ବିବାହ ବନ୍ଧନରେ ବାନ୍ଧିହେଲେ ଲୋକେସ ରାହୁଲ ଏବଂ ଆଥିୟା, ଉତ୍ସବରେ ଅତିଥିଙ୍କ ପାଇଁ ଥିଲା ମୋବାଇଲ ବ୍ୟାନ୍

- ବିବାହ ଉତ୍ସବରେ ୧୦୦ ଜଣ ଅତିଥି ଉପସ୍ଥିତ ଥିଲେ
- ଦକ୍ଷିଣ ଭାରତ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ
- ବିବାହ ଉତ୍ସବରେ ସମ୍ପର୍କୀୟ ତଥା ବନ୍ଧୁବାନ୍ଧବଙ୍କୁ ଫୋନ୍ ବ୍ୟାନ୍ ଥିଲା
ମୁମ୍ବାଇ ୨୩/ ୦୧: ବହୁ ପ୍ରତୀକ୍ଷାର ଅନ୍ତ । ହାତକୁ ଦୁଇ ହାତ ହୋଇଛନ୍ତି କ୍ରିକେଟର୍ ଲୋକେସ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀ । ବର୍ଷ ୨୦୨୩ରେ ଏହା ପ୍ରଥମ ସେଲିବ୍ରିଟି ବିବାହ । ଦୀର୍ଘ ୩ ବର୍ଷ ଧରି ଡେଟିଂ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ ଏବଂ ଆଥିୟା । ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସ୍ ଖଣ୍ଡାଲାରେ ସୋମବାର ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲୋକେସ ରାହୁଲ ଏବଂ ଆଥିୟା ସେଟ୍ଟୀଙ୍କ ବିବାହ ଦକ୍ଷିଣ ଭାରତର ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ ଅଳ୍ପ କିଛି ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ଥିବା ସୂଚନା ମିଳିଛି । ଉଭୟଙ୍କ ପରିବାର ଗଣମାଧ୍ୟମକୁ କୌଣସି ସୂଚନା ନଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସୁନୀଲ ସେଟ୍ଟୀ ଏବଂ ତାଙ୍କ ପତ୍ନୀ ମାନା ସେଟ୍ଟୀ କୌଣସି ବଡ ଆୟୋଜନ ନକରି ବରଂ କିଛି ସମ୍ପର୍କୀୟଙ୍କୁ ହିଁ ନିମନ୍ତ୍ରଣ ଦେଇଥିଲେ । ବିବାହ ଉତ୍ସବରେ ହାତଗଣତି ପ୍ରାୟ ୧୦୦ ଜଣ ଅତିଥି ଉପସ୍ଥିତ ଥିଲେ ।

ରାହୁଲ ଏବଂ ଆଥିୟାଙ୍କ ବିବାହ ଉତ୍ସବରେ ଅଭିନେତା ଅର୍ଜୁନ କପୁର, ଭଉଣୀ ଅଂଶୁଲା କପୁରଙ୍କ ସହ ପହଞ୍ଚିଥିଲେ । ଉଭୟ ଡ୍ର୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଉଛି ବିବାହ ଉତ୍ସବରେ ସମ୍ପର୍କୀୟ ତଥା ବନ୍ଧୁବାନ୍ଧବଙ୍କୁ ଫୋନ୍ ନେବାକୁ ବ୍ୟାନ୍ କରାଯାଇଥିଲା । ଫାର୍ମ ହାଉସକୁ ବିନା ଫୋନରେ ଆସିବାକୁ କୁହାଯାଇଥିଲା । ତେବେ ଏଭଳି ଆୟୋଜନ ପଛର ରହସ୍ୟ କଣ ଏବଂ ନିରାଡମ୍ବର ବିବାହ କାହିଁକି କରାଗଲା ସେ ନେଇ କୌଣସି ସୂଚନା ଦେଇନାହାନ୍ତି ଉଭୟ ପରିବାର । ବିବାହ ପରେ ଆଥିୟା ସେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି ।