ପୁରୀ ୨୪/୦୨: ବାବା ଶ୍ରୀଲୋକନାଥଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୃହତ ଜଗତମଙ୍ଗଳ ଜାଗର ଦୀପ ପ୍ରଜ୍ଜ୍ୱଳନ କରାଯିବ ।  ପ୍ରାୟ ୩ କୁଇଣ୍ଟାଲ ଗୁଆଘିଅରେ ଏହି ଦୀପ ୩ ଦିନ ଧରି ବିଶ୍ୱକଲ୍ୟାଣ  ନିମନ୍ତେ ପ୍ରଜ୍ଜ୍ୱଳନ କରାଯିବ । ସୋମବାର ସନ୍ଧ୍ୟା ୭ଟା ସମୟରେ ଦୀପ ପ୍ରଜ୍ଜ୍ୱଳନ କରାଯିବ ବୋଲି ଜଣାପଡିଛି । ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇ ୨୬ତାରିଖ ଜାଗର ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜଳାଯିବ  ବୋଲି ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି । 

ଗତବର୍ଷଠାରୁ  ଅଷ୍ଟଧାତୁରେ ନିର୍ମିତ ହୋଇଛି ବୃହତ ଜଗତମଙ୍ଗଳ ଦୀପ । ଏହି  ଦୀପର ଲମ୍ବ ୬ଫୁଟ, ଓସାର ୪ଫୁଟ ଓ ଗଭୀର ୨ଫୁଟ ରହିଛି । ଏଥିରେ  ଏକ ସମୟରେ ୩ କୁଇଣ୍ଟାଲ ଘିଅ ଜଳିପାରିବ । ଏହି ବୃହତ ଦୀପ  ରବିବାର ଶ୍ରୀଲୋକନାଥଙ୍କ ପୀଠରେ ପହଞ୍ଚିଛି । ଏହି ଦୀପ ପାର୍ବତୀ  ସାଗର ନିକଟରେ ଜଗତର ମଙ୍ଗଳ କାମନା କରି ପ୍ରଜ୍ଜ୍ୱଳିତ କରାଯିବ  ବୋଲି ସ୍ପଷ୍ଟ କରିଛନ୍ତି ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ।