ମସ୍କୋ,୨।୬ : ଏଭଳି ଏକ ଦୁନିଆର କଳ୍ପନା କରନ୍ତୁ, ଯେଉଁଠାରେ ବୃଦ୍ଧାବସ୍ଥାରେ ସମସ୍ତେ ଥିବେ ପୁରା ଫିଟ୍ ଆଣ୍ଡ ଫାଇନ୍ । ୬୦-୭୦ ବର୍ଷରେ ବି ମଣିଷର ହାର୍ଟ, ଲିଭର, କିଡନୀ ରହିଥିବ ପୁରା ସୁସ୍ଥ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି ସ୍ବପ୍ନକୁ ବାସ୍ତବିକତାରେ ପରିଣତ କରିବାକୁ ଯାଉଛନ୍ତି। ଆରମ୍ଭ କରିଛନ୍ତି ୨୬ ବିଲିୟନ ଡଲାରର ଏକ ମହା ପ୍ରୋଜେକ୍ଟ। ଯାହା ପୁରା ଦୁନିଆକୁ ଚକିତ କରିଛି। ଏହି ପ୍ରୋଜେକ୍ଟରୁ ଜିନ୍ ଥେରାପି, ମିନି ଘୁଷୁରୀ ଭିତରେ ମାନବ ଅଙ୍ଗ ପ୍ରତିରୋପଣ ଏବଂ ଥ୍ରୀ-ଡି ପ୍ରିଣ୍ଟିଂରୁ ଆଣ୍ଟି ଏଜିଂ ଭ୍ୟାକସିନ୍ ପ୍ରସ୍ତୁତ ହେବ। ଏହା ସିଧା ସଳଖ ମାନବ କୋଷିକାର ବୟସ ବଢାଇବାରୁ ରୋକିବ।

ପୁଟିନଙ୍କ ଆଣ୍ଟିଂ ଏଜିଂ ମିଶନ୍

ଲୋକମାନେ କେବଳ ଅଧିକ ଦିନ ବଞ୍ଚନ୍ତୁ ତାହା ନୁହେଁ ବରଂ ସୁସ୍ଥ ବି ରୁହନ୍ତୁ। ବୃଦ୍ଧାବସ୍ଥା ପର୍ଯ୍ୟନ୍ତ କାମ କରିବାକୁ ସକ୍ଷମ ହୁଅନ୍ତୁ। ଏଭଳି କିଛି ଚାହୁଁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ଏହି କାରଣରୁ ଜିନ୍ ଏଡିଟିଂ, ବାୟୋପ୍ରିଣ୍ଟିଂ ଏବଂ ଜେନୋଟ୍ରାନ୍ସପ୍ଲାଣ୍ଟେସନ୍ ଏକକାଳୀନ ଭାବେ କାର୍ଯ୍ୟକାରୀ କରାଯାଉଛି। ‘ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ରିପୋର୍ଟ ଅନୁସାରେ, ରୁଷ ୨୦୨୪-୨୫ ରେ ‘ନ୍ୟାସନାଲ ଲଙ୍ଗଜିଭିଟି ପ୍ରୋଜେକ୍ଟ’ ଆରମ୍ଭ କରିଛି। ଏହି ପ୍ରୋଜେକ୍ଟରେ ୨୦୩୦ ସୁଦ୍ଧା ଖର୍ଚ୍ଚ ହେବ ପ୍ରାୟ ୨୬ ବିଲିୟନ ଡଲାର। ଏହି ପ୍ରକଳ୍ପ ସିଧାସଳଖ ରୁଷ ସରକାର ଏବଂ ସେନା ସହିତ ଜଡିତ। କାରଣ ରୁଷର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ସହ ବୃଦ୍ଧ ମଧ୍ୟ ହେଉଛି। ତେଣୁ ସେମାନଙ୍କୁ ପୁଟିନ୍ ପୁଣିଥରେ ଫିଟ୍ କରିବାକୁ ଚାହୁଁଛନ୍ତି।

ବୃଦ୍ଧାବସ୍ଥା କିଭଳି ରୋକିବ ଭ୍ୟାକସିନ୍ ?

