ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା; ସ୍କୁଲ ବହିରେ କ୍ୟୁ-ଆର୍ କୋଡ୍

କଟକ,୧୭ା୬(ବ୍ୟୁରୋ): ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ଯୋଜନା ହେଉଥିବାବେଳେ ଏବେ ନବମ ଓ ଦଶମ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥାରେ ନୂଆ ଢାଞ୍ଚା ପ୍ରସ୍ତୁତ କରାଯାଉଛି । ମୋବାଇଲ୍ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମକୁ ଅନଲାଇନ୍ରେ ଉପଲବ୍ଧ କରାଯାଉଛି । ଫଳରେ ବିନା ପାଠ୍ୟପୁସ୍ତକରେ ମଧ୍ୟ ଛାତ୍ରଛାତ୍ରୀମାନେ ଯେକୌଣସି ସ୍ଥାନରେ ମୋବାଇଲ୍ରୁ ପାଠ୍ୟକ୍ରମ ବିଷୟରେ ସୂଚନା ପାଇପାରିବେ । କେବଳ ସେତିକି ନୁହେଁ, ଅଡିଓ-ଭିଡିଓର ସୁବିଧା ଥିବାରୁ କ୍ଲାସ୍ ରୁମ୍ ଭଳି ପିଲାମାନେ ଅନ୍ଲାଇନ୍ରେ ନିଜ ବିଷୟ ପଢ଼ି ମଧ୍ୟ ପାରିବ ।
ଚଳିତ ଶିକ୍ଷା ବର୍ଷରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି । ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମର ସବୁ ବହିରେ କ୍ୟୁ-ଆର୍ କୋଡ୍ ଦିଆଯାଉଛି । ଏହି କ୍ୟୁ-ଆର୍ କୋଡ୍କୁ ମୋଇବାଲ୍ ଆପ୍ ଦ୍ୱାରା ସ୍କାନ୍ କରି ଛାତ୍ରଛାତ୍ରୀମାନେ ନିଜର ପାଠ୍ୟକ୍ରମକୁ ଅଡିଓ-ଭିଡିଓ ରୂପେ ପାଇପାରିବେ । ତେବେ ପରୀକ୍ଷାମୂଳକ ଭାବେ କେବଳ ନବମ ଓ ଦଶମ ଶ୍ରେଣୀ ଇଂଲିସ୍ ଗ୍ରାମାର୍ ବହିରେ କ୍ୟୁ-ଆର୍ କୋଡ୍କୁ ଆକ୍ଟିଭ୍ କରାଯାଇଛି । ଯୋଜନା ସଫଳ ହେଲେ ଅନ୍ୟ ସବୁ ବହିରେ ଦିଆଯାଇଥିବା କୋଡ୍କୁ କ୍ରିୟାଶୀଳ କରାଯାଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହି ନୂଆ ବ୍ୟବସ୍ଥା ଦ୍ୱାରା କ୍ଲାସ୍ ରୁମ୍ ବାହାରେ ମଧ୍ୟ ସହଜ ଓ ସରଳ ଭାବେ ଛାତ୍ରଛାତ୍ରୀମାନେ ନିଜ ବିଷୟକୁ ବୁଝିପାରିବେ । କେବଳ ସେତିକି ନୁହେଁ ଶିକ୍ଷକମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ ।
ଏବେ ଅନ୍ଲାଇନ୍ର ବ୍ୟବହାର ସୁଦୂର ପ୍ରସାରୀ ହୋଇଯାଇଥିବାରୁ ଏହାର ଫାଇଦା କିଭଳି ଛାତ୍ରଛାତ୍ରୀମାନଙ୍କୁ ମିଳିବ ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅନଲାଇନ୍ ପାଠ୍ୟକ୍ରମ ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରିଛି । