ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆସୁଛନ୍ତି ରାହୁଲ: ଆଜି ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ପରିବର୍ତ୍ତନ ସମାବେଶ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାତି ପାହିଲେ ଆସି ପହଞ୍ଚିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଡ଼ିଆରେ ସଂକଳ୍ପ ପରିବର୍ତ୍ତନ ସମାବେଶ କରିବେ । ଏହା ସହ ରାଜ୍ୟରେ କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ବିଗୁଲ୍‌ ବଜାଇବେ ରାହୁଲ । ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଉତ୍ସାହ ଶୀର୍ଷରେ ପହଞ୍ଚିଛି । ରାଜ୍ୟ ରାଜନୀତି ବି ବେଶ୍‌ ସକ୍ରିୟ ହୋଇ ପଡ଼ିଛି ।
ଦୀର୍ଘ ସାଢ଼େ ୩ ବର୍ଷ ପରେ ଓଡ଼ିଶା ଆସୁଛନ୍ତି ରାହୁଲ । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟା ୪୫ରେ ଭିସ୍ତାରା ବିମାନ (ୟୁକେ-୭୮୩) ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ । ସେଠାରୁ ରୋଡ୍‌ ସୋ’ କରି ରାହୁଲ ଯିବେ ହୋଟେଲ ମେ’ ଫେୟାର । ପୂର୍ବନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ଦିନ ୧୨ଟା ୪୦ରୁ ଅପରାହ୍‌ଣ ୧ଟା ୪୦ ମିନିଟ ପର୍ଯ୍ୟନ୍ତ ଚାଲିବ । ମଧ୍ୟାହ୍ନଭୋଜନ ପରେ ରାହୁଲ ସିଧା ତମାଣ୍ଡୋ ମିନି ଷ୍ଟାଡିୟମ ଅଭିମୁଖେ ବାହାରିବେ । ଅପରାହ୍ନ ପ୍ରାୟ ୨ଟା ୫ରେ ସମାବେଶ ସ୍ଥଳରେ ପହଞ୍ଚିବେ ।
ସମାବେଶ ସରିବା ପରେ ଅପରାହ୍ନ ପ୍ରାୟ ୩ଟା ୩୫ରେ ତମାଣ୍ଡୋ ପଡ଼ିଆରୁ ବାହାରିବେ । ଅପରାହ୍‌ଣ ୪ଟା ୫ରେ ରାହୁଲ କଂଗ୍ରେସ ଭବନରେ ପହଞ୍ଚିବେ । ପ୍ରଥମେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର କର୍ମଚାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାହୁଲ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଓ ବିଧାୟକମାନଙ୍କ ସହଆଲୋଚନା କରିବେ । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ସନ୍ଧ୍ୟା ପ୍ରାୟ ୫ଟା ୫୦ ମିନିଟରେ ରାହୁଲ କଂଗ୍ରେସ ଭବନ ଛାଡ଼ି ବିମାନବନ୍ଦର ଅଭିମୁଖେ ବାହାରିବେ । ସନ୍ଧ୍ୟା ୬ଟା ୩୫ରେ ଇଣ୍ଡିଗୋ ବିମାନ (୬ଇ-୨୩୧୪) ଯୋଗେ ଦିଲ୍ଲୀ ଯାତ୍ରା କରିବେ । ଏହି ଗସ୍ତ ଅବସରରେ ରାହୁଲ ସାଢ଼େ ୭ ଘଣ୍ଟା ଭୁବନେଶ୍ୱରରେ ରହିବେ ।
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇପଡ଼ିଛି । କାରଣ ଇସ୍ତଫା, ବହିଷ୍କାର, ଦଳ ଡିଆଁ, ମନାନ୍ତର, ମତାନ୍ତର, ଆକ୍ଷେପ, ପ୍ରତି ଆକ୍ଷେପ ଭିତରେ ପେଶି ହେଉଥିବା ରାଜ୍ୟ କଂଗ୍ରେସକୁ ଏବେ ରାହୁଲ ହିଁ ଭରସା । ରାଜ୍ୟ ନେତୃମଣ୍ଡଳୀ ଆଶା ବାନ୍ଧିଛନ୍ତି, ନିରାଶା ଓ ହତାଶା ଭିତରେ ଗତି କରୁଥିବା କର୍ମୀଙ୍କ ଭିତରେ ରାହୁଲ ଭାଷଣ ନିଶ୍ଚିତ ଜୋଶ୍‌ ଭରିବ । ତୃଣମୂଳସ୍ତରରେ ଲଢ଼ିବା ପାଇଁ କର୍ମକର୍ତ୍ତାଙ୍କୁ ରାହୁଲ ଦେବେ ଅସ୍ତ୍ର ।
