ରାହୁଲ ଗାନ୍ଧୀଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି, ନୂତନ ପାସପୋର୍ଟ କରିବାକୁ ଅନୁମତି…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି । ତାଙ୍କୁ ମିଳିଥିବା ଏହି NOC ଆଗାମୀ ୩ ବର୍ଷ ପାଇଁ ବୈଧ ହେବ । ବାସ୍ତବରେ, ତାଙ୍କର ସଂସଦର ସଦସ୍ୟତା ଯିବା ପରେ ସେ ତାଙ୍କର ରାଜନୈତିକ ପାସପୋର୍ଟ ସରେଣ୍ଡର କରି ନିଜ ପାଇଁ ଏକ ସାଧାରଣ ପାସପୋର୍ଟ ପାଇବାକୁ ଆବେଦନ କରିଥିଲେ ।
ରାହୁଲ ଗାନ୍ଧୀଙ୍କ ପାସପୋର୍ଟ ପ୍ରସଙ୍ଗରେ ଏନଓସି ପ୍ରଦାନ କରିବାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି ଏବଂ ଏହି ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ତାଙ୍କୁ ପାସପୋର୍ଟ ପାଇବା ପାଇଁ ଏନଓସି ଦିଆଯିବା ଉଚିତ ନୁହେଁ ।

ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ଦେବା ମାମଲାର ଶୁଣାଣି ପାଇଁ ଡକ୍ଟର ସୁବ୍ରମଣ୍ୟମ୍ ସ୍ବାମୀ ଏବଂ ରାହୁଲଙ୍କ ଓକିଲ କୋର୍ଟ ରୁମ୍ରେ ପହଞ୍ଚିଥିଲେ । ରାହୁଲଙ୍କ ପାସପୋର୍ଟରେ ଏନଓସି ପ୍ରଦାନ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଏହି ସମୟରେ ସ୍ବାମୀ କୋର୍ଟଙ୍କୁ କହିଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି ସର୍ବାଧିକ ୧୦ ବର୍ଷ ପାଇଁ ତାଙ୍କ ପାସପୋର୍ଟ ପାଇପାରିବେ କିନ୍ତୁ ଏହା ଏକ ସ୍ୱତନ୍ତ୍ର ମାମଲା ।
ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ୧୦ ବର୍ଷ ପାଇଁ ପାସପୋର୍ଟ ପ୍ରଦାନ କରିବାର କୌଣସି ବୈଧ କିମ୍ବା ପ୍ରଭାବଶାଳୀ କାରଣ ନାହିଁ । ସେ କହିଛନ୍ତି ଯେ ମୌଳିକ ଅଧିକାର ପରି ପାସପୋର୍ଟ ରଖିବା ଅଧିକାର ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ନୁହେଁ । ଏହା ବ୍ୟତୀତ ସ୍ବାମୀ କୋର୍ଟଙ୍କୁ କହିଛନ୍ତି ଯେ ୨୦୧୯ ରେ ରାହୁଲ ଗାନ୍ଧୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ପଚରା ଯାଇଥିଲା ଯେ, ରାହୁଲ ଗାନ୍ଧୀଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି କି ? କିନ୍ତୁ ସେ ଏ ବିଷୟରେ କୌଣସି ତଥ୍ୟାତମକ ଉତ୍ତର ଦେଇନଥିଲେ । ସ୍ବାମୀଙ୍କ ଅନୁଯାୟୀ, ଭାରତର ନିୟମ ଅନୁଯାୟୀ ଯଦି କୌଣସି ନାଗରିକ ପାଖରେ ଅନ୍ୟ ଦେଶର ନାଗରିକତା ଥାଏ, ତେବେ ସେ ଭାରତୀୟ ନାଗରିକତା ପାଇପାରିବେ ନାହିଁ।