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ରାମ୍ସା) ସହାୟତାରେ ନବମ ଓ ଦଶମ ପାଠ୍ୟକ୍ରମର ଅନଲାଇନ୍ ସଂସ୍କରଣ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିପାଇଁ ‘ଦୀକ୍ଷା’ ନାମକ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମୋବାଇଲ୍ରେ ଡାଉନ୍ଲୋଡ୍ ହେବା ପରେ ଏହାକୁ କ୍ଲିକ୍ କରିବାକୁ ପଡ଼ିବ । ପରେ ପାଠ୍ୟପୁସ୍ତକରେ ଥିବା କ୍ୟୁ-ଆର କୋଡ୍କୁ ସ୍କାନ୍ କରିବାକୁ ପଡ଼ିବ । କ୍ୟୁ-ଆର୍ କୋଡ୍ ସ୍କାନ ହେବା ପରେ ଚୟନ ହୋଇଥିବା ବିଷୟବସ୍ତୁ ମୋବାଇଲ୍ ଫୋନ୍ରେ ଦେଖାଯିବ । ଏହାକୁ ଅନ୍ଲାଇନ୍ ମାଧ୍ୟମରେ ପଢ଼ିହେବ । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଏହି ଆପ୍ରେ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । କୋଡ୍ ସ୍କାନ୍ ପରେ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ଯେକୌଣସି ଗୋଟିଏ ଅପ୍ସନ୍ କ୍ଲିକ୍ କରି ପାଠ୍ୟକ୍ରମ ବିଷୟରେ ସୂଚନା ପାଇପାରିବେ ।
ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ସମସ୍ତ ବହିରେ ଏହି କ୍ୟୁ-ଆର କୋଡ୍ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ପରୀକ୍ଷାମୂଳକ ଭାବେ କେବଳ ନବମ ଓ ଦଶମ ଶ୍ରେଣୀ ର ଇଂଲିସ୍ ଗ୍ରାମାର ବହି ‘ଲର୍ଣ୍ଣ ଆଣ୍ଡ୍ ପ୍ରାକ୍ଟିସ୍ ଗ୍ରାମାର’ରେ ଅଡିଓ ଭିଡିଓର ବ୍ୟବସ୍ଥା ଲାଗୁକରାଯାଇଛି । ତେବେ କେବଳ ଯେ ମୋବାଇଲରେ ଏହ ବ୍ୟବସ୍ଥା ରଖାଯାଇଛି ତା’ ନୁହେଁ । କମ୍ପ୍ୟୁଟରରେ ମଧ୍ୟ ଜଣେ ଚାହିଁଲେ ଅନ୍ଲାଇନରେ ନିଜ ବିଷୟ ପଢିପାରିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଦୀକ୍ଷା ୱେବ୍ସାଇଟ୍ ୟସଳଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୱେବ୍ସାଇଟ୍କୁ ଯିବାକୁ ପଡ଼ିବ । ସେଥିରେ ଥିବା ବ୍ଲାଙ୍କ ବକ୍ସରେ ୬ ଅଙ୍କ କ୍ୟୁ-ଆର କୋଡ୍ ଟାଇପ୍ କରିବାକୁ ପଡ଼ିବ । ଏହାପରେ କମ୍ପ୍ୟୁଟରରେ ଆପେ ଆପେ ପାଠ୍ୟକୁସ୍ତକର ବିଷୟ ବସ୍ତୁ ଚାଲି ଆସିବ । ଯେଉଁ ବହିରେ ଅଡିଓ ଭିଡିଓ ବ୍ୟବସ୍ଥା ଥିବ ତାହାକୁ ୟୁଟ୍ୟୁବ୍ରେ ଦେଖିହେବ । ପରୀକ୍ଷାମୂଳକ ଭାବେ ଲାଗୁ ହୋଇଥିବା ଏହି ଯୋଜନା ସଫଳ ହେଲେ ନବମ ଓ ଦଶମ ଶ୍ରେଣୀର ସବୁ ବିଷୟରେ ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।