ଦିବ୍ୟାଙ୍ଗ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମାଡ଼, ଭାଇରାଲ୍ ହେଉଛି ଭିଡିଓ

ପୁରୀ, ୦୪/୧୨ : ଦିବ୍ୟାଙ୍ଗ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମାଡ଼। ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାଡ ଖାଉଥିବା ଦିବ୍ୟାଙ୍ଗ ଯୁବକ ଜଣଙ୍କ ହେଉଛନ୍ତି ୧୯ ବର୍ଷର ସୌମ୍ୟରଞ୍ଜନ ପ୍ରଧାନ। ପାଖ ଗାଁର କିଛି ଯୁବକ ତାଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ତେବେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ ମାରୁଥିବା ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ସୌମ୍ୟରଞ୍ଜନଙ୍କୁ ଯୁବକମାନେ ନିର୍ଦ୍ଧୁମ ମାଡ଼ ମାରୁଥିବା ବେଳେ ସେ ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିଲେ। ହେଲେ ଯୁବକମାନେ ତାଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ ଦିବ୍ୟାଙ୍ଗ ଯୁବକଙ୍କ ଉପରକୁ ଇଟା ଫୋପାଡିବା ସହ କିଛି ଦୂରକୁ ଯାଇ ପୁଣି ମାଡ଼ ମାରିବା ସହ ମୁଣ୍ଡ ଫଟାଇ ଦେଇଥିଲେ। ତେବେ ମାଡ଼ ଖାଇଥିବା ଦିବ୍ୟାଙ୍ଗ ଜଣଙ୍କ ବାଲିଗୁଆଳିର ହୋଇଥିବା ବେଳେ ମାଡ଼ ମାରିଥିବା ଯୁବକ ଜଣକ ସେହି ଏକା ଗାଁ ପାଖର ବୋଲି ଜଣାପଡିଛି।
ଦିବ୍ୟାଙ୍ଗ ଯୁବକ ସୌମ୍ୟରଞ୍ଜନ ପିଲାଟି ଦିନରୁ କହି ଶୁଣି ପାରୁନଥିବା ବେଳେ ପାଖ ଗାଁର ଯୁବକମାନେ ତାଙ୍କ ସହିତ ଇଙ୍ଗିତରେ ଲାଗୁଥିଲେ। ଏଥିରେ ବିରକ୍ତ ହୋଇ ଦିବ୍ୟାଙ୍ଗ ଜଣକ ସମ୍ପୃକ୍ତ ଯୁବକଙ୍କ ଗାଡ଼ିରେ ନିଜ ସାଇକେଲ ମାଡ଼ କରିଦେବାରୁ ଯୁବକ ଜଣକଙ୍କ ରାଗ ମୁଣ୍ଡକୁ ଚଢି଼ଯାଇଥିଲା। ଶେଷରେ ଯୁବକମାନେ ମିଶି ରାଗରେ ସୌମ୍ୟରଞ୍ଜନକୁ ମାଡ ମାରି ଲହୁଲୁହାଣ କରିଥିବା ଜଣାପଡିଛି।