କଂଗ୍ରେସ ଅଧ୍ୟକ୍ଷ ଓଡ଼ିଶାରେ କାହାକୁ ଟାର୍ଗେଟ କରିବେ, ତାହା ଉପରେ ସଭିଙ୍କ ନଜର ଅଟକିଛି । ରାହୁଲଙ୍କ ଟାର୍ଗେଟରେ ମୋଦି ରହିବେ ନା ନବୀନ, ତାହାକୁ ନେଇ ଭିିନ୍ନ ଭିନ୍ନ ଆଲୋଚନା ଚାଲିଛି । ରାହୁଲଙ୍କ ଭାଷଣରୁ ହିଁ ଓଡ଼ିଶାରେ କଂଗ୍ରେସ ପାଇଁ ମୁଖ୍ୟ ଶତ୍ରୁ କିଏ, ବିଜେଡି ନା ବିଜେପି ତାହା ସ୍ପଷ୍ଟ ହୋଇଯିବ । ଦେଶବ୍ୟାପି ମୋଦି ବିରୋଧୀଙ୍କୁ ଏକଜୁଟ କରିବା ଉପରେ ରାହୁଲ ଗୁରୁତ୍ୱ ଦେଉଥିବାବେଳେ ଓଡ଼ିଶା ପାଇଁ ତାଙ୍କ ରଣନୀତି କ’ଣ ହେବ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ରାହୁଲଙ୍କ ସମାବେଶ ରାଜ୍ୟ କଂଗ୍ରେସ ପାଇଁ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସିର ତିନି ସମ୍ପାଦକ, ଏଆଇସିସି ମିଡିଆ କୋର୍ଡିନେଟର ଗତକାଲିଠାରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତମାଣ୍ଡୋ ପଡ଼ିଆରୁ କଂଗ୍ରେସ ଭବନ ଯାଏଁ ବୁଲି ବୁଲି ସବୁ ବ୍ୟବସ୍ଥା ତଦାରଖ କରୁଛନ୍ତି । ସମାବେଶକୁ ସଫଳ କରିବା ପାଇଁ ପ୍ରଚାର ରଥ ଘୁରି ବୁଲୁଛି । ମୁଖ୍ୟ ରାସ୍ତା ଓ ଛକଗୁଡ଼ିକରେ କଂଗ୍ରେସ ପତାକା ଓ ହୋର୍ଡିଂ ଛାଇଯାଇଛି । ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବାକୁ କଂଗ୍ରେସ ଭବନ ବି ସଜେଇ ହୋଇଛି ।
ରାହୁଲଙ୍କ ସମାବେଶକୁ ସଫଳ କରିବା ପାଇଁ ପିସିସି ଲାଗି ପଡ଼ିଥିବାବେଳେ ଚିନ୍ତା ବଢ଼ାଇଛି ଆସନ୍ତାକାଲି ପୁରୀରେ ହେବାକୁ ଥିବା ‘କାଳିଆ’ ସମାବେଶ । ‘କାଳିଆ’ ଯୋଜନାରେ ଆସନ୍ତାକାଲି ଆର୍ଥିକ ସହାୟତା ବଣ୍ଟନର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଏବେ କଂଗ୍ରେସକୁ କର୍ମୀ ବୋହିବା ପାଇଁ ଆବଶ୍ୟକ ସଂଖ୍ୟକ ଗାଡ଼ି ମିଳୁନଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି । ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତେ୍ୱ ବହୁ ସଂଖ୍ୟକ କର୍ମୀ ରାହୁଲଙ୍କ ସମାବେଶକୁ ଆସିବେ ବୋଲି ନିରଞ୍ଜନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାହୁଲ ପୁଣି ଓଡ଼ିଶା ଆସିବେ । ତାରିଖ ଓ ସ୍ଥାନ ଧାର୍ଯ୍ୟ ହୋଇନି । ମାତ୍ର ଦକ୍ଷିଣ ଓଡ଼ିଶାରେ ସେ ସମାବେଶ କରିବେ । ଫେବ୍ରୁଆରୀ ଶେଷ ସପ୍ତାହରେ ସେ ପୁଣି ଥରେ ଓଡ଼ିଶା ଆସିବେ । ମାର୍ଚ୍ଚରେ ମଧ୍ୟ ରାହୁଲଙ୍କ ସମାବେଶ ନେଇ ଯୋଜନା ଅଛି । ଓଡ଼ିଶା ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଅନୁରୋଧ କରାଯିବ । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ରାହୁଲ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ କୋରାପୁଟ ଆସିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.