ଭୁବନେଶ୍ୱର : ଭୁଲ ମାଗିଲେ ଉପସ୍ଥାପକ ଶୁଭଙ୍କର ମିଶ୍ରା। ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏବେ ନିଜର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ତ୍ରୁଟି ସ୍ୱୀକାର କଲେ ଶୁଭଙ୍କର ମିଶ୍ରା। ସୂଚନା ଯେ, ବିବାଦ ସେତେବେଳେ ଆରମ୍ଭ ହୋଇଥିଲା , ଯେତେବେଳେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା କହିଥିଲେ -ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ, ତ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇ ଥିଲେ।
ସେ ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି, ବିଭିନ୍ନ ମହଲରେ ଦାବି ହୋଇଥିଲା। ଏହାପରେ ସେ କ୍ଷମା ମାଗିଛନ୍ତି। ଆଉ ନିଜର ଭୁଲ ସ୍ୱୀକାର କରିଛନ୍ତି।