁଣି ଅନିର୍ଦ୍ଦିଷ୍ଟ କାଳ । ମୁସଲମାନ ଭକ୍ତ ସାଲବେଗ ସେଠାରେ ପହଞ୍ଚି କାଳିଆ ସାଆନ୍ତଙ୍କୁ ଦର୍ଶନ କଲେ । ପରେ ପୁଣି ରଥ ସିଂହଦ୍ୱାର ମୁହାଁ ଗଢ଼ିଲା । ତାଙ୍କୁ ଦର୍ଶନ ଦେବା ଲାଗି ଶ୍ରୀଜଗନ୍ନାଥଙ୍କ ରଥ ଯେଉଁଠି ଅଟକିଥିଲା ସେହି ସ୍ଥାନରେ ସାଲବେଗ ଆସନ ପକାଇ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଭଜନ ଗାନ କରି ଅବଶିଷ୍ଟ ଜୀବନ ବିତାଇଦେଲେ । ଭକ୍ତ ସାଲବେଗ ହେଉଛନ୍ତି ମୋଗଲ ସୁବେଦାର କୁଲି ଖାଁ ଓରଫ ଲାଲ୍‌ବେଗଙ୍କ ପୁତ୍ର ।

ସାଲବେଗଙ୍କ ମା’ ଥିଲେ ଜଣେ ହିନ୍ଦୁ ରମଣୀ । ଲାଲ୍‌ବେଗଙ୍କ ମୃତ୍ୟୁ ପରେ ସାଲବେଗ ନିଜ ଜୀବନର ଅନେକ କାଳ ଶ୍ରୀକ୍ଷେତ୍ରରେ କଟାଇଥିଲେ । ଜଗନ୍ନାଥଙ୍କ ଭକ୍ତିରେ ଉଦ୍‌ବୁଦ୍ଧ ହୋଇ ଅନେକ କାଳଜୟୀ ଭକ୍ତି ରଚନା କରିଯାଇଛନ୍ତି । ଶ୍ରୀମନ୍ଦିର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିରରୁ ସ୍ଥାନାନ୍ତର ହେଉଥିବା ସମୟରେ ଭକ୍ତ ପ୍ରାଣ ତାଙ୍କ କଣ୍ଠରୁ ଶୁଭିଥିଲା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ...’ । ଶହ ଶହ ବର୍ଷ ପରେ ଆଜି ମଧ୍ୟ ଜଗାପ୍ରେମୀଙ୍କ କଣ୍ଠରେ ସାଲବେଗଙ୍କ ରଚିତ ଭଜନ ଶୁଣିବାକୁ ମିଳେ । ତତ୍କାଳୀନ ଗଜପତି ମହାରାଜା ନରସିଂହ ଦେବଙ୍କ ହୁକୁମ ଅନୁଯାୟୀ ବଳଗଣ୍ଡିଠାରେ ୪ ଗୁଣ୍ଠ ୭ କଡ଼ି ଭୂମି ସାଲବେଗଙ୍କ ନାମରେ ନାମିତ କରାଗଲା । ସେହି ପବିତ୍ର ସ୍ଥାନରେ ରହିଛି ଭକ୍ତ ସାଲବେଗ ପୀଠ ।

ଶହ ଶହ ବର୍ଷ ପରେ ମଧ୍ୟ ବାହୁଡ଼ାରେ କିଛି କ୍ଷଣ ପାଇଁ ନନ୍ଦିଘୋଷ ରଥ ସାଲବେଗଙ୍କ ପୀଠ ସମ୍ମୁଖରେ ଅଟକିଯାଏ । ଭକ୍ତ ବତ୍ସଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ସ୍ମରଣ କରି ହରିବୋଲ ଓ ହୁଳହୁଳି ଧ୍ୱନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୁଏ । ଭାବ ଭକ୍ତିିରେ ଠାକୁରଙ୍କୁ ପାଇବାକୁ ଚାହୁଁଥିବା ସର୍ବଧର୍ମର ବ୍ୟକ୍ତିବିଶେଷଙ୍କ ପାଇଁ ଜଗନ୍ନାଥ ଧାମର ସ୍ୱତନ୍ତ୍ରତା ରହିଛି । ପ୍ରକୃତ ଭାବଭକ୍ତି ଥିଲେ ଶ୍ରୀଜଗନ୍ନାଥଙ୍କ ଠାରେ ହିନ୍ଦୁ ଓ ମୁସଲିମ୍‌ଙ୍କ ବାଛବିଚାର ନାହିଁ । ବାହୁଡ଼ାରେ ଠାକୁରଙ୍କ ଆମଗନ ପାଇଁ ପୀଠ ପକ୍ଷରୁ ପ୍ରସ୍ତୁତି ହୋଇଛି । ଭକ୍ତ କବି ସାଲବେଗ ସାଂସ୍କୃତିକ ପରିଷଦର ସଭାପତି ତଥା ସମାଜସେବୀ ଚକ୍ରଧର ମହାପାତ୍ର କୁହନ୍ତି, ପ୍ରତି ବର୍ଷ ରଥ ଭକ୍ତ ସାଲବେଗଙ୍କ ପାଇଁ ଏଠାରେ ଅଟକିଥାଏ । ପୀଠ ପକ୍ଷରୁ ଠାକୁରଙ୍କୁ ଚୁଡ଼ା ଘଷା ଓ ଫଳମୂଳ ଆଦି ଭୋଗ ଅର୍ପଣ କରାଯାଏ । ପରେ ଠାକୁରଙ୍କ ଭୋଗ ଭକ୍ତମାନଙ୍କୁ ବାଣ୍ଟି ଦିଆଯାଏ । ଏଥିସହ ସଂଗଠନ ପକ୍ଷରୁ ବାହୁଡ଼ାରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ସେବା କାର୍ଯ୍ୟ ମଧ୍ୟ ହୁଏ ।