ପୁରୀ, ୧୩/୦୫: ରଥତ୍ରୟର ଚକ, ଚଉତା ଓ ଗୁଜ ଆଦି ତିଆରି ଚାଲିଛି । ବର୍ତ୍ତମାନ ସୁଦ୍ଧା ୩୧ଟି ଚକ ନିର୍ମାଣ ଶେଷ ହୋଇଥିବା ସୂଚନା ରହିଛି । ବିଶ୍ୱକର୍ମାଙ୍କ ସମେତ କରତୀ ଓ ଭୋଇ ସେବକମାନେ ଚକ ନିର୍ମାଣରେ ଲାଗିଛନ୍ତି । ରଥ ଖଳା ମାଲିକାଣୀ ମା’ଚର୍ଚ୍ଚିକାଙ୍କ ସମ୍ମୁଖରେ ଯନ୍ତାଗାଡ଼ରେ ପକାଇ ସିଙ୍ଗଡ଼ା (ତୁମ୍ବ ସଂଯୁକ୍ତ ୧୬ ଅର) ତିଆରୁଛନ୍ତି ଭୋଇସେବକ । ସିଙ୍ଗଡ଼ା ପ୍ରସ୍ତୁତ ପରେ ବୁହାହୋଇ ରଥ ଚାଳିକୁ ଆସୁଛି । ସେଠାରେ ଅଭିଜ୍ଞ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତ ହେଉଛି ଚକ ।

ମଙ୍ଗଳବାର ରଥର ଚାରି ନାହାକା ତିଆରି ଆରମ୍ଭ ହୋଇଛି । ଦଣ୍ଡା ଉପରେ ଚାରିନାହାକା ଉଠିଲେ ରଥ ଉପରିଭାଗ ଗଢ଼ା ହେବ । ଭୋଇ ସେବକମାନେ ୨୦ଫୁଟିଆ କାଠ ଯୋଗାଇବା ପରେ ବିଶ୍ୱକର୍ମାମାନେ କେଉଁ କାଠ ରଥର କେଉଁ ଅଂଶ ପାଇଁ ଉପଯୁକ୍ତ ବାଛି ସେହି ଅନୁସାରେ କାଟୁଛନ୍ତି । ତାଳଧ୍ୱଜର ଦୁଇଟି ନାହାକା ହଣା ଚାଲିଥିବା କହିଛନ୍ତି ବାଳକୃଷ୍ଣ ମହାରଣା । ସେହିଭଳି ମୁହାଂଟ, ନିରାଡ଼ି ଓ ଯୋକା କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ନିର୍ମାଣକାରୀଙ୍କ ମଧ୍ୟରେ ସମନ୍ୱୟ ରଖି ତିନି ରଥର କାର୍ଯ୍ୟ ଆଗଉଛି । ଚକ କାର୍ଯ୍ୟ ଶେଷ ପାଇଁ ପହିକୁ ଅପେକ୍ଷା ।

ରୁପକାରମାନେ ଗୁଜ ନିର୍ମାଣରେ ନିମଗ୍ନ । ଓଝା ସେବକମାନେ ନୂଆ କରି ଦଣ୍ଡା କଣ୍ଟା ପକାଇଛନ୍ତି । ଦଣ୍ଡା ପାଇଁ ଅଗପାତଳି କଣ୍ଟା ତିଆରି ଆରମ୍ଭ ହୋଇଛି । ଏଥିସହ ମଙ୍ଗଳବାର କାର୍ଯ୍ୟାଳୟରେ ବୈଠକ କରି ରଥ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବୈଠକକୁ ବିଶ୍ୱକର୍ମା, ରୁପକାର, ଭୋଇସେବକ, ଓଝା ଓ କରତୀ ସେବକଙ୍କୁ ଡାକି ରଥ ନିର୍ମାଣର ଅଗ୍ରଗତି ନେଇ ପଚାରି ବୁଝିଛନ୍ତି । ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସକମାନେ ଉପସ୍ଥିତ ଥିଲେ । ମୋଟାମୋଟି ରଥ କାର୍ଯ୍ୟ ନେଇ ବୈଠକରେ ସନ୍ତୁଷ୍ଟି ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ :- କାଳିଆ ସାଆନ୍ତଙ୍କ ଅପୂର୍ବଲୀଳା... ଯୋଡ଼ା ଆଷାଢ଼ ନଥାଇ ଶ୍ରୀବିଗ୍ରହଙ୍କ ନବକଳେବର,ଏହି ମସିହାରେ ଗୁପ୍ତରେ ହୋଇଥିଲା ବ୍ରହ୍ମ ସଂସ୍ଥାପନ