ଭୁବନେଶ୍ୱର, ୧୮/୨: ଉତ୍ପାତିଆ ‘ପଲଙ୍କ’ ହାତୀ ବେକରେ ବନ୍ଧାହେଲା ରେଡିଓ କଲାର୍ । ଭରତପୁର ଜଙ୍ଗଲରେ ପଲଙ୍କକୁ ଟ୍ରାଙ୍କୁଲାଇଜ କରି ତା’ ବେକରେ ରେଡିଓକଲାର୍ ବାନ୍ଧିବାରେ ସଫଳ ହୋଇଛି ଚନ୍ଦକା ବନବିଭାଗ । ପ୍ରାୟ ୧୨ ଘଣ୍ଟାର ପରିଶ୍ରମ ପରେ ପଲଙ୍କ ବେକରେ ରେଡିଓକଲାର ବନ୍ଧାଯାଇଛି । ତାକୁ ୧୨ ଘଣ୍ଟିଆ ଅବଜରବେସନ୍ରେ ରଖାଯାଇଥିବା ନେଇ ଚନ୍ଦକା ବନବିଭାଗ ସୂତ୍ରରୁ ସୂଚନା ମିଳିଛି । ତେବେ ଆଜି ରାତିରେ ତାକୁ ଅନୁଗୋଳର ସାତକୋଶିଆ ଜଙ୍ଗଲକୁ ନେବାକୁ ଯୋଜନା କରାଯାଇ ଏକ ହାଇଡ୍ରା ଓ ହାଇୱା ଗାଡ଼ିକୁ ଭରତପୁର ଜଙ୍ଗଲକୁ ଡକାଯାଇଥିବା ଜଣାପଡ଼ିଛି । ଚନ୍ଦକା ଭରତପୁର ଜଙ୍ଗଲରେ ରାଜ କରୁଥିଲା ଦୀର୍ଘକାୟ ‘ରାମୁ ହାତୀ’ । ପଲଙ୍କ ଚେହେରା ରାମୁ ଠାରୁ ଛୋଟ ଥିଲା ।
ରାମୁ ପଲଙ୍କକୁ ପାଖ ମଡ଼ାଇ ଦେଉ ନଥିଲା । ଏପରିକି ତାକୁ ଭରତପୁର ଜଙ୍ଗଳରେ ରଖାଇ ଦେଉ ନଥିଲା । ତେଣୁ ପଲଙ୍କ ହାତୀର ରାମୁ ଉପରେ ରାଗ ଥିଲା । ରାମୁ ମଲା ପରେ ପଲଙ୍କ ହାତୀ ଭରତପୁର ଜଙ୍ଗଲରେ ରାଜ୍ କରି ଆସୁଛି । ରାମୁର କଙ୍କାଳ ସଂରକ୍ଷଣ କରି ରଖିବା ପାଇଁ ବନବିଭାଗ ପକ୍ଷରୁ କଙ୍କାଳକୁ ସଫାସୁତୁରା କରାଯାଉଥିଲା । ପ୍ରତିଶୋଧ ପରାୟଣ ହୋଇ ପଲଙ୍କ ଗତ ଜାନୁଆରୀ ୩ରେ ରାମୁ ହାତୀର ଖପୁରିକୁ ଦାନ୍ତରେ ଭୁସି କଣା କରି ପକାଇଥିଲା । କଙ୍କାଳ ରଖାଯାଇଥିବା ସେଡ୍କୁ ଭାଙ୍ଗି ଦେଇଥିଲା । ସେ ଭରତପୁର ଜଙ୍ଗଲରେ ରାଜ କରିବା ସହ ବାରମ୍ବାର ସହରମୁହାଁ ହେଉଥିଲା । କେତେବେଳେ ପଥରଗଡ଼ିଆ ପଟେ ପାଚେରି ଭାଙ୍ଗି ଶିଖରଚଣ୍ଡୀ ମୁଣ୍ଡିଆ ତ ଆଉ କେତେବେଳେ ଏକାମ୍ର ପାର୍କ ଭିତରେ ପଶି ଭଙ୍ଗାରୁଜା କରୁଥିଲା । ବାରମ୍ବାର ପଲଙ୍କ ଏପରି କରିବାରୁ ତାକୁ ଟ୍ରାଙ୍କୁଲାଇଜ କରି ବେକରେ ରେଡିଓକଲାର ବାନ୍ଧିବା ପାଇଁ ବନବିଭାଗ ଯୋଜନା କରିଥିଲା ।