ରୁଷ ବୈଜ୍ଞାନିକ ଏଭଳି ଏକ ଆଣ୍ଟିଂ ଏଜିଂ ଭ୍ୟାକସିନ୍ ତିଆରି କରୁଛି, ଯାହା ସିଧା ସଳଖ ସେଲ୍ୟୁଲାର ଏଜିଂ କୋଷିକାକୁ ବୁଢା ହେବାରୁ ରୋକିବ। ବୟସ ବଢିବା ସହ କିଛି କୋଷିକା ‘ସିନେସେଣ୍ଟ ସେଲସ୍’ କ୍ଷତିଗ୍ରସ୍ତ ହୋଇ ଜମିଯାଇଥାଏ। ଯାହାକି ପରେ ଫୁଲିବା ସହ ଜନ୍ମ ଦେଇଥାଏ ବିଭିନ୍ନ ରୋଗ। ଏହି ରୁଷୀୟ ଟିକା ଆମ ଇମ୍ୟୁନୁ ସିଷ୍ଟମକୁ ବୟସ୍କ ସେଲ୍ ଗୁଡ଼ିକୁ ଚିହ୍ନିବା ଏବଂ ନଷ୍ଟ କରିବା ପାଇଁ ଟ୍ରେନିଂ ଦେବ। ଏହି ଟିକା ଏପର୍ଯ୍ୟନ୍ତ ପରୀକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଏହା ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର ବୟସ ବଢିବାର ବେଗକୁ ମଧ୍ୟ ଧିମା କରିବ।

ଘୁଷୁରୀ ଭିତରେ କିଭଳି ହେବ ମାନବ ଅଙ୍ଗ ପ୍ରତିରୋପଣ?

ଏହା ସମଗ୍ର ପ୍ରୋଜେକ୍ଟ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ବିବାଦୀୟ । ରୁଷ ସରକାର ‘ମିନି ଘୁଷୁରୀ‘ କିମ୍ବା ଛୋଟ ପ୍ରଜାତିର ଘୁଷୁରୀ ଉପରେ ଲଗାଇଛନ୍ତି ଏକ ବଡ଼ ବାଜି। ପ୍ରଥମେ ଘୁଷୁରୀ ଭ୍ରୁଣରେCRISPRଭଳି ଜିନ୍ ଏଡିଟିଂ ଟେକ୍ନୋଲୋଜିରୁ ଏହି ଜିନ୍କୁ ନିଷ୍କ୍ରିୟ କରାଯିବ। ଯାହାକି କୌଣସି ଖାସ୍ ଅଙ୍ଗ, କିଡନୀ କିମ୍ବା ପାନକ୍ରିୟାଜ୍ ଗଠନ କରିଥାଏ। ଏହାପରେ ସେହି ଭ୍ରୁଣରେ ଇଞ୍ଜେକ୍ଟ କରି ଦିଆଯିବ ମାନବ ଷ୍ଟେମ ସେଲ୍ । ଯେହେତୁ ଘୁଷୁରିର ନିଜସ୍ୱ ଜିନ୍ ସେହି ଅଙ୍ଗ ସୃଷ୍ଟି କରିପାରିବ ନାହିଁ, ତେଣୁ ଘୁଷୁରିର ଗର୍ଭରେ ଥିବା ଭ୍ରୁଣ ମାନବ କୋଷ ସାହାଯ୍ୟରେ କିଡନୀ କିମ୍ବା ପାନକ୍ରିୟାଜ୍ ବିକଶିତ କରିଥାଏ। ଯେତେବେଳେ ଘୁଷୁରୀ ଜନ୍ମ ହୁଏ, ଏହାର ଏକ ଅଙ୍ଗ ସମ୍ପୂର୍ଣ୍ଣ ଭାବରେ ମାନବ କୋଷରେ ତିଆରି ହୋଇଥାଏ। ରିଆକ୍ସନକୁ ଏଡାଇବା ପାଇଁ ଏହାକୁ ଜେନେଟିକାଲ୍ ମୋଡିଫାଏ କରି ଇମ୍ୟୁନୁ ରିଜେକ୍ସନରୁ ରକ୍ଷା କରାଯାଇଥାଏ। ପରେ ଏହି ଅଙ୍ଗକୁ ବାହାର କରି ଦରକାର ଥିବା ରୋଗୀ ନିକଟରେ କରାଯିବ ଟ୍ରାନ୍ସପ୍ଲାଣ୍ଟ। ଏଥିପାଇଁ ପାଇଁ ରୁଷ ତିଆରି କରୁଛି ଏକ ସ୍ୱତନ୍ତ୍ର 'କ୍ଲିନ୍ ରୁମ୍'। ଯେଉଁଠାରେ ଶହ ଶହ ସଂଖ୍ୟାରେ ଏଭଳି ଜେନେଟିକାଲି ମୋଡିଫାଏଡ୍ ଘୁଷୁରୀଙ୍କୁ ପାଳନ କରାଯିବ ।

