PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସାମୁଦ୍ରିକ ପର୍ଯ୍ୟଟନକୁ ମିଳିବ ନୂଆ ଦିଶା: ପୁରୀ ସମୁଦ୍ରରେ ହେବ ଭସାପୋଲ, ଏକାସାଙ୍ଗରେ ଯିବେ ୫ ହଜାର ପର୍ଯ୍ୟଟକ

ପୁରୀ,୧୮/୧୧(ରାଜଶ୍ରୀ ସାହୁ): ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ ସମୁଦ୍ରରେ ହେବ ଭସାପୋଲ । ଏକା ସାଙ୍ଗରେ ୫ ହଜାର ପର୍ଯ୍ୟଟକ ଏଥିରେ ଯାଇପାରିବେ । ଭସା ପୋଲରେ ଯାଇ ମଝି ସମୁଦ୍ରରେ ଜଳକ୍ରୀଡ଼ାର ମଜା ନେବେ । ବାନାନା ବୋଟ୍‌, ଜେଟ୍‌ ସ୍କି, ସର୍ଫିଂ, ପାରାସେଲିଂ, ୱାଟର୍‌ ସ୍କେଟିଂ, ଡାଇଭିଂ ଆଦି ଜଳ ରୋମାଞ୍ଚର ଅନୁଭବ ସାଉଁଟିବେ । ପୁରୀ ସିପସରୁବାଲି ସମୁଦ୍ରରେ ଏଭଳି ବୃହତ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଯଦି ସବୁକିଛି ଠିକ୍‌ ରୁହେ ତେବେ ୨୦୨୩ ସୁଦ୍ଧା ଏହି ସେବା ଉପଲବ୍ଧ ହେବ ।

ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ଅନୁମୋଦନ କରିଛି । ଏନ୍‌ଓସି ମିଳିବା ପରେ କାର୍ଯ୍ୟ ଜୋରସୋର ଆଗେଇବ । ପାଖାପାଖି ଅଧ କିଲୋମିଟର ପର୍ଯ୍ୟନ୍ତ ଫ୍ଲୋଟିଂ ଜେଟ୍ଟି(ଭସା ପୋଲ) ବିସ୍ତୃତ ହେବ । ଏହି ଭସା ପୋଲରେ ଚାଲି ମଝି ସମୁଦ୍ରକୁ ଯିବା ପରେ ପର୍ଯ୍ୟଟକ ସେଠାରେ ଜଳକ୍ରୀଡ଼ାର ମଜା ନେଇପାରିବେ । ଏହି ପ୍ରକଳ୍ପ ଶେଷ ହେବା ପରେ ପୁରୀ ସମୁଦ୍ରରେ ବୁଡ଼ା ଜାହାଜରେ ସାମୁଦ୍ରିକ ଜୀବଙ୍କୁ ଦେଖିବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କ ସୂଚନା ମୁତାବକ, ପୁରୀରେ ଏହି ରୋମାଞ୍ଚ ଜଳକ୍ରୀଡ଼ା ନିମନ୍ତେ ଏକ ଘରୋଇ କମ୍ପାନି କିଛି ଦିନ ତଳେ ଆବେଦନ କରିଛି । ପୂର୍ବରୁ ପାରାଦୀପ ବନ୍ଦରରେ ଜାହାଜ ପରିଚାଳନା କ୍ଷେତ୍ରରେ କମ୍ପାନିର ଅଭିଜ୍ଞତା ରହିଛି । ଭସାପୋଲ ପ୍ରକଳ୍ପ ନିମନ୍ତେ କମ୍ପାନି ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ ବୋଲି ଆକଳନ କରିଛି । ଏହି ପ୍ରକଳ୍ପକୁ ଜିଲ୍ଲା ପ୍ରଶାସନ ପସନ୍ଦ କରିଛି । ଯଦି ଏହା ସଫଳ ହୁଏ ତେବେ ରାଜ୍ୟରେ ଏହା ପ୍ରଥମ ସାମୁଦ୍ରିକ ପୋଲ ହେବ । ପୂର୍ବରୁ ହାତଗଣତି କେତେକ ରାଜ୍ୟରେ ଏହି ବ୍ୟବସ୍ଥା କରାଯାଇଛି । ଯାହା ବେଶ୍‌ ଲୋକାଦୃତ ହୋଇପାରିଛି । 

ଗୋଆ ପର୍ଯ୍ୟଟନ ଶିଳ୍ପର ୪୦ ଭାଗ ଆୟ ଜଳକ୍ରୀଡ଼ାରୁ ମିଳି ପାରୁଛି । କିନ୍ତୁ ଓଡ଼ିଶାରେ ଜଳକ୍ରୀଡ଼ା ସେତେଟା ସମୃଦ୍ଧ ହୋଇନଥିବାରୁ ସାମୁଦ୍ରିକ ପର୍ଯ୍ୟଟନ କ୍ଷେତ୍ରରେ ଆମ ରାଜ୍ୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇପାରୁନାହିଁ । ଏଣୁ ପୁରୀ ସମୁଦ୍ରରେ ଏଭଳି ବ୍ୟବସ୍ଥା ରାଜ୍ୟ ପର୍ଯ୍ୟଟନକୁ ଶୀର୍ଷରେ ପହଞ୍ଚାଇ ପାରିବ ବୋଲି ଭ୍ରମଣ ପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି । ସାଧାରଣତଃ ଘରୋଇ କମ୍ପାନି ଦ୍ୱାରା ରାଜ୍ୟରେ ଜଳକ୍ରୀଡ଼ା ପରିଚାଳିତ ହୋଇଥାଏ । ପୁରୀରେ ଏବେ ହୋଟେଲ ଗୋଲ୍ଡେନ ଟ୍ରି ଏବଂ ଶୁଭପ୍ୟାଲେସ୍‌ ନିକଟରେ ଜଳକ୍ରୀଡ଼ା ହେଉଥିଲେ ମଧ୍ୟ ତାହା ସେତେଟା ରୋମାଞ୍ଚ ଆଣିପାରୁନାହିଁ ।