ରେଡିଓକଲାର ବାନ୍ଧିବା ପରେ ଟ୍ରାକିଂ ଡିଭାଇସ୍ ସହାୟତାରେ ପଲଙ୍କ ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରିବ । ତେଣୁ ଆଜି ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏସିଏଫ୍, ବନବିଭାଗର କର୍ମଚାରୀ, ଓୟୁଏଟି ଓ ନନ୍ଦନକାନନର ଟ୍ରାଙ୍କୁଲାଇଜ୍ ଟିମ୍କୁ ମିଶାଇ ପ୍ରାୟ ୩୦ ଜଣ ପଲଙ୍କ ହାତୀ ପଛରେ ପଡ଼ିଥିଲେ । ଭରତପୁର ଜଙ୍ଗଲରେ ତାକୁ ପିଛା କରି ଟ୍ରାଙ୍କୁଲାଇଜ କରାଯାଇଥିଲା । ତା’ପରେ ତା ବେକରେ ରେଡିଓକଲାର ବନ୍ଧା ଯାଇଥିଲା । ୨୦୨୧ ସେପ୍ଟେମ୍ବର ୧୭ରେ ଭରତପୁର ଜଙ୍ଗଲରେ ଆରମ୍ଭ ହୋଇଥିଲା ରେଡିଓ କଲାରିଂ ମିଶନ । ଚନ୍ଦକା ଜଙ୍ଗଲର ଦୁର୍ଦ୍ଦାନ୍ତ ଦନ୍ତା ରାମୁ ଓ ୨ ମାକେନାକୁ ରେଡିଓ କଲାରିଂ କରାଯିବା ପାଇଁ ସ୍ଥିର ହୋଇଥିଲା । ବେଙ୍ଗାଲୁରୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବିଶେଷଜ୍ଞ ଟିମ୍ ସହ ନନ୍ଦନକାନନ ଟିମ୍, ଓୟୁଏଟି ବିଶେଷଜ୍ଞ, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆକୁ ମିଶାଇ ମୋଟ୍ ୫୦ଜଣ କର୍ମଚାରୀ ସାମିଲ ଥିଲେ । ହେଲେ ଏଥିରେ ସେମାନେ ବିଫଳ ହୋଇଥିଲେ ।
ଆହୁରି ପଢନ୍ତୁ- ୟୁଟ୍ୟୁବର୍ଙ୍କ ହେଲୋ ଗାଇଜ୍... ଲାଇଭ୍ ଟେଲିକାଷ୍ଟ ବନ୍ଧାଇଦେଲା, ସାମ୍ନାକୁ ଆସିଲା ସାର୍ଦ୍ଦୁଳ ହତ୍ୟାକାଣ୍ଡ
ପରେ ୨୦୨୧ ନଭେମ୍ବର ୨୦ରେ ପୁଣି ରାମୁ ଦେହରେ ରେଡିଓ କଲାର ବାନ୍ଧିବା ମିଶନ୍ ଆରମ୍ଭ ହୋଇଥିଲା । ରାମୁକୁ ଖୋର୍ଦ୍ଧା ଟାଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ଗୟାବନ୍ଧ ମୁଣ୍ଡାଆମ୍ବ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରି ରେଡିଓ କଲାର ବାନ୍ଧିବାକୁ ଉଦ୍ୟମ କରିଥିଲେ । ହେଲେ ରାମୁ ନିକଟକୁ ଯିବା ବେଳେ ସେ ବନ କର୍ମଚାରୀଙ୍କୁ ଗୋଡ଼ାଇଥିଲା । ରାମୁର ଗୋଇଠା ମାଡ଼ରେ ଜଣେ ଫରେଷ୍ଟର ଗୁରୁତର ହୋଇଥିଲେ । ଖୋର୍ଦ୍ଧା ଡିଏଫ୍ଓ, ଏସିଏଫ୍, ବେଙ୍ଗାଲୁର ବିଶେଷଜ୍ଞ ଡ.ନିଶାନ୍ତ ଓ ରାମଚନ୍ଦ୍ର କାଣ୍ଡି ପଡ଼ି ଖଣ୍ଡିଆଖାବରା ହୋଇଥିଲେ । ଏହି ଅଘଟଣ ପରେ ହାତୀଙ୍କ ବେକରେ ରେଡିଓ କଲାର ବାନ୍ଧିବା ଯୋଜନା ବନ୍ଦ ରହିଥିଲା ।