ଭଞ୍ଜନଗର, ୧୮/୦୨: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦ୍ଦୁଳ ଗାଁରେ ଚୋରି ଉଦ୍ୟମ ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ପ୍ରାଣ ହରାଇଥିବା ବେଣୁଧର ପ୍ରଧାନଙ୍କ ହତ୍ୟା ଘଟଣାରେ ଟୁଇଷ୍ଟ । ଲାଇଭ୍ ଟେଲିକାଷ୍ଟ କରି ନିଜେ ଭସିଗଲେ ୟୁଟ୍ୟୁବର । ୟୁଟ୍ୟୁବ ଭିଡିଓ ଆଧାରରେ ଅଭିଯୁକ୍ତଙ୍କ ଗିରଫ କରିଛି ଭଞ୍ଜନଗର ପୁଲିସ । ଏଥିରେ ନିଜେ ୟୁଟ୍ୟୁବର ମଧ୍ୟ ସାମିଲ୍ ଅଛନ୍ତି । ଗତ ୧୩ ତାରିଖ ରାତିରେ ଚୋରି ଉଦ୍ୟମ କରି ଖସି ପଳାଉଥିବା ବେଳେ ଗ୍ରାମର କିଛି ଯୁବକ ବେଣୁଧରଙ୍କୁ ଧରିଥିଲେ । ଗାଁ ଦାଣ୍ଡରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ହେଲେ ରାତି ଅଧରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାର ଲାଇଭ୍‌ ଚିତ୍ର ନିଜ ୟୁଟ୍ୟୁବ୍‌ ସାଇଟ୍‌ରେ ଦେଖାଇଥିଲେ ସେହି ଗ୍ରାମର ୟୁଟ୍ୟୁବର୍‌ ତପନ କୁମାର ଗୌଡ଼ । ପରବର୍ତ୍ତୀ ସମୟରେ ତାହା ହିଁ ପୁଲିସକୁ ସମଗ୍ର ଘଟଣାର ତଥ୍ୟ ସଂଗ୍ରହରେ ସହାୟକ ହୋଇଥିଲା ।

ବେଣୁଧରକୁ କେଉଁମାନେ ମାଡ଼ ମାରିଥିଲେ, କେଉଁମାନେ ସେଠାରେ ଠିଆ ହୋଇ ମାରିବାକୁ ଉସୁକାଉଥିଲେ, କେଉଁ ମାନେ ସେଠାରେ ଭିଡିଓ ଉତ୍ତୋଳନ କରୁଥିଲେ ଏସବୁର ପୁରା ତଥ୍ୟ ୟୁଟ୍ୟୁବ୍‌ ଭିଜୁଆଲରୁ ହିଁ ସଂଗ୍ରହ କରିଥିଲା ପୁଲିସ । ଅଭିଯୁକ୍ତଙ୍କ ପାଖରେ ପହଞ୍ଚାଇବାରେ ପୁଲିସକୁ ଏହା ସହାୟକ ହୋଇଥିବା କହିଛନ୍ତି ଥାନାଧିକାରୀ ଜୀବନାନନ୍ଦ ଜେନା । କୌତୁହଳର କଥା ହେଲା ପୁଲିସ ଗିରଫ କରିଥିବା ୨୨ ଜଣଙ୍କ ମଧ୍ୟରେ ୟୁଟ୍ୟୁବର ତପନ ମଧ୍ୟ ରହିଛନ୍ତି । ୟୁଟ୍ୟୁବ ଭିଡିଓକୁ ଆଧାର କରି ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ଜେନା ସୂଚନା ଦେଇଛନ୍ତି । ଅପରପକ୍ଷରେ ସଂଘବଦ୍ଧ ଆକ୍ରମଣରେ ବେଣୁଧରଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ୟୁଟ୍ୟୁବର୍‌ ତପନ ନିଜ ସାଇଟ୍‌ରୁ ଭିଡିଓକୁ ଡିଲିଟ୍‌ କରି ଦେଇଥିଲେ । ହେଲେ ସେତେବେଳକୁ ଏହାକୁ ପୁଲିସ ଡାଉନ୍‌ଲୋଡ୍‌ କରିସାରିଥିଲା ବୋଲି ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର କହିଛନ୍ତି । ଅନେକ ସମୟରେ ନିଜ ଅଜାଣତରେ ଏଭଳି ହୋଇଥାଏ ଓ ଘଟଣାର ବାସ୍ତବ ସତ୍ୟ ସାମ୍ନାକୁ ଆସିଯାଏ । ସାର୍ଦ୍ଦୁଳ ଗାଁରେ ବେଣୁଧରଙ୍କ ମୃତ୍ୟୁ ଘଟଣାରେ ଲାଇଭ୍‌ ଭିଜୁଆଲ୍‌ ରେକର୍ଡ କରିବା ପ୍ରକାରାନ୍ତରେ ପୁଲିସକୁ ବେଶ୍‌ ସହାୟକ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି ।

ଗତ ୧୩ ତାରିଖ ରାତି ଅଧରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କୁର୍ମିଙ୍ଗିଆ ଗାଁର ବେଣୁଧର କିଛି ସହଯୋଗୀଙ୍କ ସହ ଏକ କାର୍‌ରେ ଆସି ସାର୍ଦ୍ଦୁଳ ଗାଁରେ ସୁଶାନ୍ତ ଗୌଡ଼ଙ୍କ ତାଲା ବନ୍ଦ ଘରୁ ଚୋରି ଉଦ୍ୟମ କରୁଥିଲେ । ପୂର୍ବରୁ ଗାଁରେ ଚୋରି ହେଉଥିବାରୁ ସଜାଗ ଥିବା ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ତାକୁ କାବୁ କରି ନିସ୍ତୁକ ପିଟିଥିଲେ । ସହଯୋଗୀମାନେ କାର୍‌ ସହ ଚମ୍ପଟ ମାରିଥିବାବେଳେ ବେଣୁଧର କିନ୍ତୁ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇଥିଲେ । ପୁଲିସ ୨ ନାବାଳକଙ୍କ ସମେତ ମୋଟ ୨୨ ଜଣକୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ-ଜୀବନ ଯନ୍ତ୍ରଣାର ଅଗ୍ନିପରୀକ୍ଷାରେ ସଫଳ ଜାନକୀ, ଇଟାଭାଟିରେ ଗଣଦୁଷ୍କର୍ମ ପରେ ଛାଡ଼ିଦେଲେ ସ୍ଵାମୀ, ଏବେ ସଫଳ ଚାଷୀ​​​​​​​