ନୂଆଦିଲ୍ଲୀ: ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ସାଂସଦ ରାଘବ ଚଢା। ଏହି ପ୍ରତିକ୍ରିୟା ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରିଛନ୍ତି। ଏଥିରେ, ସେ ନଜର ନଲାଗିବା ଇମୋଜି ବ୍ୟବହାର କରିଛନ୍ତି । ଏହି ଇମୋଜିକୁ "ଦୁଷ୍ଟ ଆଖି" ମଧ୍ୟ କୁହାଯାଏ। ଏହି ଇମୋଜି ସହିତ, ସେ ଗତ କିଛି ଦିନ ମଧ୍ୟରେ ସଂସଦରେ ଉଠାଇଥିବା ପ୍ରସଙ୍ଗ ଗୁଡ଼ିକର ଏକ ଭିଡିଓ ସେୟାର କରିଛନ୍ତି।

୨ ମିନିଟ୍ ୪୫ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି…

ସେୟାର କରାଯାଇଥିବା ଭିଡିଓରେ ସେ ସଂସଦରେ ଅନେକ ପ୍ରସଙ୍ଗରେ କହୁଥିବା ଦେଖାଯାଇଛି। ସେ ତାଙ୍କ X ହ୍ୟାଣ୍ଡେଲରେ ୨ ମିନିଟ୍ ୪୫ ସେକେଣ୍ଡର ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ମଧ୍ୟବିତ୍ତ ବର୍ଗ ଉପରେ ଟିକସ ବୋଝ, ଡାଟା ଖତମ ସମସ୍ୟା, ପିତୃତ୍ୱ ଛୁଟି, ସର୍ବନିମ୍ନ ବାଲାନ୍ସ କୁ ନେଇ ଲଗାଯାଉଥିବା ପେନାଲ୍ଟି, , ଇନକମିଂ କଲ୍ ଚାର୍ଜ, ୨୮ ଦିନିଆ ରିଚାର୍ଜ "ସ୍କାମ", ଅତିରିକ୍ତ ବ୍ୟାଗେଜ ଚାର୍ଜ, ପେପର ଲିକ୍ ସ୍କାମ୍, ବାୟୁ ପ୍ରଦୂଷଣ, ସ୍ୱାସ୍ଥ୍ୟ ବୀମା ଉପରେ GST ଏବଂ ମହଙ୍ଗା ବିମାନବନ୍ଦର ଖାଦ୍ୟ ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ।

​​​​​​​

ଅଶୋକ ମିତ୍ତଲ କ’ଣ କହିଛନ୍ତି ?

ରାଜ୍ୟ ସଭାରେ ଆପର ନୂତନ ଉପନେତା ଅଶୋକ ମିତ୍ତଲ ମଧ୍ୟ ଏହି ସମ୍ପୂର୍ଣ୍ଣ ରାଜନୈତିକ ବିକାଶ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପରିବର୍ତ୍ତନ ଏକ ସାଧାରଣ ପ୍ରକ୍ରିୟା ଏବଂ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ମିତ୍ତଲ କହିଛନ୍ତି ଯେ ସେ ଆଜି ନିର୍ବାଚିତ ହୋଇଛନ୍ତି, ଏବଂ କାଲି ଅନ୍ୟ କେହି ନିର୍ବାଚିତ ହେବେ। ରାଘବ ଚଢାଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ସେ ଦଳର ଜଣେ ବରିଷ୍ଠ ସାଂସଦ ଏବଂ ତାଙ୍କ ଠାରୁ ସେ ଯାହା ଶିଖିଛନ୍ତି ତାହା ଆଗକୁ ବଢ଼ାଇବେ ।

ସୂଚନାଯୋଗ୍ୟ ଯେ ରାଜ୍ୟସଭା ସାଂସଦ ହେବା ପୂର୍ବରୁ ରାଘବ ଚଢା ଜଣେ ଆପ ବିଧାୟକ ଥିଲେ। ସେ ଫେବୃଆରୀ ୨୦୨୦ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟସଭାରେ ଯୋଗଦେବା ପୂର୍ବରୁ ସେ ଦିଲ୍ଲୀ ଜଳ ବୋର୍ଡର ସଦସ୍ୟ ମଧ୍ୟ ଥିଲେ। ସେ ଏପ୍ରିଲ ୨୦୨୨ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।