ସ୍ୱପ୍ନ ବଡ଼, ରାସ୍ତା ବହୁତ ଲମ୍ବା

ଏହା ସହିତ, ରୁଷ 3D ବାୟୋପ୍ରିଣ୍ଟିଂ ଉପରେ ମଧ୍ୟ ଧ୍ୟାନ ଦେଉଛି। ରୋଗୀଙ୍କ ନିଜସ୍ୱ କୋଷରୁ ତିଆରି ବାୟୋ-ଇଙ୍କ ବ୍ୟବହାର କରି ପ୍ରିଣ୍ଟର ସାହାଯ୍ୟରେ ଚର୍ମ, ହାଡ଼ ଏବଂ ଲିଭର ଭଳି ଜଟିଳ ଅଙ୍ଗଗୁଡ଼ିକୁ ଛାପିବାକୁ ଚେଷ୍ଟା କରାଯାଉଛି। ଯୁଦ୍ଧ କିମ୍ବା ଦୁର୍ଘଟଣାରେ ପୋଡ଼ିଯାଇଥିବା ସୈନିକଙ୍କ ପାଇଁ ତୁରନ୍ତ ଚର୍ମ ତିଆରି କରିବା ଉପରେ ଏହାର ଫୋକସ୍ ରହିବ। କିନ୍ତୁ ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଅଙ୍ଗ ତିଆରି କରିବା। ବର୍ତ୍ତମାନ ଏହି ଆଣ୍ଟିଂ ଏଜିଂ ଭ୍ୟାକସିନ୍ ମୂଷା ଉପରେ ସଫଳ ହୋଇଛି। ମଣିଷ ଉପରେ ବଡ ସ୍ତରରେ ଟ୍ରାଏଲ କରିବାରେ ଅତି କମ୍‌ରେ ଲାଗିଯିବ ୮ ରୁ ୧୦ ବର୍ଷ। ଜାପାନ ଏବଂ ଆମେରିକା ଏଥିରେ ସୀମିତ ସଫଳତା ପାଇଛନ୍ତି। ଅଙ୍ଗକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବା ଓ ଭାଇରସ୍ ସଂକ୍ରମଣର ମଧ୍ୟ ରହିଛି ବଡ଼ ବିପଦ। ରୁଷର ସ୍ବପ୍ନ ବଡ଼, କିନ୍ତୁ ରାସ୍ତା ଏବେ ବି ରହିଛି ଲମ୍ବା। ଏହାକୁ ସତ କରିବାକୁ ହେଲେ ଚଢିବାକୁ ପଡିବ ବିଜ୍ଞାନର ଅନେକ ପାହାଚ।