ଡିସେମ୍ବରରୁ ସ୍ୱର୍ଗଦ୍ୱାର ନିକଟସ୍ଥ ବେଳାଭୂମିରେ ମଧ୍ୟ ଜଳକ୍ରୀଡ଼ା ଆରମ୍ଭ ହେବ । ପ୍ରତିକୂଳ ପାଣିପାଗ ଯୋଗୁ ପୁରୀରେ ଜଳକ୍ରୀଡ଼ା କେବଳ ଜେଟ୍‌ ସ୍କି ଚାଳନାରେ ସୀମିତ ରହିଯାଇଛି । ଅନ୍ୟ ଜଳକ୍ରୀଡ଼ା ପାଇଁ ଏନ୍‌ଆଇଡବ୍ଲ୍ୟୁଏସ୍‌(ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର ସ୍ପୋର୍ଟସ୍‌) ଅଧିକାଂଶ ସମୟରେ ଅନୁମତି ଦେଉନାହିଁ । କିନ୍ତୁ ଫ୍ଲୋଟିଂ ଜେଟ୍ଟି ବା ଭସାପୋଲ ହେବା ପରେ ମଝି ସମୁଦ୍ରରେ ଜଳକ୍ରୀଡ଼ା ହୋଇପାରିବ । ଏଣୁ ମଝି ସମୁଦ୍ରର ସ୍ଥିର ପାଣିରେ ଜଳକ୍ରୀଡ଼ା ପାଇଁ ସେତେଟା ସମସ୍ୟା ହେବନାହିଁ ବୋଲି ଆଶାବ୍ୟକ୍ତ କରାଯାଉଛି । ଏବେ କେବଳ ଏହି ଫ୍ଲୋଟିଂ ଜେଟ୍ଟି ରାଜ୍ୟର ଚିଲିକା ସମେତ କିଛି ହ୍ରଦ, ଡ୍ୟାମ୍‌ ଆଦି ସ୍ଥାନରେ ଅଛି । ଯେଉଁଠି ବୋଟିଂ ସୁବିଧା ରହିଛି । ସେଠି ଏହି ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ସରକାର ରାଜ୍ୟକୁ ଜଳ ପର୍ଯ୍ୟଟନର କେନ୍ଦ୍ର କରିବାକୁ ଯାଉଛନ୍ତି । ଆଗାମୀ ଦୁଇ ତିନି ବର୍ଷ ଭିତରେ ରାଜ୍ୟରେ ଜଳଭିତ୍ତିକ ପର୍ଯ୍ୟଟନ ତଥା ଜଳକ୍ରୀଡ଼ା ପର୍ଯ୍ୟଟନର ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ସରକାରଙ୍କ ପକ୍ଷରୁ ୱାଟର୍‌ ସ୍ପୋର୍ଟସ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌, ହାଉସ୍‌ ବୋଟ୍‌, କ୍ରୁଜ୍‌ ଟୁରିଜିମ୍‌ ପ୍ରକଳ୍ପ, ଆକ୍ୱାରିୟମ୍‌ ଓ ଆକ୍ୱା ପାର୍କ ଭଳି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି । ନିକଟରେ ଅନୁଷ୍ଠିତ ଓଡ଼ିଶା ଟ୍ରାଭେଲ ବଜାର-୨୦୨୨ (ଓଟିବି)ରେ ଏ ସମ୍ପର୍କିିତ ବିସ୍ତୃତ ବିବରଣୀ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥାପନ କରିଥିଲେ । ଓଟିଡିସି ପକ୍ଷରୁ କଟକରେ ମହାନଦୀ ଜଳରାଶିରେ ସିଲିଭର ସିଟି ବୋଟ୍‌ କ୍ଲବ୍‌ରେ ଜଳକ୍ରୀଡ଼ା ସାଙ୍ଗକୁ ହୀରାକୁଦ, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌, ଚିଲିକା ବରକୁଳ ଏବଂ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦରେ ଏହି ବ୍ୟବସ୍ଥା ରହିଛି । ଯେଉଁଠି ପର୍ଯ୍ୟଟକ ଜେଟ୍‌ ସ୍କିଂ, ମୋଟର ବୋଟିଂ, ୱାଟର ସ୍କୁଟର୍ସ, ପେଡାଲ୍‌ ବୋଟ୍‌ ଆଦି ସୁବିଧା ରହିଛି ।

ପର୍ଯ୍ୟଟକ ରାତ୍ରୀଯାପନ ସହ ଖୁସିରେ ଭିନ୍ନ ଅନୁଭୂତି ନେଇ ଫେରୁଛନ୍ତି । ଆଗକୁ ଦେଶ, ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଜଳଭଣ୍ଡାର, ବେଳାଭୂମି, ହ୍ରଦ, ନଦୀକୁ ବିକଶିତ କରାଯାଉଛି । ଏସବୁ ସ୍ଥାନର ପାରିପାଶ୍ୱିର୍କ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ପର୍ଯ୍ୟଟକ ଯେପରି ଜଳକ୍ରୀଡ଼ାର ମଜା ନେଇପାରିବେ ସେହିପରି ବ୍ୟବସ୍ଥା ହେଉଛି । ତେଣୁ ଏ ଦିଗରେ ପୁରୀ ସମୁଦ୍ରରେ ଭସାପୋଲ ଓ ଜଳକ୍ରୀଡ଼ାର ବହୁ ଗୁରୁତ୍ୱ ରହିଛି ।