ନୂଆଦିଲ୍ଲୀ – ‘ଗାଜା ଶାନ୍ତି ବୋର୍ଡରେ’ ସାମିଲ ହେବେ ରୁଷ୍ ରାଷ୍ଟ୍ରପତି ପୁଟିନ। ଏଥିପାଇଁ ତାଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମିଳିଛି ନିମନ୍ତ୍ରଣ ପ୍ରସ୍ତାବ। ଯାହାକୁ ନେଇ ସେ ଏବେ ବିଚାର କରାଯାଉ ଥିବା କ୍ରେମଲିନ ସୋମବାର ଏହି ସୂଚନା ଦେଇଛି। ‘କ୍ରେମଲିନ’ (ରୁଷ୍‌ର ରାଷ୍ଟ୍ରପତିଙ୍କର ସରକାରୀ ଆବାସ ଏବଂ କାର୍ଯ୍ୟାଳୟ)ର ମୁଖପାତ୍ର ଡିମିତ୍ରୀ ପେସ୍କୋଭ ସାମ୍ୱାଦିକଙ୍କୁ କହିଛନ୍ତି –ବାସ୍ତବରେ , ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଶାନ୍ତି ବୋର୍ଡରେ ଯୋଗ ଦେବା ପାଇଁ ପ୍ରସ୍ତାବ ମିଳି ଥିଲା।

ଏହା ସହ ମଧ୍ୟ ପଢନ୍ତୁ : ମୋତେ ନୋବେଲ୍ ଦେଲନି , ଏବେ ଶାନ୍ତିର ଦାୟିତ୍ୱ ମୋର ନୁହେଁ ; ନରୱେ ପିଏମଙ୍କୁ ଟ୍ରମ୍ପଙ୍କ ଚିଠି ହୋଇଗଲା ଲିକ୍

ସେ କହିଛନ୍ତି –ଆମେ ବର୍ତ୍ତମାନ ଏହି ପ୍ରସ୍ତାବର ସମସ୍ତ ବିବରଣୀ ଅଧ୍ୟୟନ କରୁଛୁ ଏବଂ ସମସ୍ତ ବିବରଣୀ ସ୍ପଷ୍ଟ କରିବା ପାଇଁ ଆମେରିକୀୟ ପକ୍ଷ ସହିତ ଯୋଗାଯୋଗ କରିବାକୁ ଆଶା କରୁଛୁ। ଆହୁରି ଅନେକ ଦେଶ ମଧ୍ୟ ଏହି ସଂସ୍ଥାରେ ଯୋଗ ଦେବା ପାଇଁ ଆମେରିକାରୁ ପ୍ରସ୍ତାବ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଶାହବାଜ ଶରିଫଙ୍କୁ ମଧ୍ୟ ଶାନ୍ତି ବୋର୍ଡରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି ।

ଆମେରିକୀୟ ରାଷ୍ଟ୍ରପତି ଗାଜା ଷ୍ଟ୍ରିପରେ ଇସ୍ରାଏଲ - ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟର ଏକ ଅଂଶ ଭାବରେ, ଏହି ବୋର୍ଡକୁ ଆରମ୍ଭ କରିଛନ୍ତି। ଇସ୍ରାଏଲ ଓ ହମାସ ଅକ୍ଟୋବରରେ ଟ୍ରମ୍ପଙ୍କ ଶାନ୍ତି ଯୋଜନାରେ ସହମତ ପ୍ରକାଶ କରି ଥିଲେ। ଆମେରିକା ଏହି ବୋର୍ଡକୁ ଗାଜା ଓ ଏହାର ବାହାରେ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ଏକ ନୂତନ ଅନ୍ତର୍ଜାତୀୟ ସଂସ୍ଥା ଭାବରେ ଉପସ୍ଥାପନ କରୁଛି, ଯାହା ଦ୍ୱାରା ଅନୁମାନ କରାଯାଉଛି ଯେ, ଏହା ଅନ୍ୟ ବିଶ୍ୱ ସଂଘର୍ଷର ମଧ୍ୟ ପ୍ରତିକ୍ରିୟା ଦେଇ ପାରିବ।

ରୁଷର ଚ୍ୟାନେଲ-୧ ଟିଭି, ସୋମବାର ଏହାର ରାଜନୈତିକ କାର୍ଯ୍ୟକ୍ରମ ‘ପ୍ରୟାମୋଇ ଏଫିର’ (ଲାଇଭ୍ ପ୍ରସାରଣ)ରେ କହିଛି ଯେ- ରୁଷ୍ ଗାଜା ଶାନ୍ତି ବୋର୍ଡକୁ ଜାତିସଂଘର ପ୍ରତିଦ୍ୱନ୍ଦୀ ସୃଷ୍ଟି କରିବା ପାଇଁ ଆମେରିକାର ଏକ ପ୍ରୟାସ ଭାବରେ ଦେଖୁଛି , ଯାହାର ଅଧିକାର କ୍ଷେତ୍ର ବ୍ୟାପକ ହେବ।

ରୁଷକୁ ନିମନ୍ତ୍ରଣ କରିବାର ଅର୍ଥ କ'ଣ ହୋଇ ପାରେ ?

ରୁଷକୁ ନିମନ୍ତ୍ରଣ କରିବାର ଅନେକ ଅର୍ଥ ବାହାର କରାଯାଉଛି। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ସେ ରୁଷ୍ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଛନ୍ତି। ଅନ୍ୟପଟେ ସେ ରୁଷ୍ ସହିତ ଶାନ୍ତି ଆଲୋଚନା କରିବା ପାଇଁ ୟୁକ୍ରେନକୁ ମଧ୍ୟ ଚାପ ପକାଇଛନ୍ତି।