୪ରେ ଦକ୍ଷିଣ ଓଡ଼ିଶା ଆସିବେ ରାହୁଲ

source:http://totaltv.in
ଭୁବନେଶ୍ୱର,୨୭ ।୩(ବ୍ୟୁରୋ): ଆସନ୍ତା ୪ରେ ଦକ୍ଷିଣ ଓଡ଼ିଶା ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ । ତେବେ ରାହୁଲ ଦକ୍ଷିଣ ଓଡ଼ିଶାର କେଉଁଠିକୁ ଆସିବେ ତାହା ସ୍ଥିର ହୋଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏଥର ରାହୁଲ ତାଙ୍କର ଦିନିକିଆ ଗସ୍ତ ସମୟରେ ସମାବେଶ ନକରି ରୋଡ୍ ସୋ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପଶ୍ଚିମ ଓଡ଼ିଶାର ବ୍ରହ୍ମପୁରରେ ରୋଡ୍ ସୋ ହେବା ବାବଦରେ ଆଲୋଚନା ଚାଲିଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ରାହୁଲଙ୍କ ଗସ୍ତ ସମୟରେ ଦକ୍ଷିଣ ଓଡ଼ିଶା ଉପରେ ଫୋକସ୍ ରହିବ । ଏହା ବ୍ୟତୀତ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିଥିବାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ହିସାବ କରିଛି । ତେଣୁ ଛତିଶଗଡ଼କୁ ଲାଗିଥିବା ଅଞ୍ଚଳଗୁଡିକୁ ବାରମ୍ବାର ରାହୁଲଙ୍କ କାର୍ଯ୍ୟକ୍ରମ କରି ଦଳ ତା’ର ଲାଭ ନେବାକୁ ଚେଷ୍ଟା ଚଳାଇଛି କଂଗ୍ରେସ ।
ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ ନିରଞ୍ଜନ ଏବେଠାରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବେଠାରୁ ଯାଇ ସେହି ଜିଲ୍ଲାଗୁଡିକର ପ୍ରଭାରୀମାନେ ସମସ୍ତ କଳ, ବଳ ଓ କୌଶଳ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ୨୦୧୯ ନିର୍ବାଚନ ପାଇଁ ପୂର୍ବରୁ ରାହୁଲ ୪ଥର ଓଡ଼ିଶା ଗସ୍ତ କରିଥିବା ବେଳେ ସର୍ବାଧିକ ସମୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଆସିଛନ୍ତି ।