ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ଦିନରେ ଏକ ବୈଠକରେ ମିଳିତ ହେବେ ବୋଲି କ୍ରେମଲିନ ଘୋଷଣା କରିଛି। ଏହା ୨୦୨୧ ମସିହା ପରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ହେବାକୁ ଥିବା ପ୍ରଥମ ଶିଖର ବୈଠକ ହେବ। କ୍ରେମଲିନ ମୁଖପାତ୍ର ଯୁରୀ ଉଶାକୋଭ କହିଛନ୍ତି ଯେ, “ଆମେରିକୀୟ ପକ୍ଷରୁ ପ୍ରସ୍ତାବ ଆସିବା ପରେ ଆମେ ମୂଳତଃ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ପାଇଁ ସହମତିରେ ପହଞ୍ଚିଛୁ। ଯେଉଁଥିରେ ରାଷ୍ଟ୍ରପତି ପୁଟିନ ଏବଂ ଟ୍ରମ୍ପ ଉଭୟେ ଅଂଶଗ୍ରହଣ କରିବେ।” ଏହି ବୈଠକ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି, କିନ୍ତୁ ଏହା ପରେ ଘୋଷଣା କରାଯିବ।

ଏହି ଘୋଷଣା ଟ୍ରମ୍ପଙ୍କ ଦୂତ ଷ୍ଟିଭ ଉଇଟକଫଙ୍କ ମସ୍କୋ ଗସ୍ତ ପରେ ଆସିଛି। ଯେଉଁଥିରେ ସେ ପୁଟିନଙ୍କ ସହ ଇଉକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା କରିଥିଲେ। ଟ୍ରମ୍ପ ରୁଷ ଓ ତାହାର ରପ୍ତାନୀ କିଣୁଥିବା ଦେଶମାନଙ୍କ ଉପରେ ନୂଆ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି। ଏହି ପିରପ୍ରେକ୍ଷିରେ ଉଭୟ ଦେଶର ନେତା ନିଜ ନିଜ ଆଭିମୁଖ୍ୟ ରଖିବାକୁ ଏହି ବୌଠକର ଆୟୋଜନ କରୁଛନ୍ତି ବୋଲି ସୂଚନା ମିଳିଛି। ଉଶାକୋଭ କହିଛନ୍ତି ଯେ, ଉଇଟକଫଙ୍କ ସହ ପୁଟିନଙ୍କ ଆଲୋଚନା ବ୍ୟବସାୟିକ ଓ ରଚନାତ୍ମକ ଥିଲା। “ରୁଷ-ଆମେରିକୀୟ ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ, ପାରସ୍ପରିକ ଲାଭଜନକ ଦୃଶ୍ୟ ଅନୁଯାୟୀ ଏହାକୁ ଗଢ଼ାଯାଇପାରେ,” ବୋଲି ସେ କହିଛନ୍ତି।

ଟ୍ରମ୍ପଙ୍କ ଦ୍ୱାରା ଇଉକ୍ରେନରେ ଯୁଦ୍ଧ ବିରତି ପାଇଁ ନିର୍ଦ୍ଧାରିତ ସମୟସୀମା ଶୁକ୍ରବାର ଶେଷ ହେବାକୁ ଯାଉଛି। ଯଦି ରୁଷ ଏହା ମଧ୍ୟରେ ଚୁକ୍ତିରେ ସହମତ ନହୁଏ ତେବେ ଅଧିକ କଠୋର ଟାରିଫର ସମ୍ମୁଖୀନ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ରୁଷ ନିକଟରୁ ତୈଳ କିଣିବା ପାଇଁ ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି, ଯାହା ଆଗଷ୍ଟ ୨୮ରୁ ଲାଗୁ ହେବ। ସେ ଚୀନ ଉପରେ ମଧ୍ୟ ସମାନ ଟାରିଫ ଲଗାଇବା ବିଷୟରେ ଚିନ୍ତା କରୁଛନ୍ତି।

ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଏକ ତ୍ରିପାକ୍ଷିକ ବୈଠକର ପ୍ରସ୍ତାବ ଉଇଟକଫଙ୍କ ଦ୍ୱାରା ଉଠାଯାଇଥିଲା। କିନ୍ତୁ ରୁଷ ପକ୍ଷ ଏହାକୁ ଏଡାଇ ଦେଇଥିଲେ ବୋଲି ଉଶାକୋଭ କହିଛନ୍ତି। ଜେଲେନସ୍କି ଏକ ଶାନ୍ତି ଚୁକ୍ତି ପାଇଁ ନେତାଙ୍କ ସ୍ତରରେ ଆଲୋଚନାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। କିନ୍ତୁ ପୁଟିନ କହିଛନ୍ତି ଯେ ଏପରି ବୈଠକ ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀର ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ପରିସ୍ଥିତି ଏହାଠୁ ବହୁତ ଦୂରରେ ରହିଛି।

ଏହି ବୈଠକରୁ ଶାନ୍ତି ଚୁକ୍ତି ସମ୍ପର୍କରେ ସଫଳତା ମିଳିବାର ଆଶା କମ ରହିଛି। କାରଣ ରୁଷ ୟୁକ୍ରେନ ଉପରେ ବୃହତ୍ ପରିମାଣରେ ଆକ୍ରମଣ ଜାରି ରଖିଛି। ଏବଂ ରୁଷର ଶାନ୍ତି ସର୍ତ୍ତଗୁଡ଼ିକ, ଯେପରିକି ୟୁକ୍ରେନର ନିରସ୍ତ୍ରୀକରଣ ଏବଂ ନାଟୋ ସଦସ୍ୟତା ତ୍ୟାଗ, ୟୁକ୍ରେନ ଓ ତାହାର ପାଶ୍ଚାତ୍ୟ ସହଯୋଗୀମାନଙ୍କ ପାଇଁ ଅଗ୍ରାହ୍ୟ ରହିଛି।

ଏହା ସହିତ, ଟ୍ରମ୍ପ ୟୁକ୍ରେନକୁ ୨୦୦ ନିୟୁତ ଡଲାରର ଅତିରିକ୍ତ ସାମରିକ ସାହାଯ୍ୟ ପ୍ୟାକେଜ ଅନୁମୋଦନ କରିଛନ୍ତି। ଯାହା ଡ୍ରୋନ ଉତ୍ପାଦନ ପାଇଁ ସମର୍ଥନ ୟୁକ୍ରେନକୁ ସମର୍ଥନ ଦେବ। ଏହି ବୈଠକ ରୁଷ-ଆମେରିକୀୟ ସମ୍ପର୍କ ଏବଂ ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।