ରାହୁଲ ନା ଗିଲ, ୪ର୍ଥ ଟେଷ୍ଟରେ କାହାକୁ ମିଳିବ ସୁଯୋଗ? ଏମିତି କହିଲେ କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ

ଅହମଦାବାଦ ୦୭/ ୦୩: ବର୍ଡର ଗାଭାସ୍କର ଟ୍ରଫିର ୪ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଅନ୍ତିମ ଟେଷ୍ଟ ଜିତି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବାକୁ ଜୋରଦାର ପ୍ରୟାସ କରିବ । ଅନ୍ୟପଟେ ସିରିଜ୍ ବରାବର କରିବାକୁ ଜୋର ଲଗାଇ ଦେବ କଙ୍ଗାରୁ ଟିମ୍ । ତେବେ ୪ର୍ଥ ଟେଷ୍ଟରେ ଭାରତର ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବେ ସେ ନେଇ ଲାଗିରହିଛି କଳ୍ପନାଜଳ୍ପନା ।
ଖରାପ ପ୍ରଦର୍ଶନ କାରଣରୁ ଲୋକେସ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ବିଦା କରିଥିଲା ବିସିସିଆଇ । କେବଳ ସେତିକି ନୁହେଁ ପ୍ରଥମ ଦୁଇଟି ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ତୃତୀୟ ଟେଷ୍ଟରେ ରାହୁଲଙ୍କୁ ବାଦ୍ ଦେଇ ଶୁବମାନ ଗିଲଙ୍କୁ ପ୍ଲେଇଂ ଇଲେଭେନରେ ନେଇଥିଲା ଦଳ । ତେବେ ଗିଲ୍ ଓ ରାହୁଲଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ।

ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଅନୁରୋଧ କରି ପଣ୍ଟିଂ କହିଛନ୍ତି, ‘ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଉଭୟ ଶୁବମାନ ଗିଲ୍ ଓ ଲୋକେସ ରାହୁଲଙ୍କୁ ସୁଯୋଗ ଦେଉ । ଅହମଦାବାଦ ଟେଷ୍ଟରେ ଶୁବମାନ ଗିଲ୍ଙ୍କୁ ଓପନିଂ କରିବାକୁ ସୁଯୋଗ ଦିଆଯାଉ ଏବଂ ରାହୁଲଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ ପାଇଁ ପଠାଯାଉ । କାରଣ ରାହୁଲ ପୂର୍ବରୁ ଅନେକ ପ୍ରତିକୂଳ ଓ୍ବିକେଟରେ ଭଲ ପ୍ରଦର୍ଶନ ଦେଖାଇଛନ୍ତି’।
ପଣ୍ଟିଂ କହିଛନ୍ତି, ଭାରତୀୟ ଦଳ ତାର ଶ୍ରେଷ୍ଠ ଚୂଡାନ୍ତ ଏକାଦଶ ସହିତ ଅନ୍ତିମ ଟେଷ୍ଟରେ ପଡିଆକୁ ଓହ୍ଲାଇବା ଉଚିତ । କାରଣ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ଇଂଲଣ୍ଡର ଦି ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ତେଣୁ ସେଠାକାର ସ୍ଥିତି ସହିତ ଖାପ୍ ଖୁଆଇବା ପାଇଁ ଭାରତୀୟ ଦଳ ଶ୍ରେଷ୍ଠ ଟିମ୍କୁ ଖେଳାଇବା ଉଚିତ’।
