ନୂଆଦିଲ୍ଲୀ ୨୭/୦୭: ଦିବଂଗତ ଷ୍ଟାର୍‌ ଇରଫାନ ଖାନ୍‌ଙ୍କ ସହ ‘ଅଙ୍ଗ୍ରେଜୀ ମିଡିୟମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲେ ରାଧିକା ମଦାନ । ଏହି ଫିଲ୍ମ ଜରିଆରେ ତାଙ୍କ କ୍ୟାରିଅର ଆଗକୁ ବଢ଼ିଥିଲା । ଏହି ଫିଲ୍ମରେ ଭୂମିକା ପାଇବାକୁ ସେ ନିର୍ଦ୍ଦେଶକଙ୍କ ପଛରେ ପଡ଼ିଯାଇଥିଲେ । ବହୁତ ସଂଘର୍ଷ ପରେ ତାଙ୍କୁ ଅଡିସନ୍‌ର ସୁଯୋଗ ମିଳିଥିଲା । ଫରାହ ଖାନ୍‌ଙ୍କ ନୂଆ କୁକିଙ୍ଗ୍‌ ବ୍ଲଗ୍‌ରେ ରାଧିକା କହିଛନ୍ତି, ଫିଲ୍ମ ପାଇଁ ପୂର୍ବରୁ ଅନ୍ୟ ଜଣେ ଅଭିନେତ୍ରୀଙ୍କ ନାଁ ସ୍ଥିର ହୋଇସାରିଥିଲା । ମୁଁ କିନ୍ତୁ ପଛକୁ ହଟିଲି ନାହିଁ । ମୋର ଅଡିସନ୍‌ ନେବାକୁ ନିର୍ଦ୍ଦେଶକଙ୍କ ପଛରେ ପଡ଼ିଯାଇଥିଲି । ହୋମି ଅଦଜାନିୟା ବିରକ୍ତ ହୋଇ ମୋର୍‌ ଅଡିସନ୍‌ ନେବାକୁ ତାଙ୍କ ଟିମ୍‌କୁ କହିଥିଲେ । ସେହି ବର୍ଷ ଅନେକ ଷ୍ଟାର୍‌ କିଡ୍‌ ଲଞ୍ଚ୍‌ ହୋଇଥିଲେ । ମୁଁ କିଏ ଥିଲି ଯେ ମୋତେ ଫିଲ୍ମରେ ରୋଲ୍‌ ମିଳିଥାନ୍ତା ।’ 

ତେବେ କେଉଁ ଅଭିନେତ୍ରୀଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଯାଇଥିଲା, ରାଧିକା ଏବେ ବି ଜାଣିନାହାନ୍ତି । ଫରାହ ତାଙ୍କୁ ମଜାରେ କହିଲେ ଯେ ଷ୍ଟାର୍‌ କିଡ୍‌ଙ୍କ ହାତରୁ ଫିଲ୍ମ ଛଡ଼ାଇ ନେଇଥିବାରୁ ରାଧିକା ହିଁ ପ୍ରକୃତ ଦୋଷୀ । ସୂଚନାଥାଉକି, ସିନେ ଦୁନିଆକୁ ଆସିବା ପୂର୍ବରୁ ରାଧିକା ଟେଲିଭିଜନ୍‌ର ଜଣେ ପରିଚିତ ଚେହେରା ଥିଲେ । ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତା’ପରେ ‘ମର୍ଦ କୋ ଦର୍ଦ ନହିଁ ହୋତା’ରେ କାମ କଲେ । ‘ଅଙ୍ଗ୍ରେଜୀ ମିଡିୟମ୍‌’ ତାଙ୍କ କ୍ୟାରିଅର୍‌ର ୩ୟ ଫିଲ୍ମ ଥିଲା । ଖୁବ୍‌ଶୀଘ୍ର କମେଡି ଫିଲ୍ମ ‘ରୁମି କୀ ଶରାଫତ୍‌’ରେ ଶାରିବ ହାଶମୀ ଓ ନିଶାଙ୍କ ବର୍ମାଙ୍କ ସହ ସେ ପରଦାକୁ ଆସିବେ ।